ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଜାତୀୟ ରାଜନୀତିର ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋର ଜୁଲାଇ ୧୧ରୁ ଆରମ୍ଭ କରିଛନ୍ତି ଅନଲାଇନ୍‌ ଭୋଟିଂ। ଏଥିରେ ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛୁଛନ୍ତି। ଏହି ସର୍ଭେରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ।

୨୦୧୯ରେ କିଏ ହେବେ ଭାରତର ପ୍ରଧାନମନ୍ତ୍ରୀ? ସଚେତନ ଭୋଟର କାହାକୁ ଦିଲ୍ଲୀ ସିଂହାସନରେ ଦେଖିବାକୁ ଚାହୁଁଛନ୍ତି? ଏନେଇ ଅନ୍‌ଲାଇନ୍ ସର୍ଭେ ଆରମ୍ଭ କରିଛନ୍ତି ଜାତୀୟ ରାଜନୀତିର ରଣନୀତିଜ୍ଞ ଭାବେ ପରିଚିତ ପ୍ରଶାନ୍ତ କିଶୋର।

ନ୍ୟାସନାଲ ଆଜେଣ୍ଡା ଫୋରମ୍ ନାଁରେ ୱେବ୍‌ସାଇଟ୍‌ ଖୋଲି ପ୍ରଶାନ୍ତ କିଶୋର ଏହି ସର୍ଭେ ଆରମ୍ଭ କରିଛନ୍ତି। ଜୁଲାଇ ୧୧ ତାରିଖରୁ ଆରମ୍ଭ ହୋଇଥିବା ଭୋଟିଂ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଭାରତୀୟ ଭୋଟର କାହାକୁ ଦେଖିବାକୁ ଚାହୁଁଛନ୍ତି ତାହା ଅଗଷ୍ଟ ୧୫ ତାରିଖରେ ଜଣାପଡ଼ିବ।

ସବୁଠୁ ବଡ଼ କଥା ହେଉଛି ପ୍ରଶାନ୍ତ କିଶୋରଙ୍କ ସର୍ଭେ ତାଲିକାରେ ୧୧ ଜଣ ନେତା ରହିଛନ୍ତି। ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧି, ଅଖିଳେଶ ଯାଦବ, ଅରବିନ୍ଦ କେଜରିୱାଲ, ଏଚ୍‌ଡି ଦେବେଗୌଡ଼ା, ମମତା ବାନାର୍ଜୀ, ମାୟାବତୀ, ନୀତିଶ କୁମାର, ଶରଦ ପାୱାର ଏବଂ ସୀତାରାମ ୟେଚୁରୀ।

ଏହି ୧୦ ଜଣ ହେଭିୱେଟ୍ ନେତାଙ୍କ ଭିତରେ ଅଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ରାଜନୀତିର ଚର୍ଚ୍ଚିତ ଚେହେରାଙ୍କ ଭିତରେ ପ୍ରଧାନମନ୍ତ୍ରୀ ରେସ୍‌ରେ ନବୀନ ପଟ୍ଟନାୟକଙ୍କ ନାଁ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି।

କାହିଁକି ଉଠିଲା ନବୀନଙ୍କ ନାଁ?

ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଏକ ଆଞ୍ଚଳିକ ଦଳର ନେତୃତ୍ୱ ନେଉଛନ୍ତି। ହେଲେ ଗତ କିଛିବର୍ଷ ହେଲା ଜାତୀୟ ରାଜନୀତିରେ ଚର୍ଚ୍ଚାରେ ରହିଛନ୍ତି ନବୀନ। ୨୦୧୨ରେ ପି ଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରି ରାଜନୀତି କରିଡ଼ରରେ ବଡ଼ ଗୋଟି ଚାଳନା କରିଥିଲେ। ଖାଲି ସେତିକି ନୁହେଁ, ୨୦୧୪ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟାତା ଦାବିରେ ରାମଲୀଳା ମଇଦାନରେ ବଡ଼ ଧରଣର ସମାବେଶ କରି ଚର୍ଚ୍ଚାକୁ ଆସିଥିଲେ ନବୀନ ପଟ୍ଟନାୟକ।

କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଜାତୀୟ ଗଣମାଧ୍ୟମରେ ବାରମ୍ବାର ନବୀନଙ୍କୁ ନେଇ ଚର୍ଚ୍ଚା ବଢ଼ିଛି। ଲୋକସଭାରେ ୨୧ଟି ଆସନରୁ ୨୦ଟିରେ ବିଜେଡି ପ୍ରାର୍ଥୀ ଜିତିଥିବାରୁ ନବୀନଙ୍କ ଦବ୍‌ଦବା ଜାତୀୟ ରାଜନୀତିରେ ବଢ଼ିଥିଲା। ସମଦୂରତା କାର୍ଡ ଖେଳି ନବୀନ ଗତ ୪ ବର୍ଷ ହେଲା ଜାତୀୟ ରାଜନୀତିକୁ ହଲ୍‌ଚଲ୍‌ କରିଛନ୍ତି। ଖାଲି ସେତିକି ନୁହେଁ, ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ପରେ ଜାତୀୟ ସ୍ତରରେ ନବୀନଙ୍କ ଗୁରୁତ୍ୱ ବଢ଼ିଥିଲା। ଏସବୁକୁ ଦୃଷ୍ଟିରେ ରଖି ନବୀନଙ୍କ ନାଁକୁ ପ୍ରଧାନମନ୍ତ୍ରୀ ରେସ୍‌ରେ ପ୍ରଶାନ୍ତ କିଶୋର ରଖିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି।

ଜୁଲାଇ ୧୧ ତାରିଖରୁ ଆରମ୍ଭ ହୋଇଥିବା ଅନଲାଇନ୍ ଭୋଟିଂକୁ ବର୍ତ୍ତମାନ ୧୪ ଦିନ ପୂରିଛି। ତେବେ ବର୍ତ୍ତମାନ ସୁଦ୍ଧା ଯେତିକି ଭୋଟିଂ ହୋଇଛି ସେଥିରେ ନରେନ୍ଦ୍ର ମୋଦି ଆଗରେ ରହିଛନ୍ତି। ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ୩୬.୨ ପ୍ରତିଶତ ଲୋକ ମତଦାନ କରିଥିବା ବେଳେ ରାହୁଲ ଗାନ୍ଧିଙ୍କୁ ୨୧.୪ ପ୍ରତିଶତ ଏବଂ ଅରବିନ୍ଦ କେଜରିୱାଲ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଚୂଡ଼ାନ୍ତ ଫଳାଫଳ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଅଗଷ୍ଟ ୧୫ରେ ହିଁ ଜଣାପଡ଼ିବ ଭୋଟର କାହା ସପକ୍ଷରେ ଦେଇଛନ୍ତି ରାୟ।

ପ୍ରଶାନ୍ତ କିଶୋର କିଏ?

୨୦୧୪ ନିର୍ବାଚରେ ପ୍ରଶାନ୍ତ କିଶୋର ସମସ୍ତଙ୍କ ସାମ୍ନାକୁ ଆସିଥିଲେ। ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ୱାର୍‌ ରୁମ୍‌ର ସେ ମଙ୍ଗ ଧରିଥିଲେ। ସୋସିଆଲ ମିଡିଆ କ୍ୟାମ୍ପେନ ପାଇଁ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରିଥିଲେ। ଫଳରେ ବିଜେପି ୨୦୧୪ରେ ବଡ଼ ବିଜୟ ହାସଲ କରିଥିଲା।

ସେହିପରି ୨୦୧୫ରେ ପ୍ରଶାନ୍ତ କିଶୋର ମୋଦିଙ୍କ କ୍ୟାମ୍ପ ଛାଡ଼ି ଜେଡି(ୟୁ) ନେତା ନୀତିଶ କୁମାରଙ୍କ କ୍ୟାମ୍ପକୁ ଚାଲି ଆସିଥିଲେ। ପ୍ରଶାନ୍ତ କିଶୋରଙ୍କ ଦୃଢ଼ ରଣନୀତି ଯୋଗୁଁ ବିହାରରେ ମୋଦିଙ୍କ ବିଜୟରେ ବ୍ରେକ୍ ଲାଗିଥିଲା। ବିହାରରେ କଂଗ୍ରେସ-ଜେଡିୟୁ-ଆର୍‌ଜେଡି ଭିତରେ ଯେଉଁ ମହାମେଣ୍ଟ ଗଠନ ହୋଇଥିଲା ତାର ପୁରୋଧା ମଧ୍ୟ ଥିଲେ ପ୍ରଶାନ୍ତ କିଶୋର। ୨୦୧୯ରେ ପ୍ରଶାନ୍ତ କିଶୋର ବିଜେପି କ୍ୟାମ୍ପକୁ ଯିବା ନେଇ ଚର୍ଚ୍ଚା ହେଉଛି। ସେ ପୁଣି ନରେନ୍ଦ୍ର ମୋଦିଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here