ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଦ୍ରାବାଦ ସହରକୁ ଭିକାରିମୁକ୍ତ କରିବା ଲାଗି ପୋଲିସ, ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥାର ମିଳିତ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ଭିକାରିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଭିକ ମାଗିବାରୁ ନିବୃତ୍ତ କରାଯିବା ସହ ଥଇଥାନ କେନ୍ଦ୍ରରେ ରଖାଯାଇଛି।
ଖୁବ ଶୀଘ୍ର ଭିକାରିମୁକ୍ତ ହେବ ହାଇଦ୍ରାବାଦ। ସହରକୁ ଭିକାରିମୁକ୍ତ କରିବା ଲାଗି ସରକାରୀ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ଗତ ୧୦ ମାସ ମଧ୍ୟରେ ପ୍ରାୟ ୯୦୦୦ ଭିକାରିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଭିକ ମାଗିବାରୁ ନିବୃତ୍ତ କରାଯିବା ସହିତ ଥଇଥାନ କେନ୍ଦ୍ରରେ ରଖାଯାଇଛି। ପ୍ରାୟ ୩୦୦ ବାସହୀନ ଭିକାରିଙ୍କୁ ଶିକ୍ଷା ଦିଆଯିବା ସହିତ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦିଆଯାଇଛି। ଏହି ଅଭିଯାନ ସଫଳ ହେବା ପରେ ତେଲେଙ୍ଗାନାର ଅନ୍ୟାନ୍ୟ ସହରକୁ ମଧ୍ୟ ଭିକାରିମୁକ୍ତ କରିବାକୁ ସରକାରୀ ଭାବେ ନିଷ୍ପତ୍ତି ନିଆଯାଇଛି ।
ହାଇଦ୍ରାବାଦକୁ ଭିକାରିମୁକ୍ତ କରିବା ଲାଗି ଗତବର୍ଷ ଅକ୍ଟୋବର ମାସରେ ଅଭିଯାନ ଆରମ୍ଭ ହୋଇଥିଲା। ପୋଲିସ ଏବଂ ଜେଲ ବିଭାଗ, ପୌର ପ୍ରଶାସନ ଏବଂ କେତେକ ସ୍ୱେଚ୍ଛାସେବୀ ସଂସ୍ଥା ମିଳିତ ଭାବେ ଏଥିରେ ଭାଗ ନେଇଥିଲେ।
୨୦୧୭ ନଭେମ୍ବରରେ ହାଇଦ୍ରାବାଦରେ ହେବାକୁ ଥିବା ଗ୍ଲୋବାଲ ଏଣ୍ଟରପ୍ରିନ୍ୟୁଅରସିପ୍ ସମିଟ୍ ବା ବିଶ୍ୱ ଔଦ୍ୟୋଗିକ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଶିଖର ସମ୍ମିଳନୀରେ ଦେଶବିଦେଶର ବହୁ ନେତାଙ୍କ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍ ମଧ୍ୟ ଯୋଗ ଦେଇଥିଲେ। ଏହାକୁ ଆଖିରେ ରଖି ସହରରୁ ଭିକାରିମାନଙ୍କୁ ନିଆଯାଇ ଥଇଥାନ କରାଯାଇଥିଲା। ସେତେବେଳେ ପ୍ରାୟ ୫ ହଜାର ଭିକାରିଙ୍କୁ ଦୁଇଟି ଜେଲ୍ ପରିସରରେ ଥଇଥାନ କରାଯାଇଥିଲା।
ଭିକାରିମାନଙ୍କୁ ଠାବ କରିବା ପାଇଁ ପୋଲିସ ପକ୍ଷରୁ ଚାଲିଥିବା ଏହି ଅଭିଯାନରେ ଲୋକଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ହୋଇଥିଲା। ଭିକାରିଙ୍କ ସଂପର୍କରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ପାଞ୍ଚଶହ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଏକ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ମୁଖ୍ୟତଃ ଜେଲ୍ ବିଭାଗ ଏବଂ ପୌର ନିଗମର ଏହି ଉଦ୍ୟମ ସେତେବେଳେ ବେଶ ସଫଳ ହୋଇଥିଲା। ସହରର ବିଭିନ୍ନ ଟ୍ରାଫିକ୍ ଛକରେ ଭିକାରିମାନଙ୍କୁ ଦେଖିବାକୁ ମିଳିନଥିଲା ।
