ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିର ପୂର୍ବତନ ସାଂସଦ ଚନ୍ଦନ ମିତ୍ର ଶନିବାରଦିନ ତୃଣମୂଳ କଂଗ୍ରେରେ ଯୋଗ ଦେଇଛନ୍ତି।
ସଂସଦରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ମୋଦି ସରକାର ବିଜୟ ହାସଲ କରିବାର ଗୋଟିଏ ଦିନ ପରେ ମୋଦି ସରକାରଙ୍କ ଉପରେ ଜମେଇକି ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି।
ଶନିବାରଦିନ ପଶ୍ଚିମବଙ୍ଗରେ ସହିଦ ଦିବସ ଉପଲକ୍ଷେ ଆୟୋଜିତ ଏକ ରାଲିରେ ଯୋଗଦେଇ ମମତା ‘ମୋଦି ହଟାଅ, ଦେଶ ବଞ୍ଚାଅ’ ନାରା ଦେଇଥିଲେ।
ଏହି ରାଲିରେ ବିଜେପିକୁ ଏକ ଝଟକା ଲାଗିଛି। ବିଜେପି ନେତା ତଥା ପୂର୍ବତନ ସାଂସଦ ଚନ୍ଦନ ମିତ୍ର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଚନ୍ଦନ ମିତ୍ରଙ୍କ ସହ ପଶ୍ଚିମବଙ୍ଗ ବିଧାନସଭାର ୪ଜଣ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସର ହାତ ଧରିଛନ୍ତି।
ସହିଦ୍ ରାଲିରେ ଯୋଗଦେଇ ମମତା ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ଆଗାମୀ ଅଗଷ୍ଟ ୧୫ଠାରୁ ‘ମୋଦି ହଟାଓ, ଦେଶ ବଞ୍ଚାଅ’ ଅଭିଯାନ ଆରମ୍ଭ ହେବ। ୨୦୧୯ ନିର୍ବାଚନରେ ଟିଏମସି ପଶ୍ଚିମବଙ୍ଗରେ ସମସ୍ତ ୪୨ଟି ସିଟ୍ ଅକ୍ତିଆର କରିବ।”
ଚନ୍ଦନ ମିତ୍ର ଦ ପାଓନିୟର୍ ସମ୍ବାଦପତ୍ରର ପ୍ରବନ୍ଧ ନିର୍ଦ୍ଦେଶକ ତଥା ସମ୍ପାଦକ ଅଛନ୍ତି। ଗତ କିଛିଦିନ ତଳେ ଚନ୍ଦନ ମିତ୍ର ବିଜେପିରୁ ଇସ୍ତଫା ଦେଇଥିଲେ।
ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନିଙ୍କ ସହଯୋଗୀ ଭାବେ ଚନ୍ଦନ ମିତ୍ର ଜଣାଶୁଣା। କିନ୍ତୁ ମୋଦି-ଶାହଙ୍କ ଶାସନ କାଳରେ ସେ ଅଲୋଡ଼ା ହୋଇଯାଇଥିବାରୁ ବିଜେପି ଛାଡ଼ିଥିବା ଚର୍ଚ୍ଚା ହେଉଛି।
୨୦୦୩ ଏବଂ ୨୦୦୬ରେ ଦୁଇଥର ଚନ୍ଦନ ମିତ୍ର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ସେ ପରାଜିତ ହୋଇଥିଲେ। ଏହାସହ ମିତ୍ର ଓଡ଼ିଶା ବିଜେପିର ପ୍ରଭାରୀ ମଧ୍ୟ ରହିଥିଲେ।
ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ମମତା ବାନାର୍ଜୀଙ୍କ ସରକାରକୁ ସମାଲୋଚନା କରି ଆସୁଛନ୍ତି ମୋଦି ଏବଂ ଅମିତ ଶାହ। ଏଭଳିସ୍ଥଳେ ଚନ୍ଦନ ମିତ୍ର ଯୋଗ ଦେବା ଫଳରେ ରାଜ୍ୟରେ ତୃଣମୂଳ କଂଗ୍ରେସ ଆହୁରି ମଜବୁତ ହେବ ବୋଲି ଜଣାପଡ଼ିଛି।















