ଓଡ଼ିଶାଲାଇଭ୍‍ ବ୍ୟୁରୋ

ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରେ ବ୍ୟାପିଯାଇଥିଲା ‘କଥାକୁହା ତାଳଗଛ’ର କଥା। ଅନ୍ଧବିଶ୍ୱାସୀ ଲୋକେ ‘ବୃକ୍ଷଦେବୀ’ଙ୍କ ପୂଜାର୍ଚ୍ଚନା ଲାଗି ବାହାରି ପଡ଼ିଲେ। କିନ୍ତୁ ଅନ୍ଧବିଶ୍ୱାସର ଏହି ଧାରାକୁ ରୋକିବାରେ ସମର୍ଥ ହେଲା ପୋଲିସ।

ଗୁଜବ ବ୍ୟାପିବାକୁ ସମୟ ଲାଗେନି। ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରେ ବି ଚାହୁଁ ଚାହୁଁ ବ୍ୟାପିଗଲା କଥା କହୁଥିବା ତାଳଗଛର କଥା। ଅନ୍ଧବିଶ୍ୱାସୀ ଲୋକେ ‘ବୃକ୍ଷଦେବୀ’ଙ୍କ ପୂଜାର୍ଚ୍ଚନା ଲାଗି ବାହାରି ପଡ଼ିଲେ।

ଜଗତିଆଲ ଜିଲ୍ଲାର ଛୋଟିଆ ଗାଁଟିଏ କୋଣ୍ଡାଗାଟ୍ଟୁ ମୁତ୍ୟମପେଟ। ଗାଁର ତାଡ଼ି ବିକାଳି ମାଲେଶମ୍‌ ଗୌଡ଼ଙ୍କ ବାଡ଼ିରେ ଥିବା ଏକ ତାଳଗଛରୁ ଶବ୍ଦ ବାହାରୁଛି ବୋଲି କଥା ଉଠିଲା। କେତେକ ଛୋଟପିଲା ଖେଳୁଥିବା ବେଳେ ଗଛ ଭିତରୁ କେହି ଜଣେ କାନ୍ଦୁଥିବା ଶୁଣିବାକୁ ପାଇଲେ ବୋଲି କୁହାଗଲା। ପରେ ପରେ ଗଛରୁ ଶବ୍ଦ ବି ବାହାରିବାରେ ଲାଗିଲା। ଲୋକେ ଗଛ ପାଖରେ ଭିଡ଼ ଜମାଇଲେ। କାନ ଲଗାଇ ଶୁଣିଲେ। ଗାଁର ମାନ୍ୟଗଣ୍ୟ ବ୍ୟକ୍ତିମାନେ ବି ଏହି ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହେଲେ।

ଚାହୁଁ ଚାହୁଁ ବ୍ୟାପିଗଲା ଚମତ୍କାରୀ ଗଛର କଥା। ‘ବୃକ୍ଷଦେବୀ’ଙ୍କ ପୂଜାର୍ଚ୍ଚନା ଲାଗି ଆୟୋଜନ କରାଗଲା। ଗଛରେ ଚନ୍ଦନ, ସିନ୍ଦୂର, ହଳଦୀ ଲଗାଇ, ନୂଆ ଲୁଗା ଦେଇ ପୂଜା ଆରମ୍ଭ କଲେ ଗାଁ ଲୋକେ। ଗାଁରୁ ଗାଁକୁ ହୋଇ ସାରା ଜିଲ୍ଲାରେ ଚର୍ଚ୍ଚିତ ହେଲେ ‘ବୃକ୍ଷଦେବୀ’। ଗଛରେ ଦେବୀ ‘ୟେଲାମ୍ମା ଥାଲ୍ଲି’ ପ୍ରକଟ ହୋଇଛନ୍ତି ବୋଲି ଗୁଜବ ରଟିଗଲା। କିନ୍ତୁ, ଯାହା ଆଶା କରାଯାଉଥିଲା ତାହା ହେଲାନି। ଅନ୍ଧବିଶ୍ୱାସୀ ଭକ୍ତଙ୍କ ସୁଅ ଛୁଟିଲା ପୂର୍ବରୁ କାମରେ ଲାଗିପଡ଼ିଲା ଜଗତିଆଲ ପୋଲିସ।

ଏକ ତେଲୁଗୁ ନ୍ୟୁଜ ଚ୍ୟାନେଲରେ ଏ ଖବର ପ୍ରସାରିତ ହେବା ଦେଖି ଗାଁରେ ପୋଲିସ ଟିମ୍‌ ପହଞ୍ଚି ଗଲା। ମାଲିଆଲ ସର୍କଲ ଇନ୍‌ସପେକ୍‌ଟର ନଗେନ୍ଦ୍ରଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ ସରପଞ୍ଚ ଓ ଅନ୍ୟମାନଙ୍କୁ ସାଙ୍ଗରେ ନେଇ ଗଛ ପାଖରେ ପହଞ୍ଚିଲା। ଗଛରୁ ଯେ କୌଣସି ଶବ୍ଦ ବାହାରୁ ନାହିଁ ତାହା ଲୋକଙ୍କୁ ବୁଝାଇ ଦିଆଗଲା। ସରପଞ୍ଚ ଓ ଅନ୍ୟମାନେ ବି କାନ ଲଗାଇ ଶୁଣିଲେ ଏବଂ ପୋଲିସ କଥା ସତ ବୋଲି କହିଲେ। ଏଭଳି ଅନ୍ଧବିଶ୍ୱାସରେ ଭଳି ନ ଯିବାକୁ ସେଠାରେ ରୁଣ୍ଡ ହୋଇଥିବା ଲୋକଙ୍କୁ ବୁଝାଇ ଦେଲେ ପୋଲିସ ଓ ସରପଞ୍ଚ।

କିନ୍ତୁ ଗଛ ମାଲିକ ମାଲେଶମଙ୍କୁ ବୁଝାଇବା ସହଜ ନ ଥିଲା। ଗଛରେ ଦେବୀ ୟେଲାମ୍ମା ପ୍ରକଟ ହୋଇଛନ୍ତି ବୋଲି ବିଶ୍ୱାସ କରୁଥିଲେ ମାଲେଶମ୍‌। ଯେତେବେଳେ ତାଙ୍କୁ କୁହାଗଲା ଯେ କେହି ଜଣେ ଏଠାରେ ଦେବୀଙ୍କ ମନ୍ଦିର କରି ତାଙ୍କ ଜମି ହଡ଼ପ କରିବା ଲାଗି ଏଭଳି ଚକ୍ରାନ୍ତ କରିଛି, ସେତେବେଳେ ସେ ବୁଝିଥିଲେ। ଭିଡ଼ କମିଥିଲା। ଲୋକେ ନିଜ ନିଜ ଘରକୁ ଫେରିଥିଲେ। ପୋଲିସର ପ୍ରତ୍ୟୁତ୍ପନମତିତା ଯୋଗୁଁ ଗାଁ ଲୋକଙ୍କ ମନରୁ ଅନ୍ଧବିଶ୍ୱାସର ପରଦା ହଟି ଯାଇଥିଲା।

Comment