ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନରେ ସ୍ଥିତି ଏମିତି ଯେ ଗୋମୂତ୍ରର ଦର କ୍ଷୀରଠାରୁ ବି ଅଧିକ। ଗୋମୂତ୍ର ଯୋଗୁଁ ଡାଏରୀ ଫାର୍ମ କାରବାର ୩୦ ପ୍ରତିଶତ ବୃଦ୍ଧି ପାଇଛି। ତରଳ ସୁନାର ଆଖ୍ୟା ପାଇଲାଣି ଗୋମୂତ୍ର।
କେବେ ଗୋଚାଲାଣ ତ ଆଉ କେବେ ଗୋହତ୍ୟା। କେବେ ବେଆଇନ ଗୋରୁଚାଲାଣକୁ କେନ୍ଦ୍ର କରି ତ କେବେ ଗୋମାଂସ ରଖିବା ଅଭିଯୋଗକୁ କେନ୍ଦ୍ର କରି ହିଂସାକାଣ୍ଡ। ଗଣମାଧ୍ୟମରେ କିଛିବର୍ଷ ହେଲା ଚର୍ଚ୍ଚାରେ ରହିଆସିଛି ଗାଈ।
ଗୋସୁରକ୍ଷା ଓ ଗୋବଂଶ ବୃଦ୍ଧି ଦିଗରେ ସରକାରୀ ଓ ବେସରକାରୀ ଉଦ୍ୟମ କରାଯାଉଛି। ମଣିଷ ପ୍ରତି ଗାଈର ଅବଦାନକୁ ସାର୍ବଜନୀନ ସ୍ୱୀକୃତି ଦେବା ପାଇଁ ଅନେକ ସଂଗଠନ କାର୍ଯ୍ୟରତ ଅଛନ୍ତି। ଏବେ ଏହି ଅବଦାନର ତାଲିକାରେ ଯୋଡ଼ି ହୋଇଯାଇଛି ଆଉ ଏକ ପ୍ରସଙ୍ଗ – ଗୋମୂତ୍ର। ଗୋମୂତ୍ରର ପବିତ୍ରତା ଏବଂ ଉପକାରିତା ଭିତ୍ତିରେ ଏହାର କାରବାର ବି ବଢ଼ିବାରେ ଲାଗିଛି। ରାଜସ୍ଥାନରେ ସ୍ଥିତି ଏମିତି ଯେ ଗୋମୂତ୍ରର ଦର କ୍ଷୀରଠାରୁ ବି ଅଧିକ।
ନକାରାତ୍ମକ ଶକ୍ତିର ନାଶ କରିଥାଏ ଗୋମୂତ୍ର। କର୍କଟ ଭଳି ଗୁରୁତର ବ୍ୟାଧିରୁ ମୁକ୍ତି ଦେଇଥାଏ। ଜୈବିକ କୃଷି କ୍ଷେତ୍ରରେ ମଧ୍ୟ ଗୋମୂତ୍ରର ଉପଯୋଗିତା ରହିଛି। ଯେବେଠାରୁ ଗୋମୂତ୍ରର ଏହି ସବୁ ଧାର୍ମିକ, ଔଷଧୀୟଏବଂ କୃଷି ସଂପର୍କିତ ମହତ୍ତ୍ୱ ଜଣାପଡ଼ିଲାଣି ସେବେଠାରୁ ବଜାରରେ ଏହାର ଚାହିଦା ବଢ଼ିବାରେ ଲାଗିଛି।
ରାଜସ୍ଥାନରେ ଗୋମୂତ୍ର ଖୋଜିବାକୁ ଆଉ ଗୁହାଳ କି ଗୋଶାଳା ଯିବାକୁ ପଡୁନାହିଁ। ବୋତଲରେ ଗୋମୂତ୍ର ମିଳୁଛି। ତା ବି ସାଧାରଣ ତେଜରାତି ଦୋକାନରେ। ଫଳରସ କି ଅନ୍ୟ ପୌଷ୍ଟିକ ପାନୀୟ ଭଳି ବୋତଲରେ ବିକ୍ରି ହେଉଛି ଗୋମୂତ୍ର। ଲିଟର ପିଛା ଦର ୧୫ରୁ ୩୦ ଟଙ୍କା। କିନ୍ତୁ କ୍ଷୀର ଲିଟର ପିଛା ୨୨ରୁ ୨୫ ଟଙ୍କା।
