ଓଡ଼ିଶାଲାଇଭ୍ ବ୍ୟୁରୋ
ଘର ଚଳାଇବା ସହ କଲେଜର ପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ରାସ୍ତାକଡ଼ରେ ମାଛ ବିକୁଥିବା କେରଳର ହାନନ ହାମିଦ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି।
ନିଜ ସଂଘର୍ଷପୂର୍ଣ୍ଣ ଜୀବନଯାତ୍ରାକୁ ସୋସିଆଲ ମିଡିଆରେ ପ୍ରକାଶ କରି ଚର୍ଚ୍ଚାରେ ରହିଛନ୍ତି କେରଳର ଜଣେ ଯୁକ୍ତ ତିନି ବିଜ୍ଞାନ ଛାତ୍ରୀ। ଘର ଚଳାଇବା ସହ କଲେଜର ପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ରାସ୍ତାକଡ଼ରେ ମାଛ ବିକୁଥିବା ଏହି ଯୁବତୀ ଜଣକ ଏବେ ପ୍ରଶଂସା, ପ୍ରତିଶ୍ରୁତି ଓ ପ୍ରଶ୍ନବାଚୀ ଘେରରେ।
କେରଳର ଇଡୁକ୍କି ଜିଲ୍ଲା ଅନ୍ତର୍ଗତ ଅଲ ଅଜହର କଲେଜ ଅଫ୍ ଆର୍ଟସ ଆଣ୍ଡ ସାଇନ୍ସର ତୃତୀୟ ବର୍ଷ ବିଜ୍ଞାନ ଛାତ୍ରୀ ହାନନ ହାମିଦ। ଜୀବନ ସଂଘର୍ଷକୁ ନେଇ ଏବେ ସେ ଚର୍ଚ୍ଚାରେ। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ହାମିଦଙ୍କ ଜୀବନଚର୍ଯ୍ୟା ଏହିପରି।
ଏର୍ଣ୍ଣାକୁଲମ ଜିଲ୍ଲା ମଡ଼ବନାରେ ରହନ୍ତି। ପ୍ରତିଦିନ ଭୋର ତିନିଟାରୁ ଉଠି ଘଣ୍ଟାଟିଏ ପାଠ ପଢ଼ନ୍ତି ହାମିଦ। ପରେ ସାଇକେଲରେ ପ୍ରାୟ ୧୨ କିଲୋମିଟର ଦୂର ଚମ୍ବକାରାର ହୋଲ୍ସେଲ ମାଛ ମାର୍କେଟକୁ ଯାଇ ମାଛ କିଣନ୍ତି। ମାଛ ଓ ସାଇକେଲକୁ ଅଟୋରେ ରଖି ତମନ୍ନମ ଜଙ୍କସନ୍କୁ ଯାଆନ୍ତି। ଜଣେ ପରିଚିତ ଲୋକଙ୍କ ଘରେ ମାଛ ରଖି ଘରକୁ ଫେରି ବସ୍ରେ ପ୍ରାୟ ୬୦ କିଲୋମିଟର ଦୂର କଲେଜକୁ ପଢ଼ିବାକୁ ଯାଆନ୍ତି। କଲେଜରୁ ଫେରି ସନ୍ଧ୍ୟାରେ ତମନ୍ନମ ଜଙ୍କସନ୍ରେ ମାଛ ବିକନ୍ତି ହାମିଦ୍। ମାଛ ବିକି ରାତିରେ ଘରକୁ ଫେରନ୍ତି।
ଘରେ ମାନସିକ ରୋଗୀ ମାଆ। ବାପାଙ୍କର ଖୋଜଖବର ନାହିଁ। ମାଛ ବିକିବା ସହିତ ପିଲାଙ୍କୁ ଟ୍ୟୁସନ କରନ୍ତି। ଏସବୁ ଭିତରେ ବି ଅଭିନୟ କରିବା, କବିତା ଲେଖିବା ଏବଂ ସାମରିକ କଳା କଲାରିପାୟାଟ୍ଟୁରେ ତାଙ୍କର ରୁଚି ରହିଛି।
ଗତ ବୁଧବାର ଦିନ ସ୍ଥାନୀୟ ଏକ ଖବରକାଗଜରେ ହାମିଦଙ୍କ ସଂଘର୍ଷମୟ ଜୀବନ କାହାଣୀ ପ୍ରକାଶିତ ହେଲା ପରେ ସୋସିଆଲ ମିଡିଆରେ ଏହା ବେଶ ପ୍ରସାରିତ ହେଲା। ନେତା, ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସମେତ ହଜାର ହଜାର ଲୋକ ତାଙ୍କୁ ପ୍ରଶଂସା କଲେ। ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଲେ। ନିର୍ଦ୍ଦେଶକ ଅରୁଣ ଗୋପୀ ତାଙ୍କର ପରବର୍ତ୍ତୀ ସିନେମାରେ ଅଭିନୟ କରିବାର ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଲେ।
