ଓଡ଼ିଶାଲାଇଭ୍‍ ବ୍ୟୁରୋ

ଅପରାଧ ସବୁବେଳେ ଦଣ୍ଡନୀୟ ଏବଂ ପିଟିପିଟି ହତ୍ୟା ଭଳି ଜଘନ୍ୟ ଅପରାଧକୁ ରୋକିବା ଦିଗରେ କଠୋର ଦଣ୍ଡ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି

୧୮ ମେ, ୨୦୧୮- ମଧ୍ୟପ୍ରଦେଶର ସତ୍‌ନାରେ ଗୋହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା, ଅନ୍ୟ ଜଣେ ଗୁରୁତର ଆହତ।

୧୮ ଜୁନ୍‌, ୨୦୧୮- ଉତ୍ତରପ୍ରଦେଶର ହାପୁରରେ ଗୋ ହତ୍ୟା ଅଭିଯୋଗରେ ଲୋକଙ୍କ ଆକ୍ରମଣରେ ଜଣେ ନିହତ, ଅନ୍ୟ ଜଣେ ଗୁରୁତର ଆହତ।

୧୩ ଜୁଲାଇ ୨୦୧୮- କର୍ଣ୍ଣାଟକର ବିଦରରେ ପିଲା ଚୋର ସନ୍ଦେହରେ ଜଣଙ୍କୁ ପିଟି ପିଟି ହତ୍ୟା, ଅନ୍ୟ ତିନି ଜଣ ଗୁରୁତର ଆହତ।

ଗତ କିଛିମାସ ଭିତରେ ଲୋକଲୋଚନକୁ ଆସିଛି ଏଭଳି ଅନେକ ହିଂସାକାଣ୍ଡ। ଉତ୍ତ୍ୟକ୍ତ ଲୋକଙ୍କ ସାମୂହିକ ଆକ୍ରମଣର ଶିକାର ହୋଇଛନ୍ତି ନିରୀହ ଓ ନିର୍ଦ୍ଦୋଷ ଲୋକେ। ସାମାଜିକ ଓ ମାନବୀୟ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଏଭଳି ହିଂସାର ଯଥାର୍ଥତା ପ୍ରତିପାଦନ କରିବାକୁ ବି ଉଦ୍ୟମ ହୋଇଛି। କିନ୍ତୁ ଏଭଳି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ନିନ୍ଦା କରିଛନ୍ତି। ତୁରନ୍ତ ଏହାକୁ ରୋକିବାକୁ କଠୋର ଦଣ୍ଡ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ।

ନିକଟ ଅତୀତରେ ଦେଶର ବିଭିନ୍ନ ଭାଗରେ ସଂଘଟିତ ସଂଘବଦ୍ଧ ଆକ୍ରମଣଜନିତ ହତ୍ୟା ଘଟଣାକୁ ନିନ୍ଦା କରିବା ସହିତ ଏହାକୁ ପ୍ରତିହତ କରିବା ଦିଗରେ ସ୍ୱତନ୍ତ୍ର ଆଇନ ପ୍ରଣୟନ ଲାଗି ସଂସଦକୁ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ ବିଭିନ୍ନ ରାଜ୍ୟ ମଧ୍ୟ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଦରକାର ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍‌ ଖାନୱିଲକର ଏବଂ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଗୋଚାଲାଣ ଅଭିଯୋଗ ହେଉ କିମ୍ବା ପିଲା ଚୋରି ଗୁଜବ, କାରଣ ଯାହା ହେଉନା କାହିଁକି ଆଇନ ହାତକୁ ନେବାର ଅଧିକାର କାହାରି ନାହିଁ। ସଂଘବଦ୍ଧ ଆକ୍ରମଣ ଭଳି ବର୍ବର ଏବଂ ଭୟଙ୍କର ହିଂସାକୁ ବରଦାସ୍ତ କରିବା ଉଚିତ ନୁହେଁ। ଏଭଳି ହିଂସାରେ ସଂପୃକ୍ତ ଲୋକଙ୍କୁ କଠୋର ଦଣ୍ଡ ଦେବା ପାଇଁ ନୂତନ ଆଇନ ଗଢ଼ିବାର ଆବଶ୍ୟକତା ରହିଛି ବୋଲି ସର୍ବୋଚ୍ଚ ଅଦାଲତ ମତ ଦେଇଛନ୍ତି।

