ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିରୋଧୀ ରାଗି ପାଚି ଲାଲ୍
  • ଜଗନ୍ନାଥ ସଂସ୍କୃତିକୁ ଭଲଭାବେ ବୁଝନ୍ତୁ କେନ୍ଦ୍ରମନ୍ତ୍ରୀ: ପ୍ରତାପ ଜେନା
  • ଜଗନ୍ନାଥପ୍ରେମୀଙ୍କୁ ଆଘାତ ଲାଗିଛି: ପ୍ରତାପ ଦେବ
  • ଧର୍ମେନ୍ଦ୍ର ଦେଲେ ଜବାବ
  • କେନ୍ଦ୍ରମନ୍ତ୍ରୀ କହିଲେ, “କିଏ କେମିତି ଭକ୍ତି କରିବ ବିଜେଡି ଠିକାଦାର ନୁହେଁ”

ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଜପତି ମହାରାଜଙ୍କ ଉଦ୍ଦେଶ୍ୟରେ ‘ଝାଡ଼ୁଦାର’ ବୟାନ ଦେଇ ଫସିଛନ୍ତି ଧର୍ମେନ୍ଦ୍ର। କେନ୍ଦ୍ରମନ୍ତ୍ରୀଙ୍କର ଏହି ଝାଡ଼ୁଦାର ବୟାନ ଏବେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି।

ଗଜପତିଙ୍କ ‘ଛେରାପହଁରା’ ନୀତିକୁ ‘ଝାଡ଼ୁମାରିବା’ ସାଙ୍ଗେ ତୁଳନା କରି ଧର୍ମେନ୍ଦ୍ର ସମାଲୋଚନାର ଶିକାର ହୋଇଛନ୍ତି। ଏହାକୁ ନେଇ ବିଜେଡି ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି।

ପବିତ୍ର ରଥଯାତ୍ରା ଦିନ ନିଜ ସମର୍ଥକଙ୍କୁ ନେଇ ପୁରୀ ଯାଇଥିଲେ ଧର୍ମେନ୍ଦ୍ର। ବଡ଼ଦାଣ୍ଡରେ ରଥାରୂଢ଼ ତିନି ଠାକୁରଙ୍କୁ ଊର୍ଦ୍ଧ୍ୱବାହୁ ହୋଇ ପ୍ରଣାମ କରିବା ସହ ଆଣ୍ଠୁମାଡ଼ି ମୁଣ୍ଡିଆ ମାରିଥିଲେ।

ଗଜପତି ମହାରାଜ ଛେରାପହଁରା କରିବା ପାଇଁ ଯେତେବେଳେ ଶ୍ରୀନଅରରୁ ବାହାରି ରଥ ନିକଟକୁ ଯାଉଥିଲେ ସେତେବେଳେ ଧର୍ମେନ୍ଦ୍ର ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ଲାଇଭ୍‌ ସୋ କରୁଥିଲେ। ଏହି ଲାଇଭ୍‌ ସୋ’ରେ ଧର୍ମେନ୍ଦ୍ର ଗଜପତିଙ୍କୁ ଝାଡ଼ୁଦାର କୁହାଯାଉଥିଲା ବୋଲି କହିଥିଲେ।

ଫେସ୍‌ବୁକ୍‌ ପେଜ୍‌ରେ କ’ଣ କହିଲେ ଧର୍ମେନ୍ଦ୍ର?

ଓଡ଼ିଆ ଜାତିର ଆରାଧ୍ୟ ବ୍ୟକ୍ତି ଆଦରଣୀୟ ଗଜପତି ମହାରାଜ ରାଜନଅରରୁ ବାହାରି ଅନୁଚରମାନଙ୍କ ସାଙ୍ଗରେ ଧାର୍ମିକ ବିଧି ବ୍ୟବସ୍ଥା ଅନୁସାରେ ରଥରେ ଆସି ପହଞ୍ଚିଛନ୍ତି। ଆମ ସମାଜର ବିନମ୍ରତାର ଅନନ୍ୟ ପ୍ରତୀକ ଝାଡ଼ୁ ମାରିବା, ସଫେଇ କରିବା ପାଇଁ ଆସିଛନ୍ତି। ଏହି ପରମ୍ପରାକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ସମୟରେ ସ୍ୱଚ୍ଛ ଭାରତ ଆନ୍ଦୋଳନର ପରିକଳ୍ପନା କରିଛନ୍ତି।

ସ୍ୱଚ୍ଛତା ଜଗନ୍ନାଥ ସଂସ୍କୃତି ସହ ଯୋଡ଼ି ହୋଇ ରହିଛି। ମହାପ୍ରଭୁ ରଥାରୂଢ଼ ହେବା ପରେ ଗଜପତି ମହାରାଜ ରଥକୁ ‘ଝାଡ଼ୁ’ ମାରିବା ପାଇଁ ଆସିଥାନ୍ତି। ସେଥିପାଇଁ ତାଙ୍କୁ ଅତୀତରେ ‘ଝାଡ଼ୁଦାର’ କୁହାଯାଇଥିଲା।

କେନ୍ଦ୍ରମନ୍ତ୍ରୀଙ୍କର ଏହି ‘ଝାଡ଼ୁଦାର’ ବୟାନ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ଜଗନ୍ନାଥ ସଂସ୍କୃତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜାଣି ନାହାନ୍ତି। ‘ଛେରାପହଁରା’ ନୀତିକୁ ‘ଝାଡ଼ୁ ମାରିବା’ କହି ସେ ଭୁଲ୍ କରିଛନ୍ତି। ଜଗନ୍ନାଥ ସଂସ୍କୃତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଭଲଭାବେ ବୁଝିବା ଦରକାର।”

ବିଜେଡି ମୁଖପାତ୍ର ପ୍ରତାପ ଦେବ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କ ବୟାନ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି।

ବିଜେଡି ନେତାଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି ଧର୍ମେନ୍ଦ୍ର।

ସେ କହିଛନ୍ତି, “କାଞ୍ଚି ରାଜା ସେତେବେଳେ ଗଜପତିଙ୍କୁ ଝାଡ଼ୁଦାର କହିଥିଲେ। ଝାଡ଼ୁଦାର କହି ଝିଅ ଦେବାକୁ ମନା କରିଥିଲେ। ଏହାକୁ ଅପମାନ ମନେକରି ଗଜପତି କାଞ୍ଚି ଅଭିଯାନରେ ଯାଇଥିଲେ। ଯୁଦ୍ଧରେ କାଞ୍ଚି ରାଜାଙ୍କୁ ପରାଜିତ କରିଥିଲେ। ମୁଁ ସେହିକଥା କହିବାକୁ ଚାହିଁଥିଲି। ଜଗନ୍ନାଥଙ୍କୁ କିଏ କେମିତି ଭକ୍ତି କରିବ ଶାସକ ଦଳ ତାର ଠିକାଦାର ନୁହେଁ।”

Comment