ପ୍ରଶଂସାର ସୁଅ ଭିତରେ ସାମିଲ ହେଲେ ଅନେକ ନିନ୍ଦୁକ। ହାମିଦଙ୍କ ବେଶଭୂଷାକୁ ନେଇ ପ୍ରଶ୍ନ ଉଠାଇଲେ। ଏମିତିକି ସୁନାର କାନଫୁଲ ପାଇଁ ସେ କେଉଁଠୁ ପଇସା ଆଣିଲେ ବୋଲି ବି ପଚାରିଲେ। ହାମିଦଙ୍କ ଜୀବନ କାହାଣୀରେ ଛଳନାର ଗନ୍ଧ ବାରିଲେ ଏବଂ ସିନେମାରେ ଅଭିନୟ କରିବାର ସୁଯୋଗ ପାଇବାକୁ ସେ ନିଜ ସଂପର୍କରେ ଏଭଳି କାହାଣୀ ଗଢ଼ିଛନ୍ତି ବୋଲି ବି ମନ୍ତବ୍ୟ ଦେଲେ। ଟ୍ରୋଲିଂରେ ବ୍ୟତିବ୍ୟସ୍ତ ହୋଇ ନିଜ ଫେସ୍ବୁକ୍ ଆକାଉଣ୍ଟକୁ ବନ୍ଦ କରିଦେଲେ ହାମିଦ୍। ତଥାପି ଚର୍ଚ୍ଚାରେ ରହିଲେ ହାନନ ହାମିଦ।
ପରିସ୍ଥିତି ଏମିତି ହେଲା ଯେ ପରଦିନ ତମନ୍ନମ ଜଙ୍କସନ୍ରେ ସେ ମାଛ ବିକା ଆରମ୍ଭ କଲା ମାତ୍ରେ ତାଙ୍କ ଚାରିପଟେ ଗହଳି ଲାଗିଗଲା। ସାଧାରଣ ଲୋକେ ତାଙ୍କୁ ଦେଖିବା ପାଇଁ ପହଞ୍ଚିଲେ। ସାମ୍ବାଦିକମାନେ ପ୍ରଶ୍ନ କରିବା ଆରମ୍ଭ କରିଦେଲେ। କିଏ ସେଲ୍ଫି ନେଲେ ତ କିଏ ମୋବାଇଲରେ ଭିଡିଓ ରେକର୍ଡିଂ କଲେ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପହଞ୍ଚି ଭିଡ଼ ଭିତରୁ ହାମିଦଙ୍କୁ ଉଦ୍ଧାର କଲା। ସେଦିନ ତାଙ୍କ ମାଛ ବିକା ବନ୍ଦ ରହିଲା। କିନ୍ତୁ ଆଶ୍ୱାସନାର କଥା ଯେ ହାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ କେ.ଜେ.ଆଲ୍ଫନ୍ସ।
ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯିବା ଘଟଣାକୁ ନିନ୍ଦା କରିଛନ୍ତି। ମାଛ ବିକିବା ପାଇଁ ତାଙ୍କୁ ଏକ କିଓସ୍କ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କୋଚିର ମେୟର। ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ହାତ ବଢ଼ାଇଛନ୍ତି ଅନେକ ରାଜନେତା, ସାମାଜିକ ସଂଗଠନ ଓ କର୍ମକର୍ତ୍ତା। ହାନନ ବି ସାହସ ହରାଇ ନାହାନ୍ତି। ଆଗକୁ ଏମବିବିଏସ୍ ପଢ଼ି ଡାକ୍ତର ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି।








ଘର ଚଳାଇବା ସହ କଲେଜର ପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ରାସ୍ତାକଡ଼ରେ ମାଛ ବିକୁଥିବା କେରଳର ହାନନ ହାମିଦ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି।





