ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ମୌସୁମୀ ଅଧିବେଶନରେ ସଂସଦରେ ଆଗତ ହୋଇପାରେ ସଂଶୋଧିତ ଏନ୍ଏମ୍ସି ବିଲ୍। ଏହି ବିଲ୍ ପାସ୍ ହେଲେ ବର୍ତ୍ତମାନର ଏମ୍ସିଆଇର ସ୍ଥାନ ନେବ ଏନ୍ଏମ୍ସି।
ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଆଗତ ହୋଇପାରେ ସଂଶୋଧିତ ଜାତୀୟ ଚିକିତ୍ସା ଆୟୋଗ ବିଧେୟକ ବା ନ୍ୟାସନାଲ ମେଡିକାଲ କାଉନ୍ସିଲ (ଏନ୍ଏମ୍ସି) ବିଲ୍। ଏହି ବିଲ୍ ପାସ୍ ହେଲେ ବର୍ତ୍ତମାନର ମେଡିକାଲ କାଉନ୍ସିଲ ଅଫ୍ ଇଣ୍ଡିଆ (ଏମ୍ସିଆଇ)ର ସ୍ଥାନ ନେବ ଏନ୍ଏମ୍ସି।
ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସଂସ୍କାର ଲକ୍ଷ୍ୟ ନେଇ ପ୍ରସ୍ତୁତ ଏହି ବିଲ୍ର ଚିଠାକୁ ଅତୀତରେ ବିରୋଧ କରାଯାଇଥିଲା। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଏବଂ ଅନ୍ୟ କେତେକ ଚିକିତ୍ସା ବିଶେଷଜ୍ଞ ଏଥିରେ ତ୍ରୁଟିବିଚ୍ୟୁତି ଥିବା ଦର୍ଶାଇ ସୁଧାରିବାକୁ ପ୍ରସ୍ତାବ ଦେଇଥିଲେ। ଏବେ ସରକାର ସେହି ସବୁ ତ୍ରୁଟି ସୁଧାରି ସାରିଛନ୍ତି ଏବଂ ବିଲ୍ ଉପସ୍ଥାପନ କରିବାକୁ ମନସ୍ଥ କରିଛନ୍ତି। ବିଲ୍କୁ ଚୂଡ଼ାନ୍ତ ରୂପ ଦେବା ଦିଗରେ ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରାଳୟ କାର୍ଯ୍ୟରତ।
ଗତବର୍ଷ ଡିସେମ୍ବରରେ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଥିଲା ଏନ୍ଏମ୍ସି ବିଲ୍। ଦେଶର ଡାକ୍ତରୀ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ସହିତ ଏହାକୁ ବିଶ୍ୱସ୍ତରୀୟ ବ୍ୟବସ୍ଥା ସମତୁଲ କରିବା ଏହି ବିଧେୟକର ଉଦ୍ଦେଶ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏଥିରେ ଥିବା କେତେକ ବ୍ୟବସ୍ଥାକୁ ବିରୋଧ କରିଥିଲେ ଅନେକ ଡାକ୍ତରୀ ଛାତ୍ରଛାତ୍ରୀ ଓ ସଂଗଠନ।
