ଓଡ଼ିଶାଲାଇଭ୍ ବ୍ୟୁରୋ
ଏକାସାଙ୍ଗରେ ତିନି ଭଉଣୀଙ୍କ ମୃତ୍ୟୁକୁ ନେଇ ଉଠୁଛି ପଡ଼ୁଛି ଦିଲ୍ଲୀ। ଦ୍ୱିତୀୟ ପର୍ଯ୍ୟାୟ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା।
ଭାରତର ରାଜଧାନୀ ଦିଲ୍ଲୀରେ ଆଜି ଏମିତି ଗୋଟିଏ ଘଟଣା ଘଟିଛି ଯାହା ଚାରିଆଡ଼େ ଚହଳ ପକାଇ ଦେଇଛି। ଭୋକ ଏବଂ ଅପପୁଷ୍ଟି ପାଇଁ ୧୦ ବର୍ଷରୁ କମ୍ ତିନି ଜଣ ଶିଶୁଙ୍କର ମୃତ୍ୟୁ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଉଛନ୍ତି ତିନି ଭଉଣୀ। ଏହି ଖବର ପ୍ରଚାରିତ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ଘଟଣାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦିଆଯାଇଛି।
ପୂର୍ବ ଦିଲ୍ଲୀର ମଣ୍ଡାବଲି ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ତିନି ପିଲାଙ୍କ ମା’ ମାନସିକ ରୋଗରେ ଆକ୍ରାନ୍ତ। ସେ ଦୀର୍ଘ ଦିନ ହେଲା ଶଯ୍ୟାଶାୟୀ। ପିଲା କ’ଣ ଖାଇଲେ ନଖାଇଲେ କିଛି ବୁଝନ୍ତି ନାହିଁ। ବାପା ସକାଳୁ କାମ ଅନ୍ବେଷଣରେ ଯାଆନ୍ତି ଏବଂ ରାତିରେ ଫେରନ୍ତି। ପିଲାମାନେ ପଡ଼ୋଶୀଙ୍କ ଘରେ ଦିନ କାଟିଥାନ୍ତି।
ମଙ୍ଗଳବାର ଦିନ ପରିସ୍ଥିତି ଭିନ୍ନ ଥିଲା। ପିଲାମାନଙ୍କ ବାପା ସକାଳୁ ସକାଳୁ ବାହାରକୁ ଚାଲିଯିବା ପରେ ତିନି ଭଉଣୀ ପଡ଼ୋଶୀଙ୍କ ଘରେ ରହିଥିଲେ। କିନ୍ତୁ ହଠାତ୍ ତିନି ଜଣଙ୍କର ଦେହ ଖରାପ ହୋଇଯାଇଥିଲା। ସେମାନେ ପାଣି ମାଗିଥିଲେ ପିଇବାକୁ। ପାଣି ପିଇବା ପରେ ତିନି ଜଣଯାକ ବାନ୍ତି କରିଥିଲେ।
ପଡ଼ୋଶୀ ସେମାନଙ୍କୁ ଲାଲ ବାହାଦୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ଶିଖା (୮), ମାନସୀ (୪) ଏବଂ ପାରୁଲ (୨)। ଖବରପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶିଶୁଙ୍କ ମୃତଦେହ ଜବତ କରିଥିଲା। ତେବେ ଏକକାଳୀନ ତିନି ଜଣଙ୍କର ମୃତ୍ୟୁକୁ ନେଇ ପୋଲିସର ସନ୍ଦେହ ବଢ଼ିଛି। ପିଲାମାନଙ୍କୁ କୌଣସି ବିଷାକ୍ତ ଖାଦ୍ୟ ଖାଇଥିବା ପୋଲିସ ସନ୍ଦେହ କରୁଥିଲା। କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅସଲ ଚିତ୍ର ସାମ୍ନାକୁ ଆସିଛି।
ପ୍ରଥମ ପର୍ଯ୍ୟାୟରେ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ମୃତ ଶିଶୁଙ୍କ ପେଟ ସମ୍ପୂର୍ଣ୍ଣ ଖାଲି ଥିଲା। ଶରୀରରେ କୌଣସି କ୍ଷତ ଚିହ୍ନ ବି ଦେଖିବାକୁ ମିଳିନି। ହେଲେ ଏହାକୁ ନେଇ ସନ୍ଦେହ ବଢ଼ିବାରୁ ଦ୍ୱିତୀୟ ଥର ପାଇଁ ପୋଷ୍ଟମର୍ଟମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଏହି ରିପୋର୍ଟ ଆସିବା ପରେ ତିନି ଭଉଣୀଙ୍କ ମୃତ୍ୟର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ଏହି ଘଟଣାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ୍ ହୋଇଯାଇଛି। ଦିଲ୍ଲୀ ସରକାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି। ବିରୋଧୀ ଦିଲ୍ଲୀ ସରକାରଙ୍କୁ ଘେରିଛନ୍ତି।