ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡୋନେସିଆର ୱେଷ୍ଟ-ପପୁଆ ଅଞ୍ଚଳରେ କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇବା ପରେ ଉତ୍ତ୍ୟକ୍ତ ଗାଁ ଲୋକେ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ପଶି କୁମ୍ଭୀରମାନଙ୍କୁ ମାରି ଦେଇଛନ୍ତି।
ଏକ ବିରଳ ଘଟଣାକ୍ରମରେ ପାଖାପାଖି ତିନିଶହ କୁମ୍ଭୀରଙ୍କୁ ହତ୍ୟା କରିଛନ୍ତି ପ୍ରତିଶୋଧପରାୟଣ ଗାଁ ଲୋକେ। ଇଣ୍ଡୋନେସିଆର ଘଟଣା। କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇବା ପରେ ଉତ୍ତ୍ୟକ୍ତ ଗାଁ ଲୋକେ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ପଶି କୁମ୍ଭୀରମାନଙ୍କୁ ମାରି ଦେଇଛନ୍ତି।
ଇଣ୍ଡୋନେସିଆର ୱେଷ୍ଟ-ପପୁଆ ପ୍ରଦେଶ ଅନ୍ତର୍ଗତ ସୋରଙ୍ଗ ଜିଲ୍ଲାରେ ରହିଛି ଏହି କୁମ୍ଭୀର ପ୍ରଜନନ କେନ୍ଦ୍ର। ପାଖ ଗାଁରୁ ଜଣେ ଲୋକ ଘାସ ନେବାକୁ ସେଠାକୁ ଆସିଥିଲେ। ଘାସ କାଟୁକାଟୁ ଅଜାଣତରେ କୁମ୍ଭୀର ଏନକ୍ଲୋଜର ଭିତରେ ପଶିଯାଇଥିଲେ ଏବଂ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିଲେ। ତାଙ୍କ ଚିତ୍କାର ଶୁଣି କେନ୍ଦ୍ର କର୍ମଚାରୀମାନେ ଦୌଡ଼ି ଆସିଥିଲେ। କିନ୍ତୁ କୁମ୍ଭୀର କବଳରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା।
ଗତ ଶନିବାର ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯିବା ପରେ କୁମ୍ଭୀରମାନଙ୍କୁ ମାରି ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ ଗାଁ ଲୋକେ। ସେମାନେ ଖଣ୍ଡା, କାତି, ହାତୁଡ଼ି ଏବଂ ଲାଠି ଭଳି ମାରଣାସ୍ତ୍ର ଧରି କୁମ୍ଭୀର ପ୍ରଜନନ କେନ୍ଦ୍ରରେ ପଶିଥିଲେ। ଉତ୍ତ୍ୟକ୍ତ ଲୋକେ ଖଣ୍ଡାରେ ହାଣି ଏବଂ ଲାଠିରେ ପିଟିପିଟି ୨୯୨ଟି କୁମ୍ଭୀରଙ୍କୁ ମାରି ଦେଇଥିଲେ। କୁମ୍ଭୀର ସଂରକ୍ଷଣ ଏବଂ ପ୍ରଜନନ କେନ୍ଦ୍ରର କର୍ମଚାରୀମାନେ ନିରୁପାୟ ହୋଇ ଏହି ଘଟଣା ଦେଖିଥିଲେ। ପରେ ପୋଲିସ ପହଞ୍ଚିଥିଲା। କିନ୍ତୁ ଆକ୍ରମଣକାରୀ ଲୋକଙ୍କ ସଂଖ୍ୟା ବହୁ ଅଧିକ ଥିବାରୁ ସେମାନଙ୍କୁ ଅଟକାଇ ପାରିନଥିଲା।
ପ୍ରତିଶୋଧପରାୟଣ ଲୋକେ ଗୋଟିଏ ପରେ ଗୋଟିଏ କୁମ୍ଭୀରମାନଙ୍କୁ ମାରିବାରେ ଲାଗିଥିଲେ। କୁମ୍ଭୀର ଛୁଆମାନେ ବି ବାଦ ପଡ଼ି ନ ଥିଲେ। ମୃତ କୁମ୍ଭୀରମାନଙ୍କୁ ଗୋଟିଏ ସ୍ଥାନରେ ରଖି ଲୋକେ ଫଟୋ ବି ଉଠାଇଥିଲେ। ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। କିନ୍ତୁ କାହାରିକୁ ଗିରଫ କରାଯାଇନାହିଁ ।
୨୦୧୩ ମସିହାରେ ସ୍ଥାପିତ ହୋଇଥିଲା ଏହି କୁମ୍ଭୀର ପ୍ରଜନନକେନ୍ଦ୍ର। ଉଦ୍ଦେଶ୍ୟ ଥିଲା, ବିରଳ ନ୍ୟୁ ଗିନିଆ କୁମ୍ଭୀର ସମେତ ଅନ୍ୟ ଲୁଣାପାଣି କୁମ୍ଭୀର ପ୍ରଜନନ ଏବଂ ସଂରକ୍ଷଣ। ଏବେ ଏହି କେନ୍ଦ୍ର ପ୍ରାୟ କୁମ୍ଭୀରଶୂନ୍ୟ। ପ୍ରତିହିଂସାପରାୟଣ ଗାଁ ଲୋକେ ଛାଡ଼ି ଯାଇଛନ୍ତି କୁଢ଼ କୁଢ଼ ମଲା କୁମ୍ଭୀର।