ପୁରୁଣା ବିଲ୍ରେ ସବୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ‘ଏକ୍ଜିଟ୍ ଟେଷ୍ଟ’ ବ୍ୟବସ୍ଥା ଥିଲା। ଏମ୍ବିବିଏସ୍ ପଢ଼ିବା ପରେ ଦେଶରେ ଡାକ୍ତରୀ ପ୍ରାକ୍ଟିସ୍ କରିବାକୁ ଏହି ପରୀକ୍ଷା ପାସ୍ କରିବା ଅନିବାର୍ଯ୍ୟ ଥିଲା। ଏହା ପାସ୍ କଲା ପରେ ହିଁ ଲାଇସେନ୍ସ ମିଳିବା ବ୍ୟବସ୍ଥା ଥିଲା। ଏହି ବ୍ୟବସ୍ଥାକୁ ଡାକ୍ତରୀ ଛାତ୍ରଛାତ୍ରୀମାନେ ବିରୋଧ କରିଥିଲେ। ଥରେ ଏମ୍ବିବିଏସ୍ ପାସ୍ କଲା ପରେ ପ୍ରାକ୍ଟିସ୍ ପାଇଁ ଅନ୍ୟ କୌଣସି ପରୀକ୍ଷାର ଯଥାର୍ଥତା ନେଇ ପ୍ରଶ୍ନ ଉଠିଥିଲା। ଏବେ ସଂଶୋଧିତ ବିଲ୍ରେ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ‘ଏକ୍ଜିଟ୍ ଟେଷ୍ଟ’ ବ୍ୟବସ୍ଥା ପ୍ରତ୍ୟାହାର କରିନେଇଛନ୍ତି।
ଏମ୍ବିବିଏସ୍ ଫାଇନାଲ ପରୀକ୍ଷାକୁ ହିଁ ‘ଏକ୍ଜିଟ୍ ଟେଷ୍ଟ’ ରୂପେ ଗ୍ରହଣ କରାଯିବ ଏବଂ ଏହାପରେ ଅନ୍ୟ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ ବୋଲି ସଂଶୋଧିତ ବିଲ୍ରେ ବ୍ୟବସ୍ଥା କରାଯାଇଛି। କିନ୍ତୁ ବିଦେଶରେ ଡାକ୍ତରୀ ପଢ଼ିବା ପରେ ଦେଶ ଭିତରେ ପ୍ରାକ୍ଟିସ୍ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ପରୀକ୍ଷା ଦେବାକୁ ହେବ।
ମୂଳ ବିଲ୍ର ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିଭିନ୍ନ ଡାକ୍ତରୀ ସଂଗଠନ ବିରୋଧ କରିଥିଲେ ତାହା ହେଲା ଅଣ-ଏଲୋପାଥି ଡାକ୍ତରଙ୍କ ପାଇଁ ପ୍ରସ୍ତାବିତ ‘ବ୍ରିଜ୍ କୋର୍ସ’। ବିଲ୍ର ବ୍ୟବସ୍ଥା ଅନୁସାରେ ହୋମିଓପାଥି ବା ଆୟୁର୍ବେଦ ଡାକ୍ତରମାନେ ‘ବ୍ରିଜ୍ କୋର୍ସ’ ଶେଷ କଲେ ଏକପ୍ରକାର ଏଲୋପାଥି ପ୍ରାକ୍ଟିସ୍ କରିପାରିବେ। ଅନ୍ୟ ଭାଷାରେ ‘ଆୟୁଷ’ ଡାକ୍ତରମାନେ ମଧ୍ୟ ରୋଗୀଙ୍କ ପ୍ରାଥମିକ ଚିକିତ୍ସା ଲାଗି ଏଲୋପାଥି ଔଷଧ ଦେଇପାରିବେ।
ଦେଶରେ ଡାକ୍ତରଙ୍କ ଅଭାବ ଯୋଗୁଁ ବିପର୍ଯ୍ୟସ୍ତ ପ୍ରାଥମିକ ଚିକିତ୍ସାକୁ ସୁଧାରିବା ଲାଗି ସରକାର ଏହି ବ୍ୟବସ୍ଥା କରିଥିଲେ। କିନ୍ତୁ ବିଭିନ୍ନ ଡାକ୍ତରୀ ସଂଗଠନର ଜୋରଦାର ବିରୋଧ ପରେ ଏବେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦିଆଯାଇଛି। ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ଏ ସଂପର୍କରେ ନିଷ୍ପତ୍ତି ନେଇପାରିବେ।
