ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିବା ଯେତିକି ଚର୍ଚ୍ଚାର ବିଷୟ ଥିଲା ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ରାହୁଲଙ୍କ ଆଖିମରାକୁ ନେଇ।
ସଂସଦରେ ବିରୋଧୀ ଦଳଙ୍କ ପକ୍ଷରୁ ଆଗତ ଅନାସ୍ଥା ପସ୍ତାବ ଉପରେ ଆଲୋଚନା ସମୟରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିଥିଲେ। ଏହାପରେ ରାହୁଲ ନିଜ ଆସନରେ ବସି କାହାକୁ ଚାହିଁ ଆଖି ମାରୁଥିବା ବେଳର ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ମାଲାୟଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଏମିତି ଆଖିମାରି ସୋସିଆଲ ମିଡିଆର ହଇଚଇ ସୃଷ୍ଟି କରିଥିଲେ। ମାତ୍ର ୨୬ ସେକେଣ୍ଡର୍ ତାଙ୍କର ଏକ ଆଖିମରା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସେ ଦେଶରେ ବେଶ୍ ଚର୍ଚ୍ଚିତ ହୋଇଯାଇଥିଲେ।
ପ୍ରିୟାଙ୍କ ଆଖିମରା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତୁଳନା କରିବାରେ ଲାଗିଛନ୍ତି। ପ୍ରିୟାଙ୍କଠାରୁ ରାହୁଲ ବେଶୀ ଭଲ ଆଖି ମାରୁଛନ୍ତି ବୋଲି ସୋସିଆଲ୍ ମିଡିଆରେ ଟ୍ରୋଲ୍ ହୋଇଛି। ପ୍ରିୟାଙ୍କୁ ବି ରାହୁଲ ଟପିଯିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।
ଏପରିକି ପ୍ରିୟାଙ୍କ ଆଖିମରା ଫଟୋ ସହ ରାହୁଲଙ୍କର ଏକ ଆଖିମରା ଫଟୋକୁ ଯୋଡ଼ା ଯାଇ ସୋସିଆଲ୍ ମିଡିଆରେ ଛଡ଼ାଯାଇଛି। ସୋସିଆଲ୍ ମିଡିଆରେ ଏ ଦୁହିଁଙ୍କ ମଧ୍ୟରୁ କିଏ ଭଲ ଆଖି ମାରୁଛନ୍ତି ବୋଲି ପ୍ରଶ୍ନ ଉଠାଯାଇଛି।














