ଓଡ଼ିଶାଲାଇଭ୍‌ ବ୍ୟୁରୋ

ରସଗୋଲା ଓଡ଼ିଶାର। ଏହି ଦାବି ଜିଆଇ କର୍ତ୍ତୃପକ୍ଷଙ୍କ ପାଖରେ ଉଠାଇବା ପାଇଁ ଓଡ଼ିଶା ସରକାର ପ୍ରମାଣପତ୍ର ଯୋଗାଡ଼ରେ ଲାଗି ପଡ଼ିଥିଲେ। ହେଲେ ସେ କାଗଜପତ୍ର କୁଆଡ଼େ ଗଲା ତାକୁ ନେଇ ଉଠିଛି ପ୍ରଶ୍ନ।

ରସଗୋଲାର ଉତ୍ପତ୍ତିକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ଭିତରେ ଅଢେଇ ବର୍ଷ ଧରି ବିବାଦ ଚାଲି ଆସିଥିଲେ ହେଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଭୌଗୋଳିକ ପରିଚୟ ବା ଜିଆଇ ଟ୍ୟାଗ ପାଇଁ ଆଵଶ୍ୟକୀୟ କାଗଜପତ୍ର ଏଯାଏଁ ଦାଖଲ ହୋଇନାହିଁ। ଏହି ଦଳିଲ୍‌ର ଅଭାବରେ ଓଡ଼ିଶାର ଦାବିକୁ ଗ୍ରହଣ କରିବା ସମ୍ଭବ ନୁହେଁ ବୋଲି ଜଣେ ଅଧିକାରୀ କହିଛନ୍ତି।

୨୦୧୫ରେ ରସଗୋଲାର ଜନ୍ମକୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ପ୍ରଥମେ ବିବାଦ ସୃଷ୍ଟି ହୋଇଥିଲା। ସେତେବେଳର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଦାବି କରିଥିଲେ ଯେ ଇତିହାସରୁ ପ୍ରମାଣ ମିଳୁଛି ପଶ୍ଚିମବଙ୍ଗର ବହୁ ପୂର୍ବରୁ ଓଡ଼ିଶାରେ ରସଗୋଲାର ପ୍ରଚଳନ ହୋଇଥିଲା। ଏହି ଦାବିକୁ ଆଗେଇନେବା ପାଇଁ ସେ ଏକାଧିକ କମିଟି ଗଠନ କରିଥିଲେ।

ଏହିସବୁ କମିଟିର ଉଦ୍ଦେଶ୍ୟ ଥିଲା ରସଗୋଲା ସପକ୍ଷରେ ଯେତେ ସମ୍ଭବ ପ୍ରମାଣ ଯୋଗାଡ଼ କରିବା। ଏହାପରେ ଗବେଷକମାନେ ୨୭ ପୃଷ୍ଠା ବିଶିଷ୍ଟ ପ୍ରମାଣ ସରକାରଙ୍କୁ ଦେଇଥିଲେ। ଏଥିରେ ରସଗୋଲାର ଜନ୍ମ ଓଡ଼ିଶାରେ ହିଁ ପ୍ରଥମେ ହୋଇଥିଲା ବୋଲି ଯୁକ୍ତି କରାଯାଇଛି। ତେବେ ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଏହିସବୁ ପ୍ରମାଣ ସଂକ୍ରାନ୍ତ କାଗଜପତ୍ର ଏପର୍ଯ୍ୟନ୍ତ ଦାଖଲ ହୋଇନଥିବାରୁ ରସଗୋଲା ଯୁଦ୍ଧରେ ପଶ୍ଚିମବଙ୍ଗ ବାଜି ମାରି ନେଇଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏପଟେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି, “ରସଗୋଲାର ଜିଆଇ ଟ୍ୟାଗ୍ ପାଇଁ ଆମେ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ପ୍ରମାଣପତ୍ର ଦାଖଲ କରିବୁ।”

Comment