ସେହିଭଳି ଡାକ୍ତରୀ ଶିକ୍ଷାନୁଷ୍ଠାନର ଦେୟ ବା ଫି’ ସଂପର୍କିତ ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯାଇଛି। ସଂଶୋଧିତ ବ୍ୟବସ୍ଥା ଅନୁସାରେ ବେସରକାରୀ ଡାକ୍ତରୀ ଶିକ୍ଷାନୁଷ୍ଠାନ ଏବଂ ଡିମ୍ଡ ବିଶ୍ୱବିଦ୍ୟାଳୟଗୁଡ଼ିକର ୫୦ ପ୍ରତିଶତ ସିଟ୍ ପାଇଁ ନିର୍ଦ୍ଧାରିତ ସରକାରୀ ହାରରେ ଫି’ ନିଆଯିବ। ଅବଶିଷ୍ଟ ୫୦ ପ୍ରତିଶତ ସିଟ୍ର ଫି’ ସଂପୃକ୍ତ ଶିକ୍ଷାନୁଷ୍ଠାନ ନିୟନ୍ତ୍ରଣରେ ରହିବ। ମୂଳ ବିଲ୍ରେ ଏହା ୪୦ ପ୍ରତିଶତ ଥିଲା। ବେସରକାରୀ ଡାକ୍ତରୀ ଶିକ୍ଷାନୁଷ୍ଠାନ ଖୋଲିବାକୁ ଏହା ପ୍ରୋତ୍ସାହିତ କରିବ ବୋଲି କୁହାଯାଇଛି।
ଏମ୍ସିଆଇ ବଦଳରେ ଏନ୍ଏମ୍ସି ସ୍ଥାପନ ପାଇଁ ବିଲ୍ରେ ବ୍ୟବସ୍ଥା ରହିଛି। ୨୦୧୬ ମସିହାରେ ସ୍ୱାସ୍ଥ୍ୟ ସଂପର୍କିତ ସଂସଦୀୟ କମିଟିର ରିପୋର୍ଟ ଭିତ୍ତିରେ ଏହା କରାଯାଇଛି। ଏମ୍ସିଆଇର କାର୍ଯ୍ୟକାରିତା ଏବଂ ଉପଯୋଗିତା ନେଇ ରିପୋର୍ଟରେ ପ୍ରଶ୍ନ କରାଯାଇଥିଲା ଏବଂ ଏହାର ସଂପୂର୍ଣ୍ଣ ନବୀକରଣ ସପକ୍ଷରେ ମତ ଦିଆଯାଇଥିଲା। ଏକ ନିରପେକ୍ଷ ନିୟନ୍ତ୍ରକ ସଂସ୍ଥା ଭାବରେ ଏମ୍ସିଆଇ ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା।
ଏହି ଭିତ୍ତିରେ ସରକାର ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଡାକ୍ତରୀ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞମାନଙ୍କ ମତାମତ ନେଇ ଏହି ବିଲ୍ର ଚିଠା ପ୍ରସ୍ତୁତ କରାଯାଇଥିଲା। ଏବେ ବି ଏନ୍ଏମ୍ସି ଗଠନ ପ୍ରସ୍ତାବ ସମାଲୋଚନା ଘେରରେ ରହିଛି। ନିର୍ବାଚିତ ଡାକ୍ତର ସଦସ୍ୟଙ୍କୁ ନେଇ ଗଠିତ ଏମ୍ସିଆଇ ବଦଳରେ ମନୋନୀତ ସଦସ୍ୟଙ୍କୁ ନେଇ ପ୍ରସ୍ତାବିତ ଏନ୍ଏମ୍ସି ଗଠନର ଯୌକ୍ତିକତାକୁ ନେଇ ପ୍ରଶ୍ନ ଉଠିଛି। କିନ୍ତୁ ପ୍ରସ୍ତାବ ଅନୁସାରେ ଏନ୍ଏମ୍ସିର ୨୫ ଜଣ ସଦସ୍ୟଙ୍କ ମଧ୍ୟରୁ ୨୧ ଜଣ ଡାକ୍ତର ହୋଇଥିବେ ବୋଲି ବ୍ୟବସ୍ଥା ଥିବାରୁ ‘ନିର୍ବାଚିତ’ ଓ ‘ମନୋନୀତ’ ବିବାଦର ଅବସାନ ଘଟିବ ବୋଲି ମନେ କରାଯାଉଛି।














