ଓଡ଼ିଶାଲାଇଭ୍‍ ବ୍ୟୁରୋ

ହାଇଦ୍ରାବାଦର ଏକ ମଲ୍‌ରେ ଗୋଟିଏ କୋଠରିରେ ଚାଲୁଥିଲା ୧୧୪ଟି କମ୍ପାନିକେବଳ କାଗଜପତ୍ରରେ ଚାଲୁଥିଲା କମ୍ପାନି, ଯାହାକୁ କୁହାଯାଉଛି ‘ସେଲ୍‌’ କମ୍ପାନି ବା ଖୋଳପା କମ୍ପାନି

ଦେଶରେ କେବଳ କାଗଜପତ୍ରରେ ଚାଲୁଥିବା କମ୍ପାନିଗୁଡ଼ିକୁ ଠାବ କରିବା ଏବଂ ବନ୍ଦ କରିବା ଲକ୍ଷ୍ୟ ନେଇ ଚାଲୁରହିଛି ସରକାରୀ ଅଭିଯାନ। ଯେଉଁସବୁ ଠିକଣାରେ ୨୫ରୁ ଅଧିକ କମ୍ପାନି କାମ କରୁଛି ସେଠାରେ ଚଢ଼ାଉ କରାଯାଉଛି। ଏହି ଅଭିଯାନରେ ଏଭଳି ଚମକପ୍ରଦ ତଥ୍ୟ ପଦାକୁ ଆସିଛି ଯାହା କେବଳ ଯେ ଅବିଶ୍ୱସନୀୟ, ତାହା ନୁହେଁ, ବରଂ ସାଧାରଣ ବୋଧଶକ୍ତି ପରିସରରୁ ବହୁଦୂରରେ।

ହାଇଦ୍ରାବାଦର ଏକ ମଲ୍‌ରେ ଗୋଟିଏ କୋଠରିରେ ଚାଲୁଥିଲା ୧୧୪ଟି କମ୍ପାନି। ସହଜରେ ବିଶ୍ୱାସଯୋଗ୍ୟ ମନେ ହେଉନଥିଲେ ବି ଏହା ହିଁ ସତ। କେବଳ କାଗଜପତ୍ରରେ ଚାଲୁଥିଲା କମ୍ପାନି, ଯାହାକୁ କୁହାଯାଉଛି ‘ସେଲ୍‌’ କମ୍ପାନି ବା ଖୋଳପା କମ୍ପାନି। ଏଭଳି କମ୍ପାନି ବିରୋଧରେ ଚାଲିଥିବା ସରକାରୀ ଅଭିଯାନ କ୍ରମରେ କମ୍ପାନିସମୂହ ନିବନ୍ଧକଙ୍କ ପକ୍ଷରୁ କରାଯାଇଥିବା ଚଢ଼ାଉ ବେଳେ ଏହି ତଥ୍ୟ ପଦାକୁ ଆସିଛି। ହାଇଦ୍ରାବାଦର ଜୁବୁଲି ହିଲ୍‌ ଅଞ୍ଚଳରେ ଥିବା ଫରଚ୍ୟୁନ୍‌ ମୋନାର୍କ ମଲ୍‌ରେ ଚଢ଼ାଉ କରିଥିଲେ ଆଠଜଣିଆ ଅଧିକାରୀ ଦଳ।

ମଲ୍‌ର ଗୋଟିଏ କୋଠରିରୁ ସେମାନେ ଜବତ କରିଥିବା କାଗଜପତ୍ର ତନଖି ବେଳେ ଜଣାପଡ଼ିଥିଲା ଯେ ଏହି ଗୋଟିଏ କୋଠରିର ଠିକଣାରେ ଚାଲିଥିଲା ୧୧୪ଟି କମ୍ପାନି। ସବୁ କମ୍ପାନିର ବାଲାନ୍‌ସ ସିଟ୍‌ ପ୍ରସ୍ତୁତ ହୋଇଛି। ନିର୍ଦ୍ଦେଶକ ବି ଅଛନ୍ତି। ସେମାନେ ଦରମା ବି ନେଉଛନ୍ତି। କିନ୍ତୁ କାର୍ଯ୍ୟରତ କର୍ମଚାରୀଙ୍କ ମୋଟ ସଂଖ୍ୟା ୨୫।

ଏଥିରୁ ଅଧିକାଂଶ ‘ସେଲ୍‌’ କମ୍ପାନି। ଏଭଳି ପ୍ରାୟ ୫୦ଟି କମ୍ପାନିର କାରବାର ବନ୍ଦ ରହିଛି। ଏହିସବୁ କମ୍ପାନି ୮ କୋଟିରୁ ୧୫କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି କରିଥିବା କାଗଜପତ୍ରରେ ଦର୍ଶାଯାଇ ସେଗୁଡ଼ିକର ଆର୍ଥିକ କାରବାରକୁ ବନ୍ଦ କରିଦିଆଯାଇଛି।

