ଓଡ଼ିଶାଲାଇଭ୍‍ ପଲିଟିକାଲ୍‍ ବ୍ୟୁରୋ

ନିର୍ବାଚନ ପାଇଁ ଆଉ ମାତ୍ର ବର୍ଷକରୁ କମ୍‍ ସମୟ ଥିବା ବେଳେ ଓଡ଼ିଶାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।

ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ବର୍ଷକରୁ କମ୍‍ ସମୟ ଥିବା ବେଳେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବିଭିନ୍ନ ଦଳ ପକ୍ଷରୁ ଏ ନେଇ ବିଭିନ୍ନ ପ୍ରକାର ଉପାୟ ଗ୍ରହଣ କରାଯାଉଛି।

ଶାସକ ବିଜେଡିର ସମସ୍ୟା ହେଉଛି ଗୋଟିଏ ନିର୍ବାଚନ ମଣ୍ଡଳୀ ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀଙ୍କ ଉଦୟ। ପ୍ରତି ବିଧାନସଭା ଓ ଲୋକସଭା ଆସନ ପାଇଁ ନିହାତି କମରେ ୧୨ଜଣ ପ୍ରାର୍ଥୀ ଟିକେଟ ପାଇବା ସକାଶେ ଅଣ୍ଟା ଭିଡ଼ିଛନ୍ତି। ଏଣୁ ଏମାନଙ୍କ ଭିତରୁ କାହାକୁ ଟିକେଟ ଦିଆଯିବ ଓ କିଏ ବାଦ ପଡ଼ିବେ ସେ ନେଇ ବିଚାରବିମର୍ଶ ଚାଲିଛି।

ବିଜେପିର ସମସ୍ୟା କିନ୍ତୁ ଅଲଗା ପ୍ରକାରର। ଉଭୟ ବିଧାନସଭା ଓ ଲୋକସଭା ପାଇଁ ଠିକଣା ପ୍ରାର୍ଥୀ ପାଇବା ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି। କେଉଁ ନିର୍ବାଚନ ମଣ୍ଡଳୀରେ କେଉଁ ପ୍ରାର୍ଥୀ ଦିଆଗଲେ ସେ ନିଶ୍ଚିତ ଭାବରେ ଜିତିବେ ସେ ନେଇ ଚିନ୍ତା ଚାଲିଛି।

ଏଣେ କଂଗ୍ରେସ ଚାହୁଁଛି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେବ ଯେଉଁମାନଙ୍କ ଦଳ ପ୍ରତି ଆନୁଗତ୍ୟ ରହିଥିବ ଓ ଯାହାଙ୍କର ସମ୍ପର୍କୀୟମାନେ ଆଗରୁ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଥିବେ। ତା’ଛଡ଼ା ଯୁବକମାନଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପାଇଁ ଚାହୁଁଛି, ଯାହାଫଳରେ କି ସେମାନେ ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରିବେ।

ଶାସକ ଦଳର ଚିନ୍ତା (ଓ ନିଷ୍ପତ୍ତି ମଧ୍ୟ) ହେଉଛି ଯେଉଁ ବିଧାୟକ ଓ ସାଂସଦ ବିଗତ ଚାରିବର୍ଷ ମଧ୍ୟରେ ଲୋକପ୍ରିୟତା ହରାଇଥିବେ ସେମାନଙ୍କୁ କୌଣସି ପ୍ରକାର ଟିକେଟ ଦିଆଯିବ ନାହିଁ। ଏଣୁ ଏଥର ନିର୍ବାଚନରେ ଅନେକଗୁଡାଏ ସିଟରେ ନୂଆ ଚେହେରା ଦେଖିବାକୁ ମିଳିବ।

ବିଜେଡିରେ ବିଧାୟକ ଓ ସାଂସଦ ହେବା ପାଇଁ ବହୁ ଲୋକ ମନ ବଳାଉଥିଲେ ମଧ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଗୋଟିଏ କଥା ଉପରେ ଜୋରଦେବା ଆପାତତଃ ସ୍ପଷ୍ଟ ହୋଇଛି, ଆଉ ତାହା ହେଉଛି ‘ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା’। ଯିଏ ଅଧିକ ଭୋଟ ଆଣିପାରିବ ସେ ହିଁ ଟିକେଟ ପାଇବ ଏଭଳି ଏକ କଥା ଶାସକ ଦଳ ଭିତରେ ଶୁଣାଯାଉଛି। ଏଣୁ ମୁହଁଦେଖା ଏଥର କାମ ଦେବ ନାହିଁ ବୋଲି ଆଲୋଚନା ହେଉଛି।

ବିଜେଡିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ଅନ୍ୟ ଦଳମାନେ ଠିକଣା ପ୍ରାର୍ଥୀ ପାଇବା ସକାଶେ କସରତ କରୁଥିବା ବେଳେ ଆମ ଦଳରେ ସେଭଳି ସମସ୍ୟା ନାହିଁ। ଆମର ୧୧୮ ବିଧାୟକ ଓ ୨୦ ଲୋକସଭା ସାଂସଦ ଅଛନ୍ତି। ଯଦି ବି କେହି ଟିକେଟ ନ ପାଆନ୍ତି, ଆମ ଦଳରେ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ ନାହିଁ।

ଗୋଟିଏ ଗୋଟିଏ ଆସନ ପାଇଁ ଏକାଧିକ ପ୍ରାର୍ଥୀ ଆଶାୟୀ ଥିବାରୁ କିଛି ଅସୁବିଧା ହେବକି ନାହିଁ ବୋଲି ପ୍ରଶ୍ନ ହେବାରୁ ସେ କହିଲେ ବିଜେଡି ଏତେ ସଙ୍ଗଠିତ ଓ ଶୃଙ୍ଖଳିତ ଯେ ଯିଏ ବି ଟିକେଟ ପାଆନ୍ତୁ ତାଙ୍କୁ ଦଳର କର୍ମୀ ପୂରା ସାହାଯ୍ୟ କରିବେ। ତା’ ଛଡ଼ା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ପ୍ରାର୍ଥୀମାନେ ଭୋଟ ପାଇ ଚାଲିବେ, ଏଥିରେ ଆଦୌ ସନ୍ଦେହ ରହିବା ଉଚିତ ନୁହେଁ।

କଂଗ୍ରେସ ଦଳରେ ସ୍ଥିତି କିନ୍ତୁ ଟିକିଏ ଅଲଗା। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଦଳରେ ନୂଆ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଛି। କଂଗ୍ରେସର ଯୋଜନା ହେଉଛି ଯେତେ ଶୀଘ୍ର ସମ୍ଭବ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଦିଆଯିବ।

“ଆମର ଆଭ୍ୟନ୍ତରୀଣ ନିଷ୍ପତ୍ତି ହେଉଛି ଯେଉଁ ପ୍ରାର୍ଥୀମାନଙ୍କର ଜିତିବାର ସମ୍ଭାବନା ରହିଛି ସେମାନଙ୍କୁ ହିଁ ଟିକେଟ ଦିଆଯିବ। ଏହା ଏକ ଧାରାବାହିକ ରାଜନୈତିକ ପ୍ରକ୍ରିୟା। ଅଗଷ୍ଟ ପ୍ରଥମ ସପ୍ତାହରେ ଆମର ପ୍ରାର୍ଥୀ ଚୟନ ଆରମ୍ଭ ହେବ”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ଇତିମଧ୍ୟରେ ବିଜେପିର ୨୨ ଜଣିଆ ନିର୍ବାଚନ କମିଟିର ବୈଠକ ରବିବାର ଦିନ ବସିଛି। ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଦଳର ପ୍ରଥମ ଲକ୍ଷ୍ୟ ହେଉଛି ସବୁଯାକ ବୁଥ ପାଇଁ କମିଟି ଗଠନ। ଏହା ଶେଷ ହେବା ପରେ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଚୟନ ଆରମ୍ଭ କରାଯିବ।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୩୬,୦୦୦ ବୁଥ ଭିତରୁ ୨୨,୦୦୦ ବୁଥରେ କମିଟି ଗଠିତ ହୋଇସାରିଛି। ସମାନ୍ତରାଳ ଭାବରେ କେଉଁ ପ୍ରାର୍ଥୀଙ୍କ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଧାରଣା କ’ଣ, ତାହାର ଏକ ସର୍ଭେ ମଧ୍ୟ କରାଯାଇଛି।

ଦଳର ଉପ-ସଭାପତି ସମୀର ମହାନ୍ତି କହିଛନ୍ତି ଯେ ଦଳର ପାର୍ଲାମେଣ୍ଟାରୀ ବୋର୍ଡ ହିଁ ସ୍ଥିର କରିବ କିଏ ପ୍ରାର୍ଥୀ ହେବେ। ହେଲେ ଜିତିବାର ସମ୍ଭାବନାକୁ ଭିତ୍ତିକରି ହିଁ ଟିକେଟ ଦିଆଯିବ।

LEAVE A REPLY

Please enter your comment!
Please enter your name here