ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛିଦିନ ହେବ ଓଡ଼ିଶାରେ ନିପା ଭାଇରସକୁ ନେଇ ଯେଉଁ ଭୟ ସୃଷ୍ଟି ହୋଇଛି ତାହା ଗୁଜବ। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଗୁରୁବାରଦିନ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

କିଛି ମାସ ମଧ୍ୟରେ ଗୋଆରେ ‘ନିପା’ ଭାଇରସ୍‌ ଦେଖିବାକୁ ମିଳିଥିବାରୁ ସେଠାରେ କାମ କରୁଥିବା ଓଡ଼ିଆ ଲୋକଙ୍କ ମାଧ୍ୟମରେ କାଳେ ଏହି ଭୂତାଣୁ ଆସିଥିବ, ସେ ନେଇ ଆଶଙ୍କା ପ୍ରକାଶ ପାଇଛି।

ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁରରେ କିଛି ଲୋକ ଗୋଆରେ କାମ କରୁଥିବାବେଳେ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ଏହି ଗ୍ରାମର ଅମୂଲ୍ୟ ଜେନାଙ୍କ ତିନି ପୁଅ(ଉତ୍ତମ, ବିରେନ୍ଦ୍ର, ମନୋରଞ୍ଜନ) ଗୋଆସ୍ଥିତ ଅନ୍ତରାଇ ହୋଟେଲ ଓ ରେସ୍ତୋରାଂରେ ହୋଟେଲ ବୟ ଭାବେ କାମ କରୁଥିଲେ। ପରେ ନିଜ ଗାଁର କିଛି ପିଲାଙ୍କୁ ନେଇ ସେଠାରେ କାମ ଯୋଗାଦେଇଥିଲେ।

୫ଦିନ ତଳେ ଉତ୍ତମ ଓ ବିରେନ୍ଦ୍ର ହଠାତ୍ ଅସୁସ୍ଥ ହେବା ସହ ମୃତ୍ୟୁବରଣ କରିଥିଲେ। ସମାନ ଲକ୍ଷଣ ଜ୍ଵର, କାଶ ଓ ପେଟବ୍ୟଥା ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ମୃତକଙ୍କ ଭାଇ ମନୋରଞ୍ଜନଙ୍କ ସମେତ ଅନ୍ୟ ୭ଜଣ ଅସୁସ୍ଥ ଥିବା ସୂଚନା ମିଳିଥିଲା।

ନିପା ଭାଇରସ୍‌ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା। ଏହାକୁ ନେଇ ଭୋଗରାଇ ସମେତ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥିଲା। ଏହାପରେ ସମ୍ପୃକ୍ତ ରୋଗୀ ଚିକିତ୍ସା କଟକ ଏସସିବିରେ କରାଯାଉଛି।

“ରାଜ୍ୟରେ ନିପା ଭାଇରସ୍ ଗୁଜବ ସୃଷ୍ଟି ହୋଇଛି। ତେଣୁ ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଏସସିବିରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପରୀକ୍ଷା ସବୁ କରାଯାଇଛି। ଡାକ୍ତରମାନେ ଏହା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ଏସସିବିରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ”, କହିଛନ୍ତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା।

Comment