ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ତ୍ରୀଙ୍କ ଭରଣପୋଷଣ ବାବଦରେ କୋର୍ଟରେ ଚବିଶି ହଜାର ଛଅଶହ ଟଙ୍କାର ଟଙ୍କିକିଆ ଏବଂ ଦୁଇଟଙ୍କିଆ ମୁଦ୍ରା ଜମା କଲେ ସ୍ୱାମୀ। ଉକ୍ତ ରାଶି ଗଣିବା ପାଇଁ ତିନିଦିନ ଯାଏଁ ମାମଲାର ଶୁଣାଣି ସ୍ଥଗିତ ରଖିଲେ କୋର୍ଟ।
ଛାଡ଼ପତ୍ର ମାମଲାରେ ଅଦାଲତଙ୍କ ନିର୍ଦ୍ଦେଶ ଥିଲା ସ୍ତ୍ରୀଙ୍କୁ ଭରଣପୋଷଣ ବାବଦରେ ମାସକୁ ୨୫ ହଜାର ଟଙ୍କା ଦିଅ। ଓକିଲ ସ୍ୱାମୀ ଟଙ୍କା ଆଣି କୋର୍ଟରେ ଜମା କରିଦେଲେ। କିନ୍ତୁ ସେଥିରେ ଥିଲା ୪ଟି ଶହେ ଟଙ୍କିଆ ନୋଟ୍। ବାକି ସବୁ ଖୁଚୁରା। ୨୪ ହଜାର ୬ ଶହ ଟଙ୍କାର ଟଙ୍କିକିଆ ଏବଂ ଦୁଇଟଙ୍କିଆ ମୁଦ୍ରା। ଗଣିବାକୁ ସମୟ ତ ଲାଗିବ। ତିନିଦିନ ପାଇଁ ମାମଲାର ଶୁଣାଣି ସ୍ଥଗିତ ରଖିଲେ କୋର୍ଟ।
ଚଣ୍ଡୀଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ଙ୍କ ଅଦାଲତରେ ଚାଲିଥିବା ଛାଡ଼ପତ୍ର ମାମଲାର ଶୁଣାଣି ଏମିତି ଏକ ନାଟକୀୟ ମୋଡ଼ ନେଇଥିଲା। ୨୦୧୫ ମସିହାର ଏହି ମାମଲାରେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ଜଣେ ଓକିଲ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଥିଲେ। ଏହି ମାମଲାରେ ସ୍ତ୍ରୀଙ୍କୁ ଭରଣପୋଷଣ ବାବଦରେ ମାସକୁ ୨୫ ହଜାର ଟଙ୍କା ଦେବାକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଏ ବର୍ଷ ଫେବ୍ରୁଆରିରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ମଙ୍ଗଳବାର ଦିନ କୋର୍ଟରେ ଟଙ୍କା ଜମା କରିଥିଲେ ଓକିଲ ସ୍ୱାମୀ। ଏଥିରୁ ୨୪ ହଜାର ୬ ଶହ ଟଙ୍କା ଥିଲା ଟଙ୍କିକିଆ ଏବଂ ଦୁଇଟଙ୍କିଆ ମୁଦ୍ରା। ବସ୍ତାରେ ଭର୍ତ୍ତି ଖୁଚୁରା ଟଙ୍କାକୁ ସେ କୋର୍ଟରେ ରଖିଥିଲେ। ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଏହାକୁ ବଦଳାଇ କାଗଜ ନୋଟ୍ ଦେବାକୁ କହିଥିଲେ। କିନ୍ତୁ ଓକିଲ ସ୍ୱାମୀ ଦର୍ଶାଇଥିଲେ ଯେ, ଭରଣପୋଷଣ କିଭଳି ଟଙ୍କାରେ ଦିଆଯିବ ସେ ସଂପର୍କରେ କୌଣସି ଆଇନ ନାହିଁ। ତାଙ୍କ ପାଖରେ ଟଙ୍କା ନ ଥିବାରୁ ସେ ଏକ ଧାର୍ମିକ ଅନୁଷ୍ଠାନରୁ ଏହି ଟଙ୍କା କରଜ ଆଣିଛନ୍ତି। କୋର୍ଟରେ ଏହାକୁ ଗଣିବା ପାଇଁ ତାଙ୍କର ଦୁଇଜଣ ସହଯୋଗୀ ବି ଅଛନ୍ତି। ଏହା ଶୁଣିବା ପରେ ଖୁଚୁରା ଟଙ୍କା ଗଣିବା ପାଇଁ କୋର୍ଟ ଏହି ମାମଲାକୁ ତିନିଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।
ଓକିଲଙ୍କ ପତ୍ନୀଙ୍କ କହିବା ଅନୁସାରେ ସେ ଅଷ୍ଟ୍ରେଲିଆରେ ରହୁଥିଲେ। ବିବାହ କରିବାକୁ ୨୦୧୪ରେ ଭାରତ ଆସିଥିଲେ। ବିବାହର ତିନିମାସ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଲା। ୨୦୧୫ ଫେବ୍ରୁଆରିରେ ନ୍ୟାୟିକ ବିବାହ ବିଚ୍ଛେଦ ପାଇଁ ତାଙ୍କ ସ୍ୱାମୀ ଆବେଦନ କରିଥିଲେ। କିନ୍ତୁ ପରେ ସେହିବର୍ଷ ଅକ୍ଟୋବର ମାସରେ ପୂର୍ବ ଆବେଦନକୁ ପ୍ରତ୍ୟାହାର କରି ଛାଡ଼ପତ୍ର ପାଇଁ ଆବେଦନ କଲେ। ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ସେ ଭରଣପୋଷଣ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ।
ଗତ ଫେବ୍ରୁଆରିରେ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇ ମାସକୁ ୨୫ ହଜାର ଟଙ୍କା ହିସାବରେ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ତାଙ୍କ ସ୍ୱାମୀ ଏହାକୁ ଏଡ଼ାଇ ଯିବା ପାଇଁ ଏଭଳି କୌଶଳ କରୁଛନ୍ତି। ଏହା ଅଦାଲତଙ୍କ ନିର୍ଦ୍ଦେଶକୁ ଉପହାସ ସଦୃଶ ବୋଲି ସେ କହିଛନ୍ତି।
ଅପରପକ୍ଷରେ ଓକିଲ ସ୍ୱାମୀ ବି ଛାଡ଼ିବା ଲୋକ ନୁହନ୍ତି। ଟଙ୍କିକିଆ, ଦୁଇଟଙ୍କିଆ ମୁଦ୍ରା ହେଉ କି କାଗଜ ନୋଟ୍ – ଟଙ୍କା ତ ଟଙ୍କା। ଆଇନ ଅନୁସାରେ ଉଭୟ ବୈଧ। ତେଣୁ ସ୍ତ୍ରୀଙ୍କ ଭରଣପୋଷଣ ପାଇଁ ଖୁଚୁରା ଟଙ୍କା ଦେବାରେ ଅସୁବିଧା କେଉଁଠି ବୋଲି ଯୁକ୍ତି କରିଛନ୍ତି। ସେତିକି ନୁହେଁ, ଆସନ୍ତା ଥର ବି ଏମିତି ଖୁଚୁରା ଦେବେ ବୋଲି କହିଦେଇଛନ୍ତି। ଖୁଚୁରା ଟଙ୍କା ଗଣିବା ଲାଗି ଅଦାଲତ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ସତ, କିନ୍ତୁ ଚୂଡ଼ାନ୍ତ ନିର୍ଦ୍ଦେଶକୁ ନେଇ ସମସ୍ତଙ୍କର ଉତ୍ସୁକତା ଲାଗି ରହିଛି।