କେତେକ କମ୍ପାନିର ସଂପତ୍ତି ଭାବରେ ଯାହା ଦର୍ଶାଯାଇଛି ତାହା ଚାଷଜମି। ଜଣେ ଜଣେ ବ୍ୟକ୍ତି ୨୫ରୁ ୩୦ଟି କମ୍ପାନିର ନିର୍ଦ୍ଦେଶକ ରହିଛନ୍ତି। ଆଇନ ଅନୁସାରେ ଜଣେ ବ୍ୟକ୍ତି ସର୍ବାଧିକ ୨୦ଟି କମ୍ପାନିର ନିର୍ଦ୍ଦେଶକ ରହିପାରିବେ। କିନ୍ତୁ ଏଠାରେ ତାହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। କମ୍ପାନିଗୁଡ଼ିକ ନିଜ ନିଜ ମଧ୍ୟରେ ଆର୍ଥିକ ନେଣଦେଣ କରୁଥିବା ଦର୍ଶାଇ ଆସୁଥିଲେ। ଏଥିରୁ ଅଧିକାଂଶ କମ୍ପାନି ସତ୍ୟମ କମ୍ପ୍ୟୁଟର ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ବି. ରାମାଲିଙ୍ଗା ରାଜୁଙ୍କ ପରିବାର ସଦସ୍ୟଙ୍କ ନାଁରେ ରହିଛି ।

ମଲ୍‌ର ଯେଉଁ ଗୋଟିଏ ଠିକଣାରୁ ଏହି ସବୁ କମ୍ପାନି ଚାଲୁଥିଲା ତାହା ହେଲା ଏସ୍‌ଆର୍‌ଏସ୍‌ଆର୍‌ ଆଡଭାଇଜରି ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌। ଏହା ଏକ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ଭାବେ ପଞ୍ଜୀକୃତ। ଏହି ଗୋଟିଏ ଠିକଣାରେ ରହିଛି ୧୧୪ଟି କମ୍ପାନି। ଏବେ କମ୍ପାନିସମୂହ ନିବନ୍ଧକଙ୍କ ପକ୍ଷରୁ ଏ ସବୁ କମ୍ପାନି ସଂପର୍କରେ ଖୋଳତାଡ଼ ଚାଲିଛି।

ସତ୍ୟମ୍‌ ଦୁର୍ନୀତି ମାମଲା ପଦାକୁ ଆସିଲା ପରେ, ୨୦୦୯ ମସିହାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଏଥିରୁ ଅନେକ କମ୍ପାନି ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲେ। କମ୍ପାନିସମୂହ ପ୍ରବନ୍ଧକଙ୍କ ପକ୍ଷରୁ  ଶେଲ କମ୍ପାନି ବିରୋଧୀ ଅଭିଯାନ ସମୟରେ ଏହିସବୁ କମ୍ପାନି କେବଳ କାଗଜପତ୍ରରେ ଚାଲୁଥିବା ସଂପର୍କିତ ତଥ୍ୟ ପଦାକୁ ଆସିଛି।

ଏସ୍‌ଆର୍‌ଏସ୍‌ଆର୍‌ ଆଡଭାଇଜରି ସର୍ଭିସେସ୍‌ ପକ୍ଷରୁ କୁହାଯାଇଛି ଯେ, ସତ୍ୟମ ଦୁର୍ନୀତି ମାମଲାରେ ଯେଉଁସବୁ କମ୍ପାନି ବିରୋଧରେ ଚାର୍ଜସିଟ୍‌ ହୋଇଥିଲା ସେଗୁଡ଼ିକର ସଂପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଦ୍ୱାରା ବାଜ୍ୟାପ୍ତ କରାଯାଇଥିଲା। ଏହିସବୁ କମ୍ପାନିର କାରବାର ବନ୍ଦ ହୋଇଯାଇଥିଲେ ହେଁ ସେଗୁଡ଼ିକ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛନ୍ତି। ପ୍ରତି ବର୍ଷ ‘ଜିରୋ ବାଲାନ୍‌ସ ସିଟ୍‌’ ପ୍ରସ୍ତୁତ କରାଯାଇ ଦାଖଲ କରାଯାଉଛି।

ଏସବୁ କମ୍ପାନିକୁ ବନ୍ଦ ନ କରିବାର କାରଣ ହେଲା, ଚାର୍ଜସିଟ୍‌ରୁ ଯେଉଁ କମ୍ପାନିର ନାମ ବାଦ ଦିଆଯିବ ସେଗୁଡ଼ିକର ସଂପତ୍ତି ବି ଫେରାଇ ଦିଆଯିବ। ଏସ୍‌ଆର୍‌ଏସ୍‌ଆର୍‌ ଆଡଭାଇଜରି ସର୍ଭିସେସ୍‌ ଏକ ଆକାଉଣ୍ଟିଂ ସଂସ୍ଥା। ଏହି ସଂସ୍ଥା ଯେଉଁ କମ୍ପାନିଗୁଡ଼ିକର ସହାୟତା କରୁଛି ସେମାନେ ସମସ୍ତେ ଗୋଟିଏ ଠିକଣାରେ ରହିଛନ୍ତି।

ଏଥିରେ କୌଣସି ଅନିୟମିତତା ନାହିଁ ବୋଲି ଏସ୍‌ଆର୍‌ଏସ୍‌ଆର୍‌ ଆଡଭାଇଜରି ସର୍ଭିସେସ୍‌ ପକ୍ଷରୁ କୁହାଯାଇଛି। ସେପଟେ ସତ୍ୟମ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ରାମାଲିଙ୍ଗା ରାଜୁଙ୍କ ସହ ସମ୍ବନ୍ଧ ଥିବା ଅନ୍ୟ କେତେକ କମ୍ପାନିକୁ ଠାବ କରିବା ପାଇଁ ଅନ୍ୟ ୬ଟି ସ୍ଥାନରେ ଚଢ଼ାଉ କରାଯିବ ବୋଲି କମ୍ପାନିସମୂହ ନିବନ୍ଧକ ସ୍ଥିର କରିଛନ୍ତି।

LEAVE A REPLY

Please enter your comment!
Please enter your name here