ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବଳ ବର୍ଷାରେ ପୁରୀ ସହରର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ। ବଡ଼ଦାଣ୍ଡ ସହ ଶରଧାବାଲି ଜଳାର୍ଣ୍ଣବ ହୋଇଛି। ପାଣି ଘେରରେ ମହାପ୍ରଭୁଙ୍କ ତିନି ରଥ।
ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ପ୍ରବଳ ବର୍ଷାରେ ପୁରୀ ସହରର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ। ରବିବାରଦିନ ମହାବାହୁଙ୍କର ବାହୁଡ଼ା ଯାତ୍ରା। ମାତ୍ର ପ୍ରବଳ ବର୍ଷାରେ ବଡ଼ଦାଣ୍ଡରେ ଜଳାର୍ଣ୍ଣବ। ବଡ଼ଦାଣ୍ଡ ସହ ଶରଧାବାଲି ପାଣିରେ ବୁଡ଼ି ରହିଛି। ବଡ଼ଦାଣ୍ଡର ନାକଚଣା ଦ୍ୱାର ନିକଟରେ ପାଣି ବୁଡ଼ି ରହିଛି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥ।

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ପୁରୀରେ ଗତକାଲି ଠାରୁ ଲଗାଣ ବର୍ଷା ଜାରି ରହିଛି। ପୁରୀ ସହରରେ ଲୋକଙ୍କ ଘର ଭିତରେ ପାଣି ପଶିଛି। ସହରର ସମସ୍ତ ଦୋକାନବଜାର ବନ୍ଦ ଥିବା ବେଳେ ବଡ଼ଦାଣ୍ଡଠାରୁ ଆରମ୍ଭ କରି ସିଦ୍ଧ ମହାବୀର ପାଟଣା, ଶରଧାବାଲି, ରାମଚଣ୍ଡି ସାହି ବାଲିକୁଦ ବସ୍ତି, ବଳିଆପଣ୍ଡା ବସ୍ତି, ମାରୁତିନଗର, ଚୁଡ଼ଙ୍ଗ ସାହି ପ୍ରଭୃତି ଅଞ୍ଚଳ ପାଣିରେ ବୁଡ଼ିଛି।
ଡ୍ରେନ୍ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାବେଳେ ବହୁ ଦୋକାନ ଭିତରେ ବି ପାଣି ପଶିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସାହି ଓ ଗଳି ରାସ୍ତାରେ ବର୍ଷା ପାଣିର ସୁଅ ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଯୋଗୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।














