ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାତିରେ ଦେଖିବାକୁ ମିଳିବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ଏକ ଘଣ୍ଟା ତେୟାଳିଶି ମିନିଟ୍ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ

ଆଜି ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ଚଳିତ ଶତାଦ୍ଦୀର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିବ। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ର ବିରାଟ ଆକାରରେ ଓ ସମ୍ପୂର୍ଣ୍ଣ ଭାବେ ଲାଲ୍ ଦେଖାଯିବ।

୧ ଘଣ୍ଟା ୪୩ ମିନଟ୍‌ ଧରି ଏହି ପୂର୍ଣ୍ଣଗ୍ରାସ ରହିବ। ଆଜି ରାତି ୧୦ଟା ୪୪ରୁ ଗ୍ରହଣ ଆରମ୍ଭ ହେବ ଅର୍ଥାତ୍ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ। ୧୧ଟା ୫୪ ମିନିଟ୍‌ରେ ଏହା ଛାୟାରେ ପ୍ରବେଶ କରିବା ସହ ରାତି ଗୋଟାଏରେ ପୂର୍ଣ୍ଣଗ୍ରହଣ ହୋଇ ୨ଟା ୪୩ରେ ପୂର୍ଣ୍ଣ ଗ୍ରହଣ ଶେଷ ହେବ। ତେବେ ଗ୍ରହଣ ସମ୍ପୂର୍ଣ୍ଣ ଛାଡ଼ିବା ଲାଗି ପାଖାପାଖି ୬ ଘଣ୍ଟା ସମୟ ଲାଗିବ।

ଜ୍ୟୋତିର୍ବିଦମାନଙ୍କ ମତରେ ପ୍ରାୟ ଶହେ ବର୍ଷରେ ଥରେ ଏଭଳି ବିରଳ ଚନ୍ଦ୍ରଗ୍ରହଣ ଦେଖାଯାଏ। ଏହି ଗ୍ରହଣର ଅବଧି ଅନ୍ୟାନ୍ୟ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ତୁଳନାରେ ଚାଳିଶି ପ୍ରତିଶତ ଅଧିକ। ପୂର୍ଣ୍ଣଗ୍ରାସ ସମୟରେ ଚନ୍ଦ୍ର ସଂପୂର୍ଣ୍ଣ ଲୋହିତ କିମ୍ବା ଗେରୁଆ ରଙ୍ଗର ଦେଖାଯିବ।

ଶନିବାର ଭୋର୍ ୪ଟା ୫୮ ମିନିଟ୍‌ରେ ସର୍ବମୋକ୍ଷ ହେବ। ଭାରତ ସମେତ ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ, ଚୀନ୍‌ ପଶ୍ଚିମାଞ୍ଚଳରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିହେବ। ଅନ୍ୟପକ୍ଷରେ ଉତ୍ତର ଆମେରିକା, ଅଷ୍ଟ୍ରେଲିଆ,ଗ୍ରୀନଲ୍ୟାଣ୍ଡ ଏବଂ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏହା ଆଂଶିକ ଦୃଶ୍ୟମାନ ହେବ।

ଏହା ଏକ ଦୀର୍ଘତମ ଏବଂ ବିରଳ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି। ମେଷ, ବୃଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ। ଅନ୍ୟ ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦର୍ଶନ ଶୁଭଦାୟକ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ବୈକୁଣ୍ଠନାଥ ନାୟକ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତିନିର୍ଘଣ୍ଟ ଅନୁଯାୟୀ, ଭୋର ୫ଟାରେ ଦ୍ୱାରଫିଟା ହୋଇଯାଇଥିଲା।  ସାଢେ ୫ଟାରେ ଭିତରଶୋଧ ହୋଇ ୫ଟା ୪୦ରେ ମଙ୍ଗଳ ଆଳତି କରାଯାଇଥିଲା। ସକାଳ ୬ଟାରେ ମଇଲମ, ସାଢେ ୬ଟାରେ ତଡ଼ପଲାଗି, ସଢେ ୭ଟାରେ ଅବକାଶ ଓ ମଇଲମ, ୭ଟା ୫୦ରେ ରୋଷହୋମ, ୮ଟାରେ ବେଶ ଶେଷ, ୮ଟା ୧୫ରେ ସୂର୍ଯ୍ୟପୂଜା, ସାଢେ ୮ଟାରେ ଦ୍ୱାରପାଳ ପୂଜା, ୯ଟାରେ ଗୋପାଳବଲ୍ଲଭ, ପୂର୍ବାହ୍ନ ସାଢେ ୯ରୁ ୧୧ଟା ୪୫ ସୁଦ୍ଧା ମଇଲମ, ବେଶ ଓ ଭୋଗ ମଣ୍ଡପ ବଢ଼ିବ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ମଧ୍ୟାହ୍ନ ଧୂପ, ୧୨ଟା ୧୦ରୁ ଅପରାହ୍ନ ୨ଟା ଦ୍ୱିତୀୟ ଭୋଗ ଅର୍ପଣ କରାଯାଇଥିଲା।

ସାଢେ ୨ଟାରେ ଦକ୍ଷିଣୀଘର ଭୋଗ ଓ ୨ଟା ୫୪ରେ ମଇଲମ ଓ ତଡ଼ପଲାଗି ନୀତି ନିର୍ଘଣ୍ଟ ହୋଇଛି।

ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଏହି ବିରଳ ଚନ୍ଦ୍ରଗ୍ରହଣକୁ ଯେ କେହି ଦେଖିପାରିବେ ଏବଂ ଏହା ନିରାପଦ ମଧ୍ୟ। ସହରର ଆଲୋକିତ ଅଞ୍ଚଳରୁ ଦେଖିଲେ କୃତ୍ରିମ ଆଲୋକ ଯୋଗୁଁ ଚନ୍ଦ୍ରର ବର୍ଣ୍ଣ ହୁଏତ କିଛିଟା ଧୂଆଁଳିଆ ଦେଖାଯାଇପାରେ। ଚନ୍ଦ୍ରଗ୍ରହଣର ଦୃଶ୍ୟ ଦେଖିବା ଉପରେ କେତେକ ପାରମ୍ପରିକ ଏବଂ ଧାର୍ମିକ କଟକଣା ରହିଛି। ମଣିଷ ଉପରେ ଏହି ଦୃଶ୍ୟର ଶାରୀରିକ, ମାନସିକ ଓ ମନସ୍ତାତ୍ତ୍ୱିକ ପ୍ରଭାବ ରହିଥିବା ବିଶ୍ୱାସ କରାଯାଏ। କିନ୍ତୁ ଏଭଳି ବିଶ୍ୱାସ ପଛରେ ବିଜ୍ଞାନସମ୍ମତ କାରଣ ନାହିଁ।

Comment