ଓଡ଼ିଶାଲାଇଭ୍ ବ୍ୟୁରୋ

ତୃଣମୂଳ କଂଗ୍ରେସ ପକ୍ଷରୁ ପଶ୍ଚିମବଙ୍ଗର ନାମ ପଶ୍ଚିମବଙ୍ଗ ପରିବର୍ତ୍ତେ ‘ବାଂଲା’ ରଖିବା ପାଇଁ ଏକ ପ୍ରସ୍ତାବ ବିଧାନସଭାରେ ଆଗତ କରାଯାଇଛି।
ବଦଳିବ ପଶ୍ଚିମବଙ୍ଗର ନାଁ। ପଶ୍ଚିମବଙ୍ଗ ନାଁ ବଦଳରେ ହେବ ‘ବାଂଲା’। ଗୁରୁବାରଦିନ ତୃଣମୂଳ କଂଗ୍ରେସ ପକ୍ଷରୁ ପଶ୍ଚିମବଙ୍ଗର ନାମ ପଶ୍ଚିମବଙ୍ଗ ପରିବର୍ତ୍ତେ ‘ବାଂଲା’ ରଖିବା ପାଇଁ ଏକ ପ୍ରସ୍ତାବ ବିଧାନସଭାରେ ଆଗତ କରାଯାଇଛି।
ଦେଶର ସମସ୍ତ ଭାଷାରେ ପଶ୍ଚିମବଙ୍ଗର ନାମ ‘ବାଂଲା’ ଲେଖିବା ପାଇଁ ଏହି ପ୍ରସ୍ତାବକୁ କୁହାଯାଇଛି। ଯଦି କେନ୍ଦ୍ରର ଗୃହ ମନ୍ତ୍ରଣାଳୟ ଏହାକୁ ସବୁଜ ସଙ୍କେତ ଦିଅନ୍ତି ତେବେ ପଶ୍ଚିମବଙ୍ଗର ନାମ ‘ବାଂଲା’ ହେବ।
୨୦୧୬ ମସିହା ଅଗଷ୍ଟ ୨୯ ତାରିଖ ଦିନ ପଶ୍ଚିମବଙ୍ଗ ବିଧାନସଭାରେ ପଶ୍ଚିମବଙ୍ଗ ପରିବର୍ତ୍ତେ ‘ବାଂଲା’ ରଖିବା ପାଇଁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା । ଏଥିରେ ପଶ୍ଚିମବଙ୍ଗର ନାମ ଇଂରାଜୀରେ ‘ବେଙ୍ଗଲ’, ବଙ୍ଗଳାରେ ‘ବାଂଲା’ ଓ ହିନ୍ଦୀରେ ‘ବଙ୍ଗାଲ’ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ମାତ୍ର ଗୃହ ମନ୍ତ୍ରଣାଳୟ ଏହି ପ୍ରସ୍ତାବ ବିଚାରଯୋଗ୍ୟ ନୁହେଁ କହି ଫେରାଇ ଦେଇଥିଲା। କାରଣ ଗୋଟିଏ ରାଜ୍ୟର ନାମ ତିନୋଟି ଭାଷାରେ ତିତିନି ପ୍ରକାର ହୋଇ ପାରିବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା।
୨୦୧୧ରେ ତୃଣମୂଳ ସରକାର ଶାସନଗାଦିକୁ ଆସିବା ପରେ ପଶ୍ଚିମବଙ୍ଗକୁ ପରିବର୍ତ୍ତନ କରି ସବୁଭାଷାରେ ‘ବାଂଲା’ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହାପରେ ସବୁ ଭାଷାରେ ପଶ୍ଚିମବଙ୍ଗର ନାମ ବାଂଲା ହେବ ବୋଲି ଏକ ପ୍ରସ୍ତାବ ୨୦୧୭ ମସିହା ସେପ୍ଟେମ୍ବର ମାସ ୮ ତାରିଖରେ କ୍ୟାବିନେଟ୍ ମଞ୍ଜୁର ମିଳିଥିଲା। ବୁଧବାରଦିନ ଏ ସମ୍ପର୍କିତ ପ୍ରସ୍ତାବ ବିଧାନସଭାରେ ଆଗତ ହୋଇଛି। ଏବେ ଏହି ପ୍ରସ୍ତାବକୁ ଗୃହମନ୍ତ୍ରାଳୟ ନିକଟକୁ ପଠାଯିବ। ଏହା ଗୃହମନ୍ତ୍ରଣାଳୟର ମଞ୍ଜୁରି ପାଇଲେ ପଶ୍ଚିମବଙ୍ଗ ନାମ ବଦଳି ‘ବାଂଲା’ ହେବ।
ପଶ୍ଚିମବଙ୍ଗର ନାମ ବଦଳାଯିବାର ଆଉ ଏକ କାରଣ ହେଉଛି ଦେଶର ସବୁ ରାଜ୍ୟ ମିଶିକି ଯେଉଁଠି ବୈଠକ ଅନୁଷ୍ଠିତ ହେଉଛି ସେଠି ବର୍ଣ୍ଣମାଳା କ୍ରମରେ ପଶ୍ଚିମବଙ୍ଗ(ୱେଷ୍ଟବେଙ୍ଗଲ) ନାମ ଶେଷରେ ଆସୁଛି। ସେଥିପାଇଁ ଏଭଳି ପରିବର୍ତ୍ତନ କରାଯିବା ପାଇଁ ପ୍ରସ୍ତାବ ଆଗତ କରାଯାଇଛି।














