ଓଡ଼ିଶାଲାଇଭ୍‍ ବ୍ୟୁରୋ

‘ହ୍ୱାଟ୍‌ସଆପ୍‌’ ଜରିଆରେ ସଂକ୍ରମିତ ଗୁଜବର ଭୟାବହ ପରିଣାମ ଭୋଗିବାକୁ ପଡ଼ିଛି ହାଇଦ୍ରାବାଦର ଜଣେ ସଫ୍‌ଟୱେୟାର ଇଞ୍ଜିନିୟରଙ୍କୁପିଲାଚୋରି ସନ୍ଦେହରେ ଲୋକଙ୍କ ଆକ୍ରମଣରେ ଜଣେ ଇଞ୍ଜିନିୟର ପ୍ରାଣ ହରାଇଛନ୍ତି ଓ ତାଙ୍କର ତିନିଜଣ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି

ସରକାରଙ୍କ ସମସ୍ତ ପ୍ରୟାସ ଏବଂ ପୋଲିସର ସଚେତନତା ଅଭିଯାନ ସତ୍ତ୍ୱେ ପିଲା ଚୋରି ଗୁଜବ ଥମିନାହିଁ। ‘ହ୍ୱାଟ୍‌ସଆପ୍‌’ ଜରିଆରେ ସଂକ୍ରମିତ ଏହି ଗୁଜବର ଭୟାବହ ପରିଣାମ ଭୋଗିବାକୁ ପଡ଼ିଛି ହାଇଦ୍ରାବାଦର ଜଣେ ସଫ୍‌ଟୱେୟାର ଇଞ୍ଜିନିୟରଙ୍କୁ। ସନ୍ଦେହୀ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଇଞ୍ଜିନିୟର ମହମ୍ମଦ ଆଜମ ପ୍ରାଣ ହରାଇଛନ୍ତି ଓ ତାଙ୍କର ତିନିଜଣ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି।

ହାଇଦ୍ରାବାଦର ଗୁଗଲ୍‌ ଅଫିସ୍‌ରେ ସଫ୍‌ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ ମହମ୍ମଦ ଆଜମ। ଗତ ଶୁକ୍ରବାର ଦିନ ତିନିବନ୍ଧୁଙ୍କ ସହ ସେ କର୍ଣ୍ଣାଟକର ବିଦର ଜିଲ୍ଲା ଅନ୍ତର୍ଗତ ଏକ ହ୍ରଦ ନିକଟକୁ କାରରେ ବୁଲି ଯାଇଥିଲେ। ତିନିବନ୍ଧୁଙ୍କ ମଧ୍ୟରୁ ଦୁଇଜଣ କାତାରରୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ କାତାର ବାସିନ୍ଦା। ତେଲେଙ୍ଗାନା ସୀମାକୁ ଲାଗିଥିବା ବିଦର ଜିଲ୍ଲାର ହାଣ୍ଡିକେରେ ନିକଟସ୍ଥ ଏକ ଗାଁରେ ସେମାନେ କାରରୁ ଓହ୍ଲାଇ ଫଟୋ ଉଠାଉଥିବା ବେଳେ କେତେକ ସ୍କୁଲପିଲାଙ୍କୁ ଭେଟିଥିଲେ। ଜଣେ ବନ୍ଧୁ ପିଲାମାନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କୁ ଚକୋଲେଟ ବି ଦେଇଥିଲେ। ଏହି ଘଟଣାକୁ ପାଖରେ ଥିବା କେତେକ ଗାଁ ଲୋକେ ଦେଖି ସେମାନଙ୍କୁ ପିଲାଚୋର ସନ୍ଦେହରେ ଆକ୍ରମଣ କରିଥିଲେ। ଲୋକେ ସେମାନଙ୍କୁ ଲାଠିରେ ପିଟିବା ସହ କାର ଉପରକୁ ଢେଲାପଥର ମାଡ଼ କରିଥିଲେ। ସେଠାରେ ଉପସ୍ଥିତ କେତେକ ଯୁବକ ମୋବାଇଲ୍‌ରେ ଏହି ଘଟଣାର ଭିଡିଓ ରେକର୍ଡିଂ କରିଥିଲେ।