ଡାଏରୀ ଫାର୍ମ ମାଲିକମାନଙ୍କ କହିବା ଅନୁସାରେ କ୍ଷୀରକୁ ବଳିଗଲାଣି ଗୋମୂତ୍ର କାରବାର। ଗୋମୂତ୍ର ଯୋଗୁଁ ମୋଟ କାରବାରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ହେଲାଣି। କେହି କେହି ତ ଏହାକୁ ‘ତରଳ ସୁନା’ ବୋଲି କହିଲେଣି।
କେବଳ ଯେ ଧାର୍ମିକ ଭାବନାରୁ ବା ପୂଜାପାଠ ପାଇଁ ଲୋକେ ଗୋମୂତ୍ର କିଣୁଛନ୍ତି, ତାହା ନୁହେଁ, ବରଂ ବିଜ୍ଞାନସମ୍ମତ ଭାବେ ଜୈବିକ କୃଷି କ୍ଷେତ୍ରରେ କୀଟନାଶକ ପ୍ରସ୍ତୁତି ପାଇଁ ବି ଗୋମୂତ୍ର କିଣାଯାଉଛି। ଉଦାହରସ୍ୱରୂପ, ଜୈବିକ ଚାଷ ପାଇଁ ଉଦୟପୁରର ମହାରାଣା ପ୍ରତାପ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତି ମାସରେ ପନ୍ଦରରୁ କୋଡ଼ିଏ ହଜାର ଟଙ୍କାର ଗୋମୂତ୍ର କିଣାଯାଉଛି। ଆଉ କେହି କେହି କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ଯଦିଓ ଅଧିକାଂଶ ଚିକିତ୍ସା ବିଜ୍ଞାନୀଙ୍କ ମତରେ ଗୋମୂତ୍ରରେ ଏଭଳି କୌଣସି ରୋଗନାଶକ ଗୁଣ ନାହିଁ, ତଥାପି ରୋଗୀମାନେ ବିଶ୍ୱାସରେ ଗୋମୂତ୍ର ବ୍ୟବହାର କରୁଛନ୍ତି।
ମୋଟାମୋଟି କହିବାକୁ ଗଲେ ଗୋମୂତ୍ର ଏବେ ସାଇତି ରଖିବା ଭଳି ପଦାର୍ଥ। କିନ୍ତୁ ଗୋମୂତ୍ର ସଂଗ୍ରହ କରିବା ବି ସହଜ ନୁହେଁ। ଗୋପାଳକମାନଙ୍କ କହିବା ଅନୁସାରେ ଏଥିପାଇଁ ଗୋଶାଳାରେ ରାତି ଅନିଦ୍ରା ହୋଇରହିବାକୁ ପଡ଼େ। ଗୋମୂତ୍ର ତଳେ ପଡ଼ି ନଷ୍ଟ ହୋଇଯିବାର ଆଶଙ୍କା ଥିବାରୁ ସଂଗ୍ରାହକଙ୍କୁ ସଜାଗ ରହିବାକୁ ହୁଏ। ଦିନକୁ ଦିନ ବଢୁଥିବା ଗୋମୂତ୍ରର ଦର ଏବଂ ଚାହିଦା ଦେଖିଲେ ଏହି ପରିଶ୍ରମ ସାର୍ଥକ ହେଉଥିବା ମନେହୁଏ।
ଆଗରୁ ଡାଏରୀ ଫାର୍ମରେ ଗୋବର ବିକ୍ରି ହେଉଥିଲା। ଆଜିକାଲି ଗୋବରରୁ ପ୍ରସ୍ତୁତଘଷି ଅନ୍ଲାଇନ ମାର୍କେଟରେ ମିଳୁଛି। ୬ଟା ଘଷିକୁ ୨୧୫ ଟଙ୍କା। ଗୋମୂତ୍ର ବି ମିଳିଲାଣି। ୨୦୦ ମିଲିଲିଟର ବୋତଲକୁ ୧୮୯ ଟଙ୍କା। ବାସ୍ତବରେ, ତରଳ ସୁନାର ରୂପ ନେଲାଣି ଗୋମୂତ୍ର।














