ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆସନ୍ତା ୨୦୧୯ ନିର୍ବାଚନ ପାଇଁ ସର୍ବଭାରତୀୟ ସ୍ତରରେ ମେଣ୍ଟ ଗଠନ ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଥିବା ବେଳେ ଓଡ଼ିଶାରେ ବି ଏହି ଦଳ ସେହି ବାଟ ଧରିବ କି?

ଆଗାମୀ ନିର୍ବାଚନରେ ସମଭାବାପନ୍ନ ଦଳମାନଙ୍କୁ ନେଇ ବିଜେପି ବିରୋଧରେ ମେଣ୍ଟ ଗଠନ ପାଇଁ କଂଗ୍ରେସ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ହେଲେ ପ୍ରଧାନମନ୍ତ୍ରୀ ପଦକୁ ଛାଡ଼ିବାକୁ ବି ରାହୁଲ ଗାନ୍ଧି ଇଚ୍ଛା ପ୍ରକାଶ କରିଛନ୍ତି। ଏହି ପରିସ୍ଥିତିରେ ଯଦି କଂଗ୍ରେସ ଦେଶ ତମାମ ଦେଶରେ ମେଣ୍ଟ କରେ ଓଡ଼ିଶାରେ ବି କାହିଁକି ତାହା ନହେବ ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି।

୨୦୧୯ରେ ଓଡ଼ିଶାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ବି ହେବ। ଏହି ଦୃଷ୍ଟିରୁ ସମାନ ଚିନ୍ତାଧାରା ଥିବା ଦଳମାନଙ୍କ ସହ ଓଡ଼ିଶାରେ ମେଣ୍ଟ ହୋଇପାରେ ବୋଲି ଆକଳନ କରାଯାଉଛି। ଯଦିଓ ଓଡ଼ିଶା କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ହିଁ କାମ କରିବାକୁ ବାଧ୍ୟ ହେବ, ତେବେ ଓଡ଼ିଶାରେ କିନ୍ତୁ ସ୍ଥିତି ପୂରା ଅଲଗା। କଂଗ୍ରେସକୁ ୧୯ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସହିତ ଲଢ଼େଇ କରିବାକୁ ହେବ।

ଓଡ଼ିଶାର କଂଗ୍ରେସ ନେତାଙ୍କ କହିବା କଥା ହେଉଛି ବିଜେପି ତାଙ୍କ ଦଳର ଏକ ନମ୍ବର ଶତ୍ରୁ ନୁହେଁ, ଏକ ନମ୍ବର ଶତ୍ରୁ ହେଉଛି ଶାସକ ବିଜେଡି। ଏହି କଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ପରେ ସ୍ପଷ୍ଟ ଭାବରେ କହିଥିଲେ।

ଗୋଟିଏ ଭଲ କଥା ହେଉଛି ଯେ ଦୀର୍ଘ କୋଡ଼ିଏ ବର୍ଷ କ୍ଷମତା ବାହାରେ ରହି ମଧ୍ୟ ସମଗ୍ର ରାଜ୍ୟରେ କଂଗ୍ରେସର ଭୋଟ ବ୍ୟାଙ୍କ ରହିଛି। କିନ୍ତୁ ଦଳ ବର୍ତ୍ତମାନ ଘୋର ବିଶ୍ୱାସ ସଙ୍କଟ ଦେଇ ଗତି କରୁଛି। ପିସିସି ସଭାପତି ଆଗରୁ ଘୋଷଣା କରିସାରିଛନ୍ତି ଯେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଅଧାଅଧି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। କିନ୍ତୁ ଯାହା ଖବର ମିଳିଛି ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପାଇଁ ଯେତେବେଳେ ବି ନେତାମାନେ ଏକାଠି ହେଉଛନ୍ତି ନିର୍ବାଚନ ମଇଦାନକୁ ଓହ୍ଲାଇବା ଭଳି ପ୍ରାର୍ଥୀ ମିଳୁନାହାନ୍ତି।

ଅନ୍ୟ ବିଧାନସଭା ଆସନ କଥା ଛାଡ଼ନ୍ତୁ, ଖୋଦ ରାଜଧାନୀର ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜିବା କଷ୍ଟକର ହୋଇପଡ଼ିଛି। ଭୁବନେଶ୍ୱରର ତିନୋଟି ଯାକ ଆସନ ପାଇଁ ଗତ କେତୋଟି ନିର୍ବାଚନରେ ସଠିକ ପ୍ରାର୍ଥୀଙ୍କୁ ଚୟନ କରାଯାଇ ପାରିନାହିଁ। ଏହା ଫଳରେ ବିଜେଡି ପ୍ରାର୍ଥୀମାନେ ଜିତି ଚାଲିଛନ୍ତି।

ସେହିଭଳି ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ପୁରୀ, କଟକ, ଜଗତସିଂହପୁର, ଯାଜପୁର ସମେତ ଏହି ସବୁ ଜିଲ୍ଲାର ଅନେକ ଆସନ ପାଇଁ ପ୍ରାର୍ଥୀ ଖୋଜିବା ସମ୍ଭବ ହେଉନାହିଁ। ପଶ୍ଚିମ ଓଡ଼ିଶାରେ ମଧ୍ୟ ଏକା ଅବସ୍ଥା।

ଯଦି କଂଗ୍ରେସ ଓଡ଼ିଶାରେ ମେଣ୍ଟ କରେ ତାହାଲେ କେଉଁ ଦଳ ସହ କରିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ବିଜେଡି ଏବଂ ବିଜେପିକୁ ମୁକାବିଲା କରିବା ଭଳି ଓଡ଼ିଶାରେ ଆଞ୍ଚଳିକ ଦଳର ଅଭାବ ରହିଛି। ଯେଉଁ କିଛି ଦଳ ଅଛନ୍ତି ସେମାନଙ୍କ ନେତୃତ୍ୱକୁ ନେଇ ସବୁବେଳେ ପ୍ରଶ୍ନବାଚୀ ଉଠି ଆସିଛି। ଓଡ଼ିଶାରେ ବାମ ଦଳର ଅବସ୍ଥା ବି ଭଲ ନାହିଁ। ଏଭଳିସ୍ଥଳେ କଂଗ୍ରେସ ହାଇକମାଣ୍ଡ କାହା ସହ ମେଣ୍ଟ କରିବାକୁ ନିର୍ଦ୍ଦେଶ ଦେବେ ତା’ ଉପରେ ନଜର ରହିଛି।

Comment