ଭାସ୍କର ପରିଛା

ଗୀତିକବିତା ସଂକଳନ, ତାହା ପୁଣି ଦ୍ଵିଭାଷିକ। ଶାଣ୍ଡିଲ୍ୟ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ‘ଜହ୍ନରୁ ଜଉଘର’ ଏହି ଦୃଷ୍ଟିରୁ ଏକ ବିରଳ ଘଟଣାକ୍ରମ। ପ୍ରେସକୁ ଯିବା ପୂର୍ବରୁ ଏହି ଗୀତିକବିତା ସଂକଳନର ହାର୍ଡ କପିଟି ଦେଖିବାର ସୁଯୋଗ ମିଳିଥିଲା ଏହି ସମୀକ୍ଷକକୁ। କଥା ଉଠିଥିଲା ‘ଜହ୍ନରୁ ଜଉଘର’ର ଇଂରେଜୀ ନାମକରଣ କ’ଣ ହୋଇପାରେ। ଶେଷରେ ଲାଟିନ ଶବ୍ଦର ଚୟନରେ ସମସ୍ୟାର ସମାଧାନ ହେଲା। ଦୀର୍ଘ ଦିନର ଅପେକ୍ଷା ପରେ ପୁସ୍ତକଟି ଏବେ ପାଠକଙ୍କ ହାତରେ।

ପ୍ରଫୁଲ୍ଲ ପଟ୍ଟନାୟକ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ଵୀକୃତିପ୍ରାପ୍ତ ଗୀତିକାର। ତାଙ୍କର କିଛି ଗୀତକୁ ନେଇ ଭୁବନେଶ୍ୱର ଦୂରଦର୍ଶନ ପକ୍ଷରୁ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।ତାଙ୍କର ଗୋଟିଏ ଗୀତିନାଟ୍ୟ ସମ୍ବଲପୁର ଆକାଶବାଣୀରୁ ମଧ୍ୟ ପ୍ରସାରିତ ହୋଇଥିଲା।

କବିଙ୍କର ଦୁଇ ଖଣ୍ଡି ପୁସ୍ତକ ପୂର୍ବରୁ ପ୍ରକାଶିତ। ‘ପ୍ରିୟ ପରାଗ’ ଆଧୁନିକ ଗୀତ,ଦେଶାତ୍ମବୋଧକ ଗୀତ, ପଲ୍ଲୀ, ଓଡ଼ିଶୀ ତଥା ଛାନ୍ଦର ସମନ୍ବିତ ସଂକଳନ ହୋଇଥିବାବେଳେ ‘ପୁଣ୍ୟ ପ୍ରତ୍ୟୁଷ’ ହେଉଛି ଭକ୍ତିଭାବନା ଉପରେ ଆଧାରିତ ଗୀତର ସଂକଳନ। ଏହିଭଳି ଦେଖିବାକୁ ଗଲେ ବିଭିନ୍ନ ଭାବରେ ଓ ବିଭିନ୍ନ ପ୍ରକାରର ଗୀତିକବିତା ସେ ଲେଖିଆସିଛନ୍ତି। ସେହି ଜୀବନ ତମାମ ସାଧନାର ଆଉ ଏକ ସୁଫଳ ‘ଜହ୍ନରୁ ଜଉଘର’।

ଗୀତିକବିତାରେ ପ୍ରତୀକ ଓ ରୂପକଳ୍ପର ବ୍ୟାପକ ବ୍ୟବହାର ଦୃଷ୍ଟିରୁ ‘ଜହ୍ନରୁ ଜଉଘର’ ଏକ ଚମତ୍କାର ନାମକରଣ,ଯେମିତିକି ଏଥିରେ ସ୍ଥାନିତ ପଚାଶଟି ନିର୍ବାଚିତ ଗୀତିକବିତା ମଧ୍ୟ ଚମତ୍କାରିତାର ପ୍ରମାଣ ବହନ କରେ।

କବି ଏହି କବିତାଗୁଡ଼ିକୁ ସମର୍ପଣ କରିଛନ୍ତି ସେଇମାନଙ୍କୁ ଯେଉଁମାନେ ‘ପ୍ରେମ ପାଇଁ ମରି ଆକାଶରେ ତରାସୁଛନ୍ତି ତାରା ହୋଇ।’ ତାଙ୍କ କହିବା ଅନୁଯାୟୀ ‘ପ୍ରୀତିରେ କେବଳ ଜୀବନଟା ଜୀଇଁ ହୁଏ।’ ଇଏ ନିଶ୍ଚିତ ଭାବେ ଏକ ସାର୍ବଜନୀନ ଅନୁଭବ, ଏକ ନିରହଙ୍କାର ସ୍ୱୀକୃତି। ଆଇ’ମା କାହାଣୀ ଢଙ୍ଗରେ ସଂକଳନର ଏକ କ୍ଷୁଦ୍ର ପୃଷ୍ଠଭୂମିକୁ ଅବତାରଣା କରିବା ଭିତରେ ଯେଉଁ ଅର୍ଦ୍ଧଶତଟି ଗୀତକବିତାକୁ ଏଠି ସଂକଳିତ କରାଯାଇଛି ସେ ସବୁ ନିଃସନ୍ଦେହରେ ଗୋଟିଏ ଗୋଟିଏ ଜୀବନବାଦୀ ମନ୍ତବ୍ୟ।