ରିପୋର୍ଟ ଅନୁସାରେ, ଲୋକଙ୍କ ଆକ୍ରମଣରୁ କୌଣସି ମତେ ଖସି ଚାରିବନ୍ଧୁ ଦ୍ରୁତ ଗତିରେ ହାଇଦ୍ରାବାଦ ଆଡ଼କୁ ଫେରୁଥିବା ବାଟରେ ମୁର୍କି ଗାଁ ନିକଟରେ ସେମାନଙ୍କ କାର୍‌ ଏକ ମୋଟର ସାଇକେଲକୁ ଧକ୍କା ଦେଇ ଖାଲ ଭିତରେ ପଡ଼ି ଯାଇଥିଲା। ସେତେବେଳକୁ ହ୍ୱାଟ୍‌ସଆପ୍‌ ଜରିଆରେ ସେମାନଙ୍କ ସଂପର୍କିତ ଭିଡିଓ ଓ ମେସେଜ୍‌ ଅନ୍ୟ ଗାଁ ଲୋକେ ବି ପାଇସାରିଥିଲେ। ମୁର୍କି ଗାଁ ନିକଟରେ ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଆସିଥିବା ପୋଲିସକୁ ମଧ୍ୟ ଲୋକେ ଆକ୍ରମଣ କରିଥିଲେ।

ପରେ ଅଧିକ ସଂଖ୍ୟକ ପୋଲିସ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଆକ୍ରମଣରେ ଗୁରୁତର ଆହତ ମହମ୍ମଦ ଆଜମଙ୍କୁ ବଞ୍ଚାଇ ପାରିନଥିଲେ। ବିଦର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ହାଇଦ୍ରାବାଦରେ ଏବଂ ଜଣଙ୍କୁ ବିଦରରେ ଚିକିତ୍ସା କରାଯାଉଛି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଚାରି ଜଣ ପୋଲିସ ବି ଆହତ ହୋଇଥିଲେ।

ଏହି ଘଟଣାରେ ପୋଲିସ ୩୨ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଏକ ‘ହ୍ୱାଟ୍‌ସଆପ୍‌ ଗ୍ରୁପ୍‌’ର ଆଡମିନିଷ୍ଟ୍ରେଟର। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି।

ଏହି ଘଟଣାକୁ ବିବାଦୀୟ ମୋଡ଼ ଦେଇଛି କର୍ଣ୍ଣାଟକ ଔରାଦର ବିଜେପି ବିଧାୟକଙ୍କ ବୟାନ। ଲୋକଙ୍କ ମାଡ଼ରେ ନୁହେଁ, ବରଂ କାର୍‌ ଦୁର୍ଘଟଣାରେ ଆଜମଙ୍କର ମୃତ୍ୟ ଘଟିଛି ବୋଲି ବିଧାୟକ ପ୍ରଭୁ ଚଭନ କହିଛନ୍ତି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳ ଗସ୍ତ କରିଥିବା ଚଭନ ଆହୁରି କହିଛନ୍ତି ଯେ, ସେମାନେ ପିଲାଙ୍କୁ ଅପହରଣ କରିବାକୁ ଆସିଥିଲେ। ତା ନହେଲେ ପିଲାଙ୍କୁ ଚକୋଲେଟ୍‌ କାହିଁକି ଦେଉଥିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଏଥିରେ ସନ୍ଦେହ ନାହିଁ ଯେ ହ୍ୱାଟ୍‌ସଆପ୍‌ରେ ପ୍ରସାରିତ ପିଲା ଚୋରି ଗୁଜବ ହିଁ ଏହି ଅଘଟଣର ମୂଳ କାରଣ। ଗତ କିଛିମାସ ଭିତରେ ଦେଶର  ବିଭିନ୍ନ ସ୍ଥାନରେ ଏଭଳି ଅଘଟଣ ଘଟିଥିଲା। ଜୁଇାଇ ପହିଲାରେ ମହାରାଷ୍ଟ୍ରରେ ପିଲା ଚୋର ସନ୍ଦେହ କରି ପାଞ୍ଚଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା।

ଛତିଶଗଡ଼, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ରାଜ୍ୟ ଆସାମ, ମଣିପୁର ଓ ତ୍ରିପୁରାରେ ମଧ୍ୟ ଏଭଳି ହିଂସାକାଣ୍ଡ ଘଟି ଅନ୍ୟୂନ ୩୦ଜଣ ପ୍ରାଣ ହରାଇଥିଲେ। ଏହା ପରେ ସରକାର ଚେତିଥିଲେ। ହ୍ୱାଟ୍‌ସଆପ୍‌ ମେସେଜ୍‌ ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା ସହିତ ଜନ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ମହମ୍ମଦ ଆଜମଙ୍କ ମୃତ୍ୟୁ ଏ ସବୁ ଉଦ୍ୟମକୁ ନିରର୍ଥକ ସାବ୍ୟସ୍ତ କରିଛି।

Comment