ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟଣା ମନରୁ ନଲିଭୁଣୁ ଝାଡ଼ଖଣ୍ଡରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ରହସ୍ୟମୟ ମୃତ୍ୟୁ ଘଟିଛି।

ଗୋଟିଏ ପରିବାରର ୭ଜଣଙ୍କ ଆତ୍ମହତ୍ୟା। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ରାଞ୍ଚି ଅନ୍ତର୍ଗତ କାନ୍‌କେ ଥାନା ଅଧୀନ ଏକ କୋଲ୍ଡ ଷ୍ଟୋରେଜ ନିକଟରେ ବସବାସ କରୁଥିବା ଗୋଟିଏ ପରିବାରର ୭ଜଣ ସଦସ୍ୟଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି।

ଘଟଣାସ୍ଥଳରେ ଫରେନସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତ ପରେ ମଧ୍ୟ ପରିବାରର ୭ଜଣଙ୍କୁ ହତ୍ୟା କରାଯାଇଛି ନା’ ସେମାନେ ଆତ୍ମହତ୍ୟା କରିଛନ୍ତି ଏ ସମ୍ପର୍କରେ କୌଣସି ତଥ୍ୟ ଜଣାପଡ଼ିନାହିଁ। ପରିବାର ମୁଖ୍ୟଙ୍କ ନାମ ଦୀପକ ଝା।

ପରିବାରର ଦୁଇଜଣ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିବାବେଳେ ବାକି ୫ଜଣଙ୍କୁ ଚଟାଣରେ ମୃତାବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ମୃତକଙ୍କ ପରିବାର ପ୍ରକୃତ ଘର ହେଉଛି ବିହାରର ବାଗଲପୁର। ସେ କିଛିବର୍ଷ ହେବ ରାଞ୍ଚିକୁ ପଳେଇ ଆସିଥିଲେ।

ପରିବାରବର୍ଗ ଏକ ଭଡ଼ା ଘରେ ରହୁଥିବାବେଳେ ସେମାନଙ୍କ ସହ କାହାରି ଶତ୍ରୁତା ନଥିଲା ବୋଲି ପଡ଼ୋଶୀମାନେ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଗତ ଦୁଇମାସ ହେବ ସେମାନେ ଘରଭଡ଼ା ଟଙ୍କା ଦେଇପାରି ନଥିଲେ। ଦୀପକ ଝା ବ୍ୟାଙ୍କରୁ ଲୋନ ପାଇଁ ଆବେଦନ କରିଥିଲେ। ଏଥିରୁ ଯାହା ଜଣାପଡ଼ୁଛି ଆର୍ଥିକ ବୋଝ କାରଣରୁ ପୂରା ପରିବାର ଏଭଳି ଆତ୍ମହତ୍ୟା ନିଷ୍ପତ୍ତି ନେଇଥାଇପାରନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ୍ ଆରମ୍ଭ କରିଛି।

ଗତକିଛି ଦିନ ତଳେ ଝାଡ଼ଖଣ୍ଡରେ ଆର୍ଥିକ ବୋଝ କାରଣରୁ ଗୋଟିଏ ପରିବାରର ୬ଜଣ ଆତ୍ମହତ୍ୟା କରିଥିଲେ।

Comment