‘ଜହ୍ନରୁ ଜଉଘର’ ଗୀତିକବିତା ସଂକଳନ ନିର୍ମଳ ପ୍ରେମ ଓ ପ୍ରଣୟକୁ ନେଇ ଲିଖିତ କବିତାର ମାର୍ମିକ ପରିପ୍ରକାଶ। ଏଥିରେ ଭାବାବେଗ ରହିଛି, ଆତ୍ମସତ୍ତା ରହିଛି, ମୂଲ୍ୟବୋଧ ରହିଛି ଓ ରହିଛି ବଞ୍ଚିବାର ଦୁର୍ବାର ଅଭିଳାଷ। କବିତାର ଆତ୍ମାକୁ ଉପସ୍ଥାପନ କରିବାକୁ ଯାଇ ବିଭିନ୍ନ ପ୍ରକାର ଶବ୍ଦର ପ୍ରୟୋଗ କରିବା ଦିଗରେ ଏହା ଏକ ସଫଳ କୃତି।

ପ୍ରଣୟଠାରୁ ଅନୁରାଗ, ବିରହ ଠାରୁ ମିଳନ, ମାଟିରୁ ଆକାଶ, ନଦୀରୁ ପାହାଡ଼, ଇନ୍ଦ୍ରିୟରୁ ସୁଖାନୁଭୂତି ଏହିଭଳି କୌଣସି ଥିମ୍ ନାହିଁ ଯାହା କବିତା ଗୁଡିକରେ ଗୁଞ୍ଜରିତ ହୋଇନାହିଁ।

ଦୃଷ୍ଟାନ୍ତ ସ୍ୱରୂପ: ପାପ ବୋଲି ତୁମେ ଯାହାକୁ ଡ଼ରୁଛ/ସେ ତ ବୟସର ନିଶବଦ ଗୀତ/ନୀଳ ଆଷାଢ଼ର ପ୍ରଥମ ବରଷା – ସେ ଯେବେ ଝରିବ ନାହିଁ/ତନୁରେ କଦମ୍ବ ଫୁଟିବାର ସୁଖ – ତୁମେ ବା ପାଇବ କାହିଁ। କିମ୍ବା: ମୁଁ ଯାହା ପଢ଼ିଛି …’ହୃଦୟର ପାଠ’ – ସେ ଏକ ପୋଖତି ପକ୍ଷୀ/ପ୍ରୀତିର ବସାକୁ ଜଗି ବସିଥାଏ ଦିନ ରାତି ଡ଼େଣା ଟେକି/ସେ ଏମିତି ଏକ ମହାକାଶ ଯହିଁ ସଂଜବୁଡ଼ ନାହିଁ ହୁଏ/ଚାଲିଗଲ ସିନା ଶିଖାଇଲ ନାହିଁ ଭୁଲିବା କେମିତି ହୁଏ।

ପ୍ରାଗଭାଷାରେ ବିଶ୍ୱଭାରତୀର ପ୍ରାକ୍ତନ ପ୍ରଫେସର ଡ଼ଃ ନୀଳାଦ୍ରି ଭୂଷଣ ହରିଚନ୍ଦନ ଲେଖିଛନ୍ତି:ଏହି କବିତାଗୁଡିକ ଅନୁଭୁତିର ନିବିଡ଼ ସ୍ପର୍ଶରେ ରସୋଛ୍ୱଳ।

ପ୍ରତ୍ୟେକଟି କବିତାରେ ଭବାବେଗର ପ୍ରାଚୁର୍ଯ୍ୟ ରହିଛି। ତେଣୁ ଉତ୍ତରଳ, ପ୍ରାଣ ଛଳଛଳ, ଗାନଶୀଳ ପ୍ରବହମାନତା ସହିତ ସୁକୁମାର କବିତ୍ୱର ମଧୁର ସମନ୍ଵୟରେ ସମନ୍ଵିତ କ୍ଷୁଦ୍ର କବିତା ଗୁଡିକ ସହଜରେ ଶ୍ରୋତା ଓ ପାଠକର ହୃଦୟ ଭିତରକୁ ସଂଚରିତ ହୋଇଯାଏ।