କେତେକ ରାଜ୍ୟରେ ଗୋ ସୁରକ୍ଷା ଆଳରେ ସଂଘଟିତ ହିଂସାକାଣ୍ଡକୁ ପ୍ରତିହତ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଗତ ସେପ୍‌ଟେମ୍ବର ୬ ତାରିଖ ଦିନ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ପ୍ରତି ଜିଲ୍ଲାରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନୋଡାଲ ଅଫିସର ରୂପେ ନିଯୁକ୍ତ ଦେବା ପାଇଁ କୋର୍ଟ କହିଥିଲେ। ରାଜସ୍ଥାନ, ହରିଆଣା ଏବଂ ଉତ୍ତରପ୍ରଦେଶ ସରକାର କୋର୍ଟଙ୍କ ଆଦେଶ ପାଳନ କରିନାହାନ୍ତି ବୋଲି ଦର୍ଶାଇ ଏହି ତିନି ରାଜ୍ୟର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ମହାତ୍ମା ଗାନ୍ଧିଙ୍କ ଅଣନାତି ତୁଷାର ଗାନ୍ଧିଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ତୁରନ୍ତ ଏ ସଂପର୍କରେ ତୁରନ୍ତ ଉତ୍ତର ଦେବାକୁ ତିନିରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଗୋଚାଲାଣ ଭଳି ପିଲା ଚୋରି ଗୁଜବ ଯୋଗୁଁ ବିଭିନ୍ନ ରାଜ୍ୟରେ ସାମୂହିକ ହିଂସା ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ଗତ କିଛିମାସ ଭିତରେ ଦେଶର ବିଭିନ୍ନ ସ୍ଥାନରେ ଏଭଳି ୧୩ଟି ଘଟଣାରେ ପ୍ରାୟ ୩୦ଜଣଙ୍କୁ ହତ୍ୟା କରାଯାଇଛି। ହ୍ୱାଟ୍‌ସଆପ୍‌ ଜରିଆରେ ପ୍ରସାରିତ ଗୁଜବ ହିଁ ହିଂସାର ମୂଳ କାରଣ ବୋଲି କୁହାଯାଇଛି। ଅପରାଧ ସବୁବେଳେ ଦଣ଼୍ଡନୀୟ ଏବଂ ପିଟିପିଟି ହତ୍ୟା ଭଳି ଜଘନ୍ୟ ଅପରାଧକୁ ରୋକିବା ଦିଗରେ କଠୋର ଦଣ୍ଡ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଏହି ପ୍ରସଙ୍ଗ ଆଇନ ଶୃଙ୍ଖଳା ସଂପର୍କିତ ହୋଇଥିବାରୁ ଏହା ରାଜ୍ୟ ସରକାରଙ୍କ ପରିସରଭୁକ୍ତ ଏବଂ ଏ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ସରକାର ଉତ୍ତର ରଖିବାକୁ କେନ୍ଦ୍ର ପକ୍ଷରୁ କୋର୍ଟରେ କୁହାଯାଇଥିଲା। ଭବିଷ୍ୟତରେ ଏଭଳି ହିଂସାର ପ୍ରତିରୋଧ କରିବା ଦିଗରେ ନିଆଯାଇଥିବା ପ୍ରତିଷେଧମୂଳକ ପଦକ୍ଷେପ ଏବଂ ଦଣ୍ଡବିଧାନ ବ୍ୟବସ୍ଥା ସଂପର୍କରେ ତୁରନ୍ତ କୋର୍ଟଙ୍କୁ ଅବଗତ କରାଇବା ପାଇଁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କୁ ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

Comment