ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡେଲିଉଡ୍‌ ମିଷ୍ଟର-ମିସେସ୍‌ ଏବଂ ମିସ୍‌ ଇଣ୍ଡିଆ ପ୍ରତିଯୋଗିତା-୨୦୧୮ରେ ଟାଇଟଲ ବିଜୟିନୀ ହୋଇଛନ୍ତି ଓଡ଼ିଆ ଝିଅ ଋତୁ ସନ୍ତୁକା।

ବିଉଟି ପ୍ୟାଜେଣ୍ଟ କ୍ଷେତ୍ରରେ ଓଡ଼ିଶାକୁ ଗୋଟିଏ ପରେ ଗୋଟିଏ ଟାଇଟଲ ମିଳୁଥିବା ବେଳେ ଏବେ ଏଥିରେ ଯୋଡ଼ିହୋଇଯାଇଛି ଆଉ ଏକ ସଫଳତା।

ଜୁଲାଇ ୧୯ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଡେଲିଉଡ୍‌ ମିଷ୍ଟର-ମିସେସ୍‌ ଏବଂ ମିସ୍‌ ଇଣ୍ଡିଆ ପ୍ରତିଯୋଗିତା-୨୦୧୮ରେ ଡେଲିଉଡ୍‌ ମିସ୍‌ ଇଣ୍ଡିଆ ଟାଇଟଲ ଜିତିଛନ୍ତି ଋତୁ ସନ୍ତୁକା।

କଟକରେ ଜନ୍ମିତ ଋତୁ ସନ୍ତୁକା ଏହି ଜାତୀୟ ସ୍ତରୀୟ ପ୍ୟାଜେଣ୍ଟରେ ଡେଲିଉଡ୍‌ ମିସ୍‌ ଇଣ୍ଡିଆ ଟାଇଟଲ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ସମଗ୍ର ଦେଶରୁ ଅଂଶଗ୍ରହଣ କରିଥିବା ୧ ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ଟାଇଟଲ ଜିତିଛନ୍ତି। ଏହାସହ ଋତୁ ‘ମୋଷ୍ଟ ଇଣ୍ଟରନ୍ୟାଶନାଲ ଲୁକ୍‌’, ‘ମୋଷ୍ଟ ବିଉଟିଫୁଲ୍‌’ ଏବଂ ‘ଡେଲିଉଡ୍‌ ମିସ୍‌ ଓଡ଼ିଶା ଟାଇଟଲ’ ମଧ୍ୟ ଜିତିଛନ୍ତି।

ଜୁଲାଇ ୧୫ରୁ ୧୯ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାର ବିଭିନ୍ନ ପର୍ଯ୍ୟାୟ ୪ମାସ ଧରି ଚାଲିଥିଲା। ଦିଲ୍ଲୀ ଗ୍ରାଣ୍ଡ ଫିନାଲେକୁ ବିଭିନ୍ନ ରାଜ୍ୟରୁ ୧୫୦ଜଣ ପ୍ରତିଯୋଗୀ ମନୋନୀତ ହୋଇଥିବା ବେଳେ ଋତୁଙ୍କ ସହ ଓଡ଼ିଶାରୁ ଆଉ ଦୁଇଜଣ ମଧ୍ୟ ମନୋନୀତ ହୋଇଥିଲେ। ହେଲେ ନିଜ ସୌନ୍ଦର୍ଯ୍ୟ ଓ ବୁଦ୍ଧିମତ୍ତା ବଳରେ ଋତୁ କେବଳ ରାଜ୍ୟ ପର୍ଯ୍ୟାୟରେ ନୁହେଁ, ବରଂ ଗ୍ରାଣ୍ଡ ଫିନାଲେରେ ମଧ୍ୟ କରିସ୍ମା ଦେଖାଇଥିଲେ।

ପିଲାବେଳୁ ମଡେଲିଂ ପ୍ରତି ତାଙ୍କର ଦୁର୍ବଳତା ଥିଲା। ପ୍ରଥମ ଥର ପାଇଁ ଯେବେ ଏକ ବିଉଟି ପ୍ୟାଜେଣ୍ଟରେ ଭାଗନେଲେ, ସେଠି ବିଜୟୀ ହୋଇ ଘରକୁ ଆସିଲେ।

କଟକର ଇତିଶ୍ରୀ ସନ୍ତୁକା ଓ କମଳ ସନ୍ତୁକାଙ୍କ ଝିଅ ଋତୁ ଏବେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବି.ଟେକ୍‌ ପଢ଼ୁଥିବା ବେଳେ ଆଗକୁ ମିସ୍‌ ଇଣ୍ଡିଆ ଏବଂ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗନେବାକୁ ଲକ୍ଷ୍ୟ ରଖିଛନ୍ତି।

Comment