ଓଡ଼ିଶାଲାଇଭ୍ ବ୍ୟୁରୋ
ଫର୍ମାଲିନ୍ ମିଶା ମାଛକୁ ନେଇ ଚାଲିଛି ତନାଘନା। ମଙ୍ଗଳବାର ସମ୍ବଲପୁର ଏବଂ ବଲାଙ୍ଗିର ପରେ ଆଜି ବ୍ରହ୍ମପୁର ମାଛ ମାର୍କେଟରେ ଚଢ଼ାଉ ହୋଇଛି। ବ୍ରହ୍ମପୁର ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଫୁଡ୍ ଇନ୍ସିପେକ୍ଟରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ମାଛ ନମୂନା ସଂଗ୍ରହ କରାଯାଇଛି।
ଏପଟେ କଟକ ମହାନଗର ନିଗମ ପକ୍ଷରୁ ମଧ୍ୟ ମାଛ ଗୋଦାମରେ ଚଢ଼ାଉ କରାଯାଉଛି। ପ୍ରେସ୍ ଛକ ମାଛ ଗୋଦାମରେ ସିଏମ୍ସିର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଫୁଡ୍ ଇନ୍ସିପେକ୍ଟର ଚଢ଼ାଉ କରି ମାଛ ନମୂନା ସଂଗ୍ରହ କରିଛନ୍ତି। ଗତକାଲି ୮ଟି ମାଛ ଗୋଦାମରୁ ସଂଗ୍ରହ ହୋଇଥିବା ନମୂନାରୁ ଫର୍ମାଲିନ୍ ମିଶୁ ନଥିା ଜଣାପଡ଼ିଥିଲା।
ଖାଦ୍ୟ ନିରାପତ୍ତା କମିଶନର ସୋମବାର ଦିନ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ମ୍ୟୁନିସିପାଲିଟିର ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ମାଛ ନମୁନା ସଂଗ୍ରହ କରି ଲାବୋରେଟୋରୀକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଆସାମରେ ଆନ୍ଧ୍ର ମାଛରେ ଫର୍ମାଲିନ୍ ମିଶୁଥିବା ଜଣାପଡ଼ିବା ପରେ ଓଡ଼ିଶା ସରକାର ତତ୍ପର ହୋଇ ଉଠିଛନ୍ତି। ଆନ୍ଧ୍ର ମାଛକୁ ଆସାମ ୧୦ ଦିନ ପାଇଁ ବ୍ୟାନ୍ କରିଥିଲେ। ଯେଉଁମାନେ ନିୟମ ଉଲ୍ଲଂଘନ କରି ଆନ୍ଧ୍ର ମାଛ ବିକ୍ରି କରିବେ ସେମାନଙ୍କୁ ଜେଲ ଦଣ୍ଡାଦେଶ ମିଳିବ ବୋଲି ସରକାର କହିଥିଲେ।














