ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ତିନି ରଥରେ ଶ୍ରୀମନ୍ଦିର ଅଭିମୁଖେ ଆଜି ବାହୁଡ଼ିବେ ମହାପ୍ରଭୁ ଜଗନ୍ନାଥ। ଆଡ଼ପମଣ୍ଡପରେ ଶନିବାର ଭକ୍ତମାନେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରିବା ପରେ ଏବେ ବାହୁଡ଼ାଯାତ୍ରାର ପ୍ରସ୍ତୁତି ଚାଲିଛି। ରବିବାର ଭୋର୍‌ରୁ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥରେ ବିଜେ କରିବେ ଶ୍ରୀଜୀଉ।

ଭୋର୍‌ ୪ଟାରୁ ଆଡ଼ପମଣ୍ଡପରେ ଆରମ୍ଭ ହେବ ନୀତିକାନ୍ତି

ଆଡ଼ପ ମଣ୍ଡପରେ ୭ ଦିନ ଅବସ୍ଥାନ କରିବା ପରେ ରବିବାର ଦିନ ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବ ତିନି ରଥ। ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଅପେକ୍ଷା କରିଛନ୍ତି ତିନି ରଥ। ରବିବାର ଆଡ଼ପମଣ୍ଡପରେ ଖେଚୁଡ଼ି ଭୋଗ ଖାଇ ମହାପ୍ରଭୁ ରଥରେ ବିଜେ କରିବେ।

ସକାଳ ୪ଟାରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ ନୀତି ଅନୁଷ୍ଠିତ ହେବ। ଏହାପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଶେଷ ହେବା ପରେ ସେବାୟତମାନେ ମହାପ୍ରଭୁଙ୍କୁ ବେଶ କରିବେ। ଏହାପରେ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ଅନୁଷ୍ଠିତ ହେବ। ସେନାପଟା ଲାଗି ପରେ ମଙ୍ଗଳାର୍ପଣ କରାଯିବ। ପରେ ମସ୍ତକରେ ଟାହିଆ ପିନ୍ଧାଯିବା ପରେ ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ। ଛେରାପହଁରା ନୀତି ପରେ ରଥଟଣା ଆରମ୍ଭ ହେବ।

ଫେରିବା ବାଟରେ ମହାପ୍ରଭୁଙ୍କୁ ମାଉସୀ ମା’ ମନ୍ଦି ନିକଟରେ ପୋଡ଼ପିଠା ଭୋଗ ଲାଗି କରାଯିବ। ଶ୍ରୀନଅର ସମ୍ମୁଖରେ ଗଜପତି ମହାରାଜ ଲକ୍ଷ୍ମୀନାରାୟଣ ଭେଟ କରାଇବେ। ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ଯିବା ପରେ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟକୁ ଯିବ।

ଏପଟେ ଲଗାଣ ବର୍ଷାରେ ଜଳବନ୍ଦୀ ହୋଇଯାଇଛି ତିନି ରଥ। ଜିଲ୍ଲା ପ୍ରଶାସନ ତରଫରୁ ପମ୍ପ ଲଗାଯାଇ ବର୍ଷାପାଣି ନିଷ୍କାସନ କରାଯାଉଛି। ବାହୁଡ଼ାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପୂରା ଦମ୍‌ରେ ଲାଗିପଡ଼ିଛି। ବର୍ଷା ସତ୍ତ୍ୱେ ବହୁ ଶ୍ରଦ୍ଧାଳୁ ଶନିବାର ମହାପ୍ରଭୁଙ୍କୁ ସାନ୍ଧ୍ୟ ଦର୍ଶନ କରିଛନ୍ତି।

ବାହୁଡ଼ାଯାତ୍ରାରେ ୧୪୦ ପ୍ଲାଟୁନ୍ ପୋଲିସ ଫୋର୍ସ

ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି କରାଯାଇଛି। ପୁରୀରେ ୧୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ୧ ହଜାର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ସେହିପରି ୨ ହଜାର ହୋମଗାର୍ଡ, ୨ ୟୁନିଟ୍ ଆର୍‌ପିଏଫ୍, ୨ ୟୁନିଟ୍ ଏସ୍‌ଟିଏଫ୍‌ ଏବଂ ୨ ୟୁନିଟ୍ ଏନଏସ୍‌ଜି ପୁରୀରେ ନିୟୋଜିତ ହେବେ। ପୁରୀରୁ ପିପିଲି ୱାନୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

Comment