ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଂଶଧାରା ନଦୀରୁ ବାଲି ଆଣିବା ବେଳେ ହଠାତ୍ ମାଡ଼ିଯାଇଥିଲା ବନ୍ୟାପାଣି। ଫଳରେ ୫୩ ଜଣ ଶ୍ରମିକ ଫଶିଯାଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀରେ ବନ୍ୟା। ଧିରେ ଧିରେ ନଦୀରେ ବଢ଼ୁଛି ଜଳସ୍ତର। ରବିବାର ରାତିରୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ବଂଶଧାରା ନଦୀକୁ ବାଲି ଆଣିବାକୁ ଯାଇଥିବା ୫୩ ଜଣ ଶ୍ରମିକ ବନ୍ୟାପାଣିରେ ଫଶି ଯାଇଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଇଛି।

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ସୁରୁବୁଝିଲ୍ଲି ପଞ୍ଚାୟତର ପୁରୁଷୋତ୍ତହପୁରମ ନିକଟ ବଂଶଧାରା ନଦୀକୁ ରବିବାର ରାତି ୧୦ ଟାରେ ଶ୍ରମିକମାନେ ବାଲି ଆଣିବାକୁ ଯାଇଥିଲେ। ୧୦ଟି ଟ୍ରକ ଓ ୩ଟି ଜେସିବି ନେଇ ୫୩ ଜଣ ଶ୍ରମିକ ଯାଇଥିଲେ। ବାଲି ଖୋଳୁଥିବା ବେଳେ ହଠାତ୍ ବଂଶଧାରା ନଦୀରେ ବନ୍ୟା ଜଳ ମାଡ଼ିଆସିଥିଲା। ଜୀବନ ବଞ୍ଚାଇବା ପାଇଁ ଏମାନେ ଗୋଟିଏ ଟାପୁରେ ଆଶ୍ରୟ ନେଇଥିଲେ।

ରାତି ୧୧ଟାରେ ଶ୍ରମିକମାନେ ୧୦୦ ନମ୍ବରରେ ଫୋନ କରି ପୋଲିସ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପୋଲିସ ଅଧିକାରୀ ଏ ସମ୍ପର୍କରେ ତୁରନ୍ତ ଜିଲ୍ଲା ପ୍ରଶାସନ, ରେଭେନ୍ୟୁ ବିଭାଗ ଓ ଅଗ୍ନିଶମ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ରାତି ୨ଟାରେ ଶ୍ରୀକାକୁଲମ୍ ଜିଲ୍ଲାପାଳ ଧନଞ୍ଜୟ ରେଡ୍ଡି, ପୋଲିସ ଅଧିକାରୀ ତ୍ରିବିକ୍ରମ ବର୍ମା, ଡିଏସ୍‌ପି ଭୀମ ରାଓ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅଗ୍ନିଶମ ବିଭାଗ କର୍ମଚାରୀ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଦେଶୀ ଡଙ୍ଗା ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସକାଳ ୬ଟା ସୁଦ୍ଧା ୪୩ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ସକାଳ ସାଢ଼େ ୧୦ଟା ସୁଦ୍ଧା ଅନ୍ୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ୮ ଘଣ୍ଟାର ଅପରେସନ ପରେ ଶ୍ରମିକମାନେ ସୁରକ୍ଷିତ ଭାବେ କୂଳକୁ ଆସିଥିଲେ।

ବର୍ତ୍ତମାନସୁଦ୍ଧା ପାଣିରେ ୧୦ଟି ଟ୍ରକ ଓ ୩ଟି ଜେସିବି ବୁଡ଼ି ରହିଛି। ପାଣିର ସ୍ରୋତ କମିବା ପରେ ସେଗୁଡ଼ିକୁ କ୍ରେନ ଦ୍ୱାରା ବାହାରକୁ ଅଣାଯିବ ବୋଲି ଜିଲାପାଳ ଧନଞ୍ଜୟ ରେଡ୍ଡି କହିଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ପଚରାଉଚରା ପରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here