ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

  • ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଲାଗିବ ୬ ମାସ
  • ମାଲକାନଗିରି ସମେତ ସୀମାନ୍ତ ଛତିଶଗଡ଼ ଓ ଆନ୍ଧ୍ର ଲୋକେ ପାଇବେ ସୁବିଧା
  • ରହିବେ ବିଭିନ୍ନ ବିଭାଗର ବିଶେଷଜ୍ଞ
  • ରୋଗୀଙ୍କୁ ମିଳିବ ଉନ୍ନତମାନର ଚିକିତ୍ସା ସୁବିଧା

ଗତ ୨୬ ତାରିଖ ଦିନ ଗୁରୁପ୍ରିୟା ସେତୁ ଉଦଘାଟନ ଅବସରରେ ମାଲକାନଗିରିରେ ୩୨୫ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଗୁରୁପ୍ରିୟା ସେତୁ ବିଛିନ୍ନାଞ୍ଚଳବାସୀଙ୍କ ପାଇଁ ଯେତିକି ଗୁରୁତ୍ୱ ଏହାଠୁ ଅଧିକ ଗୁରୁତ୍ୱ ବହନ କରୁଛି ନୂତନ ଚିକିତ୍ସାଳୟ। ଏହି ଡାକ୍ତରଖାନା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ମାଲକାନଗିରି ଜିଲ୍ଲା ସମେତ ସୀମାନ୍ତ ଛତିଶଗଡ଼ ଓ ଆନ୍ଧ୍ର ଲୋକେ ବି ସ୍ୱାସ୍ଥ୍ୟସେବା ପାଇପାରିବେ।

ଏହି ଡାକ୍ତରଖାନାରେ କ’ଣ ରହିଛି ସୁବିଧା?

୭ ମହଲା ବିଶିଷ୍ଟ ଏହି କୋଠାରେ ପ୍ରଥମ ପର୍ଯାୟରେ ଆଉଟଡର  ସେବା ଯୋଗାଇ ଦିଆଯିବ। ବର୍ହି ବିଭାଗରେ ଭେଷଜ, ଶୈଲ୍ୟ, ଅସ୍ଥିଶୈଲ୍ୟ ଓ ଦନ୍ତ ବିଶେଷଜ୍ଞ ରହିବେ। ଆଗାମୀ ଦିନରେ ଆଇସିୟୁ, ଏସ୍ଏନସିୟୁ, ମେଡିସିନ ୱାର୍ଡ, ମହିଳା ଓ ପୁରୁଷ ମେଡିସିନ ୱାର୍ଡ, ଶିଶୁ ୱାର୍ଡ, ଶୈଲ୍ୟ ବିଭାଗ ୱାର୍ଡ, ଜୁରୁରୀ କାଳୀନ ୱାର୍ଡ, ଅତ୍ୟାଧୁନିକ ଲାବରେଟୋରୀ ଓ ଅପରେସନ ଥିଏଟର ଆଦି ରହିବ।

ସେହିପରି ନୂତନ ଭାବେ ୩ଟି ଶଯ୍ୟା ବିଶିଷ୍ଟ ଡାଏଲେସିସ୍‌ ୱାର୍ଡ, ଅକ୍ସିଜେନ ପ୍ଲାଣ୍ଟ, ନୂତନ ଏକ୍ସ-ରେ, ଅଲଟ୍ରାସାଉଣ୍ଡ ଓ ନିଦାନ ଯୋଜନାରେ ସମସ୍ତ ପରୀକ୍ଷା ମାଗଣାରେ କରାଯିବ। ନିରାମୟ ଯୋଜନାରେ ମାଗଣା ଔଷଧ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ୫୦ ବର୍ଷର ପୁରୁଣା ଡିଏନକେ ଅମଳର ଏହି ପୁରଣା ମେଡିକାଲଟି ସ୍ଥାନାନ୍ତରିତ ହେବା ନେଇ ସମସ୍ତ ପ୍ରକ୍ରିୟା ଜାରୀ ରହିଛି।

ପୁରୁଣା ବିଲ୍ଡିଂରୁ ନୂଆ କୋଠାକୁ ସମ୍ପୂର୍ଣ୍ଣ ସ୍ତାନାନ୍ତର ହେବା ନେଇ ଆହୁରି ୪ ରୁ ୬ ମାସ ସମୟ ଲାଗିବ। ଫଳରେ କିଛିଦିନ ଲାଗି ରୋଗୀ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କା ବ୍ୟୟରେ ମାଲକାନଗିରିରେ ଅତ୍ୟାଧୁନିକ ଡାକ୍ତରଖାନା ନିର୍ମାଣ କରାଯାଇଛି।

ଏହି ଅତ୍ୟାଧୁନିକ ମେଡିକାଲରେ ଅଗ୍ନି ନିରାପତ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ପାନୀୟ ଜଳ ନିମନ୍ତେ ସତିଗୁଡ଼ା ଜଳଭଣ୍ଡାରରୁ ସ୍ୱତନ୍ତ୍ର ଭାବେ ପାଇପ ଲାଇନ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯାୟରେ ଏଠାରେ ୧୨୫ ଶଯ୍ୟା ରହିବ। ପରବର୍ତ୍ତୀ ସମୟରେ ଏହା ୩୨୫ ଶଯ୍ୟାକୁ ବଢ଼ାଯିବ। ଆହୁରି ଅଧିକ ଡାକ୍ତର ଓ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇ ଏହାକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ।

ଜିଲ୍ଲାବାସୀଙ୍କ ସ୍ୱପ୍ନ ପୂରଣ ହେଲା

ପୁରୁଣା ମେଡିକାଲରେ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ। ବର୍ଷାଦିନେ ମେଡିକାଲ ଛାତରୁ ପାଣି ଗଳୁଥିଲା। ଏଭଳି ସ୍ଥିତିରେ ନୂତନ ମେଡିକାଲ ଜିଲ୍ଲା ପାଇଁ ଏକ ବରଦାନ। ଯଦି ଏହି ନୂତନ ଅତ୍ୟାଧୁନିକ ହସ୍ପିଟାଲରେ ରୋଗୀମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ ହୁଏ ତାହାଲେ ରୋଗୀ ବିଶାଖାପାଟଣା କିମ୍ବା ଭୁବନେଶ୍ୱରକୁ ଆଉ ଯିବେ ନାହିଁ।

ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନୀଲ କୁମାର ମିଶ୍ର କହିଛନ୍ତି, “ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଏଠାରେ ମାଗଣାରେ ଦିଆଯିବ। ନିଦାନ ଯୋଜନାରେ  ରକ୍ତ ପରିକ୍ଷା, ଏକ୍ସ-ରେ, ଅଲଟ୍ରାସାଉଣ୍ଡ, ଇସିଜି ଭଳି ସେବା ମିଳିବ। ନିରାମୟ ଯୋଜନାରେ ସମସ୍ତ ଔଷଧ ମାଗଣାରେ ପ୍ରଦାନ କରାଯିବ। ୩ ଶଯ୍ୟା ବିଶିଷ୍ଟ ଡାଏଲେସିସ୍‌ ସେଣ୍ଟର ନିର୍ମାଣ ସରିଥିବା ବେଳେ ଏଠାରେ ମାଗଣାରେ ରୋଗୀ ସୁବିଧା ପାଇବେ।

Comment