ଓଡ଼ିଶାଲାଇଭ୍‌ ବ୍ୟୁରୋ୍

କୁଆଖାଇ ନଦୀକୁ ଡେଇଁଲେ ଯୁବତୀ। ଭୁବନେଶ୍ୱରର ହଂସପାଳ ନିକଟରେ କୁଆଖାଇ ନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଥିଲେ। ବହୁ ଖୋଜାଖୋଜି ପରେ ମହିଳାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଟଙ୍କପାଣି ରୋଡ ନିକଟ ନଦୀରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ମହିଳା ଜଣକ ନୂଆପଲ୍ଲୀ ବେହେରା ସାହି ଅଞ୍ଚଳର ବୋଲି ଜଣାପଡ଼ିଛି।

ଯୁବତୀ ଜଣକ ଏକ ଗାଡ଼ିରେ ଆସି ବ୍ରିଜ୍ ଉପରେ ଗାଡ଼ି ରଖିଥିଲେ। ପରେ ନଦୀକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି। ମହିଳା ଜଣଙ୍କ ପୋଲ ଉପରେ ଗାଡ଼ି ରଖି ନଦୀକୁ ଡେଇଁବା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ କିଛି ନ ଶୁଣି ନଦୀକୁ ଡେଇଁ ପଡ଼ିଥିଲେ। ନଦୀରେ ସୁଅ ଥିବାରୁ ସେ ଭାସି ଯାଇଥିଲେ।

ଖବର ପାଇ ଯୁବତୀଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଥିଲେ। ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁଇଘଣ୍ଟା ଧରି ଖୋଜାଖୋଜି ପରେ ଟଙ୍କପାଣି ରୋଡ ନିକଟ ନଦୀରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

ତେବେ କ’ଣ ପାଇଁ ଯୁବତୀ ଜଣଙ୍କ ନଈକୁ ଡେଇଁଲେ ତା’ର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ମହିଳା ଜଣଙ୍କ ସ୍ବାମୀଙ୍କ ସହ ଝଗଡା କରି ନଦୀକୁ ଡେଇଁ ପଡ଼ିଥିବା କୁହାଯାଉଛି।

Comment