‘ଜହ୍ନରୁ ଜଉଘର’ ନିଶ୍ଚିତଭାବେ ଏକ ମହତ ପ୍ରଚେଷ୍ଟା। ଭୁବନେଶ୍ୱରର ଅନ୍ୟତମ ପ୍ରକାଶନ ସଂସ୍ଥା ‘ନ୍ୟୁ ଲାଇଫ କ୍ରିଏସନ୍ସ’ ଦ୍ୱାରା ପ୍ରକାଶିତ ଦାମୀ କାଗଜରେ ଛପା ଏହି ସଂକଳନର ପ୍ରଚ୍ଛଦ ଓ ବର୍ଣ୍ଣ ବିନ୍ୟାସ କରିଛନ୍ତି ଜ୍ୟୋତିରଞ୍ଜନ ପଟନାୟକ।

ପାଖାପାଖି ଏକ ଶତ ପୃଷ୍ଠାର ଏହି ଗୀତିକବିତା ସଂକଳନ ଓଡ଼ିଆ ଗୀତିକବିତା କ୍ଷେତ୍ରରେ ଏକ ଜଲ୍ଲେଖଯୋଗ୍ୟ ଯୋଗଦାନ କହିଲେ ଅତ୍ୟୁକ୍ତି ହେବନାହିଁ।

ସଂକଳନଟିର ବିଶେଷତ୍ୱ ହେଉଛି ଯେ ନିଜେ ଶାଣ୍ଡିଲ୍ୟଙ୍କ ଦ୍ୱାରା ପ୍ରତିଟି ଗୀତିକବିତାର ଇଂରେଜୀ ଅନୁବାଦ କରାଯାଇଛି। ଉଭୟ ଭାଷାରେ କବିଙ୍କର ସମାନ ଦଖଲ ରହିଥିବା ହେତୁ ଅତି ସୁନ୍ଦର ଓ ସନ୍ତର୍ପଣତାର ସହ ସେ ଗୁଡିକୁ ଭାଷାନ୍ତର କରିପାରିଛନ୍ତି।

ପୁସ୍ତକରେ ଶେଷ ଭାଗରେ ପାରାଦୀପ ବନ୍ଦରରେ କାର୍ଯ୍ୟ କରିବା ସମୟରେ ସେ ପାଇଥିବା ବେଶ୍ କିଛି ପୁରସ୍କାର ଓ ସମ୍ମାନର ଫୋଟୋଚିତ୍ର ସହ ତାଙ୍କର ଅନ୍ୟ ସାହିତ୍ୟ କୃତିର ସମ୍ୟକ ବିବରଣୀ ରହିଛି। ସରଳ, ଭାବୋଦ୍ଦୀପକ ଓ ରୋଚକ ଶବ୍ଦର ବ୍ୟବହାର ସାଙ୍ଗକୁ ଏହିସବୁ ଗୀତିକବିତାର ପୃଷ୍ଠଭୂମି ହେଉଛି ଗ୍ରାମ୍ୟ ଜୀବନ ଓ ତାହାର ପରିବେଶ।

କେଉଁଠି କବିତାଗୁଡିକ ଗଭୀର ମନସ୍ତତ୍ତ୍ୱର ଅନୁଶୀଳନ ତ ଆଉ କେଉଁଠି ଦାର୍ଶନିକତାର ପ୍ରତିଫଳନ। ରୋମାଣ୍ଟିକ ଚେତନାର ଗୋଟିଏ ସୂତ୍ରରେ ବନ୍ଧା ଏହି ସବୁ ଗୀତିକବିତା ପଢ଼ିବାକୁ ନିଶ୍ଚିତରେ ଭଲ ଲାଗିବ। ……………………………………………………………… ‘ଜହ୍ନର ଜଉଘର’ (From Luna to Lac-House)

କବି ଶାଣ୍ଡିଲ୍ୟ ପ୍ରଫୁଲ୍ଲ ପଟ୍ଟନାୟକ

ନ୍ୟୁ ଲାଇଫ କ୍ରିଏସନ୍ସ,

ବମିଖାଲ, ଭୁବନେଶ୍ୱର

ମୂଲ୍ୟ 150 ଟଙ୍କା

1 COMMENT

  1. ସମୀକ୍ଷାଟି ସୁନ୍ଦର ହେଇଛି।ଜଣା ପଡୁଛି ସମୀକ୍ଷକ ସଂକଳନରୁ ନିସୃତ ରସ ସମୂହ ଭିତରେ ସଂପୂର୍ଣ୍ଣ ଭାବେ ବୁଡିଯାଇ ନିଜକୁ ରସୋଚ୍ଛଳ କରିଦେଇଛନ୍ତି।ଏହି ସମୀକ୍ଷାଟି “ଜହ୍ନରୁ ଜଉଘର”ଭିତରେ ପ୍ରବେଶ କରିବା ପାଇଁ ସାହିତ୍ୟ ପ୍ରେମୀ ବନ୍ଧୁବର୍ଗଂକୁ ଉତ୍ସାହ ପ୍ରଦାନ କରିବ।ଭାସ୍କର ପରିଚ୍ଛାଂକୁ ଅଶେଷ ସାଧୁବାଦ।

Comment