ଶିଖର ସମ୍ମିଳନୀ ସରିବା ପରେ ବି ଏହି ଅଭିଯାନ ଚାଲୁ ରହିଛି। ଜେଲ୍ ବିଭାଗର ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ୯ ହଜାର ଭିକାରିଙ୍କୁ ଠାବ କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ପୁରୁଷ ଭିକାରିଙ୍କୁ ଚଞ୍ଚଲଗୁଡ଼ା ଜେଲ୍ ପରିସର ଏବଂ ମହିଳା ଭିକାରିଙ୍କୁ ଚାର୍ଲାପାଲି ଜେଲ୍ ପରିସରରେ ରଖାଯାଇଛି। ଅଧିକାଂଶ ଭିକାରିଙ୍କ ଠିକଣା ମିଳିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ଏବଂ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। କିନ୍ତୁ ପ୍ରାୟ ୩୦୦ ବାସହୀନ ଭିକାରିଙ୍କୁ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ଦିଆଯାଇ କର୍ମନିଯୁକ୍ତି ପ୍ରଦାନ କରାଯାଇଛି।
ଆମ ଦେଶରେ ଭିକ୍ଷାବୃତ୍ତି ବିରୋଧୀ ଏକକ ଆଇନ ନଥିଲେ ହେଁ ମୋଟ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭିକ ମାଗିବା ବେଆଇନ ଘୋଷଣା କରାଯାଇଛି। ରାଜ୍ୟ ସରକାର ଏ ଦିଗରେ ନିଜସ୍ୱ ଆଇନ ପ୍ରଣୟନ କରିଛନ୍ତି। ଏହି ସମସ୍ତ ଆଇନ ୧୯୫୯ ମସିହାରେ ପ୍ରଣୀତ ବମ୍ବେ ଭିକ୍ଷାବୃତ୍ତି ନିରୋଧୀ ଆଇନ ଉପରେ ପର୍ଯ୍ୟବେସିତ। କିନ୍ତୁ ଦାରିଦ୍ର୍ୟ ହାରକୁ ଦୃଷ୍ଟିରେ ରଖି ଭିକ୍ଷାବୃତ୍ତି ବିରୋଧୀ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ଦିଗରେ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ।
ଏହାର ସୁଯୋଗ ନେଇ ବଡ଼ ବଡ଼ ସହରଗୁଡ଼ିକରେ ଭିକାରିମାନଙ୍କର ରାକେଟ ଚାଲି ଆସୁଛି। ସଂଗଠିତ ଭାବେ ଚାଲିଥିବା ଏଭଳି ବେଆଇନ ରାକେଟରେ ଛୋଟପିଲା ଓ ମହିଳାମାନଙ୍କୁ ନିୟୋଜିତ କରାଯାଇଆସୁଛି। ଏହାବ୍ୟତୀତ ବିଭିନ୍ନ କାରଣରୁ ବିକଳାଙ୍ଗ ଓ ବୃଦ୍ଧବୃଦ୍ଧାମାନେ ଭିକ୍ଷାବୃତ୍ତିକୁ ଆଦରି ନେବାକୁ ବାଧ୍ୟ ହେଉଛନ୍ତି।
ଏଭଳି ସ୍ଥିତିରେ ହାଇଦ୍ରାବାଦ ଭଳି ସହରକୁ ଭିକାରିମୁକ୍ତ କରିବା ସହଜସାଧ୍ୟ ନୁହେଁ। କିନ୍ତୁ ଗତ ୧୦ ମାସ ମଧ୍ୟରେ ଭିକାରିମୁକ୍ତ ଅଭିଯାନକୁ ମିଳିଥିବା ସଫଳତା ବେଶ ପ୍ରଶଂସନୀୟ। ସାରା ରାଜ୍ୟରେ ଭିକାରିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜେଲ୍ ଭିତରେ ରଖିବା ଲାଗି ବ୍ୟବସ୍ଥା କରିବାକୁ ଜେଲ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ତେଲଙ୍ଗାନା ସରକାର ଏହାକୁ ଗ୍ରହଣ କରିନାହାନ୍ତି।
ଭିକାରିମାନଙ୍କୁ ଧରି ନେଇ ଜେଲରେ ରଖିବା ଠିକ ହେବ ନାହିଁ ଏବଂ ଏହାଦ୍ୱାରା ସମସ୍ୟାର ସ୍ଥାୟୀ ସମାଧାନ ହେବନାହିଁ ବୋଲି ରାଜ୍ୟ ସରକାର ମତ ଦେଇଛନ୍ତି। ଭିକାରିମାନଙ୍କୁ ଜେଲ୍ରେ ରଖିଲେ ମାନବ ଅଧିକାର ଉଲ୍ଲଂଘନର ପ୍ରଶ୍ନ ଉଠିବ ଏବଂ ରାଜ୍ୟର ଭାବମୂର୍ତ୍ତି ଉପରେ ଆଞ୍ଚ ଆସିବ ବୋଲି ସରକାର କହିଛନ୍ତି। କିନ୍ତୁ ଭିକାରିମାନଙ୍କ ଥଇଥାନ ଏବଂ ପୁନର୍ବାସ ଦିଗରେ ଖୁବ ଶୀଘ୍ର ଏକ ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ କରିବାକୁ ସରକାର ସ୍ଥିର କରିଛନ୍ତି। ଯୋଜନାର ରୂପରେଖ ପ୍ରସ୍ତୁତି କରିବାକୁ ଗୃହ ଏବଂ ପୌର ପ୍ରଶାସନ ବିଭାଗକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ସ୍ଥିର କରାଯାଇଛି ।
ଯୋଜନା ପ୍ରସ୍ତୁତ ହୋଇନି ସତ, କିନ୍ତୁ ହାଇଦ୍ରାବାଦକୁ ଭିକାରି ମୁକ୍ତ କରିବା ଅଭିଯାନ ବେଶ ସଫଳ ହୋଇଛି। ଇଭାଙ୍କା ଟ୍ରମ୍ପ୍ଙ୍କ ହାଇଦ୍ରାବାଦ ଗସ୍ତକୁ ଆଖିରେ ରଖି ସରକାର ଭିକାରିମାନଙ୍କୁ ହଟାଉଛନ୍ତି ବୋଲି ସେତେବେଳେ ସମାଲୋଚନା କରାଯାଇଥିଲା। କିନ୍ତୁ ଏବେ ଏହି ସମାଲୋଚକମାନେ ନିରବ ହୋଇଯାଇଛନ୍ତି।















