ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୱାଟସଆପ୍‌ରେ ବାରମ୍ବାର ପ୍ରସାର କରାଯାଉଥିବା ଗୁଜବ ଓ ଏ ନେଇ ସୃଷ୍ଟି ହେଉଥିବା ସମସ୍ୟାକୁ ରୋକିବା ପାଇଁ ହ୍ୱାଟସଆପ୍‌ କମ୍ପାନି ଏକ ନୂଆ ଫିଚର୍‍ ଅପଡେଟ୍ କରିଛି।

ହ୍ୱାଟସଆପ୍‌ ଆଣିଛି ନୂଆ ଫିଚର। ଏହି ନୂଆ ଫିଚର୍‍ ଅନୁସାରେ ହ୍ୱାଟସଆପରେ ମେସେଜ୍‍ ଆସିଲେ ତାକୁ ସଙ୍ଗେ ସଙ୍ଗେ ଫର୍‍ୱାର୍ଡ଼ କରାଯାଇପାରିବ ନାହିଁ। ଏହା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିବ।

ଏହି ଫିଚର୍‍ ଆସିବା ପରେ ଭାରତୀୟ ବ୍ୟବହାରକାରୀ ଗୋଟିଏ ଥର କେବଳ ୫ଟି ଗ୍ରୁପ୍‍ରେ ହିଁ ମେସେଜ୍‍କୁ ଫର୍‍ୱାର୍ଡ଼ କରିପାରିବେ। ଏହା ଦ୍ୱାରା ଅତ୍ୟଧିକ ମେସେଜ, ଫଟୋ, ଭିଡିଓ ପଠାଯିବା ଉପରେ ରୋକ ଲାଗିବ।

ଅନେକ ସମୟରେ ସେୟାର କରାଯାଉଥିବା ଖବର ମିଛ ବୋଲି ମଧ୍ୟ ପ୍ରମାଣିତ ହୋଇଛି। କିଛି ଦିନ ହେଲା ଅନେକ ରାଜ୍ୟରେ ପିଲା ଚୋରି ସନ୍ଦେହରେ ଲୋକଙ୍କୁ ଆକ୍ରମଣ କରି ନିସ୍ତୁକ ମାଡ଼ ମରାଯାଇଛି। ଏପରିକି ଲୋକଙ୍କ ମାଡ଼ରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଛି।

ଏହା ପରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଏପରି ଖବର ରୋକିବାକୁ ହ୍ୱାଟସଆପ୍‌କୁ କହିଥିଲେ। ତେଣୁ ଯେମିତି କୌଣସି କଥା ଦ୍ରୁତ ଗତିରେ ଭାଇରାଲ୍ ନ ହୁଏ, ସେଥିପାଇଁ ଫରଓ୍ୱାର୍ଡ ମେସେଜ୍‌ରେ ଅଙ୍କୁଶ ଲଗାଇଛି।

ସାରା ପୃଥିବୀରେ ଭାରତୀୟମାନେ ହ୍ୱାଟସଆପ୍‌ରେ ଅଧିକ ମେସେଜ, ଫଟୋ ଓ ଭିଡିଓ ଫରଓ୍ୱାର୍ଡ କରିଥାନ୍ତି। ଭାରତରେ ଏବେ ୨୦କୋଟିରୁ ଅଧିକ ଲୋକ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି।

ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ସର୍ବାଧିକ ୨୫୬ ଜଣ ଲୋକ ରହିବା ବ୍ୟବସ୍ଥା ରହିଛି। ତେବେ ଦେଶରେ ହିଂସା ସୃଷ୍ଟି କରୁଥିବା ମେସେ୍‌ଜ ଗୁଡ଼ିକୁ ସାଧାରଣତଃ ୧୦୦ରୁ ଅଧିକ ସଦସ୍ୟ ରହିଥିବା ଏକାଧିକ ଗ୍ରୁପ୍‌ ମାଧ୍ୟମରେ ପ୍ରସାରିତ ହେଉଥିବା ନେଇ ସନ୍ଦେହ କରାଯାଉଛି।

ତେଣୁ କମ୍ପାନି ମେସେଜ୍‌ ଫରଓ୍ଵାର୍ଡ ନେଇ ଯେଉଁ କଟକଣାର ପରୀକ୍ଷଣ କରିବ ତାହା ସବୁ ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ଭାରତରେ ଫରଓ୍ଵାର୍ଡ ସୁଯୋଗ ଉପରେ ଅଧିକ କଟକଣା କରାଯିବ।

ନୂଆ ଫିଚର ଅନୁଯାୟୀ ଗୋଟିଏ ମେସେଜ୍‌କୁ ଜଣେ ବ୍ୟକ୍ତି କେବଳ ୫ ଥର ଫରଓ୍ଵାର୍ଡ କରିବା ସୁଯୋଗ ପାଇବ। ଏହାଏବେ ପରୀକ୍ଷଣ ପର୍ଯ୍ୟାୟରେ ଅଛି।

ଆଗାମୀ ଦିନରେ ଏହି କଟକଣା ସମସ୍ତଙ୍କ ପାଇଁ ଲାଗୁ ହେବ ବୋଲି କୁହାଯାଉଛି।

Comment