ଓଡ଼ିଶାଲାଇଭ୍ ବ୍ୟୁରୋ
ଚାପ ପରିସ୍ଥିତିରେ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ କରି ଭାରତୀୟ ଦଳ ମହିଳା ହକି ବିଶ୍ୱକପର ନକ୍ଆଉଟରେ ପ୍ରବେଶ କରିଛି।
ଆମେରିକା ବିପକ୍ଷ କର ବା ମର ମୁକାବିଲାକୁ ୧-୧ ଗୋଲ୍ରେ ଅମୀମାଂସିତ ରଖି ଭାରତୀୟ ମହିଳା ହକି ଦଳ ଲଣ୍ଡନ ବିଶ୍ୱକପ୍ର ପ୍ଲେ ଅଫ୍ରେ ପ୍ରବେଶ କରିଛି।
ପ୍ରଥମ ଦୁଇ ମ୍ୟାଚ୍ରୁ ଗୋଟିଏ ପରାଜୟ ଏବଂ ଗୋଟିଏ ଡ୍ର’ ସହ ୧ ପଏଣ୍ଟ୍ ପାଇଥିବା ଭାରତୀୟ ମହିଳା ଦଳ ରବିବାରର ବହୁମୂଲ୍ୟ ୧ ପଏଣ୍ଟ୍ ସହ ମୋଟ ୨ ପଏଣ୍ଟ ଅର୍ଜନ କରି ଗ୍ରୁପ୍-ବିର ତୃତୀୟ ଦଳ ଭାବେ ଏହି ପର୍ଯ୍ୟାୟକୁ ଯାଇଛି। ଫଳରେ ରାଣୀ ରାମପାଲଙ୍କ ଦଳର କ୍ୱାର୍ଟର ଫାଇନାଲ୍ ଖେଳିବା ଆଶା ଉଜ୍ଜୀବିତ ରହିଛି।
କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ୩୧ ତାରିଖରେ ହେବାକୁଥିବା କ୍ରସ୍-ଓଭର ମ୍ୟାଚ ଜିତିବାକୁ ପଡ଼ିବ। ଏହି ମ୍ୟାଚର ବିଜେତା କ୍ୱାର୍ଟର ଫାଇନାଲରେ ଆୟର୍ଲାଣ୍ଡକୁ ଭେଟିବ।
ଭାରତ ଆଜି ୨୦ ମିନିଟ୍ ଧରି ପଛୁଆ ରହିବା ପରେ ସଫଳ ପ୍ରତ୍ୟାବର୍ତନ ସହ ବିଶ୍ୱ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ଆମେରିକାଠାରୁ ପଏଣ୍ଟ ଛଡ଼ାଇ ଆଣିଥିଲା। ସଂଘର୍ଷପୂର୍ଣ୍ଣ ମ୍ୟାଚ୍ର ତୃତୀୟ ମିନିଟ୍ରେ ଅଧିନାୟିକା ରାଣୀ ଆହତ ହୋଇ କିଛି ସମୟ ପାଇଁ ପଡ଼ିଆ ବାହାରକୁ ଯିବା ଭାରତ ପାଇଁ ଏକ ଶକ୍ତ ଧକ୍କା ହୋଇଥିଲା।
ତା’ ସହ ଅଷ୍ଟମ ମିନିଟ୍ରେ ମିଳିଥିବା ପେନାଲ୍ଟି କର୍ନରକୁ ଭାରତ ବେକାର ଯିବାକୁ ଦେଇଥିଲା। ସେପଟେ ଏକାଦଶ ମିନିଟ୍ରେ ମାର୍ଗଉସ୍କ ପାଉଲିନୋଙ୍କ ଗୋଲ୍ ବଳରେ ଆମେରିକା ଆଗୁଆ ହୋଇ ଯାଇଥିଲା।
ତୃତୀୟ କ୍ୱାର୍ଟରର ପ୍ରଥମ ମିନିଟ୍ରେ ଭାରତର ଭାଗ୍ୟ ବଦଳି ଥିଲା ଅଧିନାୟିକା ରାଣୀ ଏକ ଶକ୍ତିଶାଳୀ ଷ୍ଟ୍ରୋକ୍ରେ ଆମେରିକୀୟ ଗୋଲ୍ ରକ୍ଷିକାଙ୍କୁ ଚକମା ଦେଇ ସ୍ଥିତି ୧-୧ କରି ନେଇଥିଲେ।
ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତ ଇଂଲଣ୍ଡ ବିପକ୍ଷ ମୁକାବିଲାକୁ ୧-୧ ଗୋଲ୍ରେ ଅମୀମାଂସିତ ରଖିଥିଲା। ବିଶ୍ୱମାନ୍ୟତାର ଷୋଡ଼ଶ ସ୍ଥାନରେ ଥିବା ଆୟର୍ଲାଣ୍ଡଠାରୁ ୦-୧ରେ ହାରି ଯାଇଥିଲା।
ନିୟମ ଅନୁସାରେ ୪ଟି ଗ୍ରୁପର ଶୀର୍ଷ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ତେଣୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଥିବା ଦଳଗୁଡ଼ିକ ହେଲେ ଜର୍ମାନୀ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍ସ ଓ ଆୟର୍ଲାଣ୍ଡ।
ଦ୍ୱିତୀୟ ଓ ତୃତୀୟ ସ୍ଥାନୀୟ ଦଳ ପ୍ଲେ-ଅଫ୍କୁ ଉନ୍ନୀତ ହେବେ। ଏହି ୮ଟି ଦଳ ମଧ୍ୟରେ କ୍ରସ୍ ଓଭର ମ୍ୟାଚ ହୋଇ ଅବଶିଷ୍ଟ ୪ଟି କ୍ୱାର୍ଟର ଫାଇନାଲ ସ୍ଥାନ ଚୂଡ଼ାନ୍ତ ହେବ।
ସେହି କ୍ରମରେ ପୁଲ୍‘ବି’ର ୩ୟ ସ୍ଥାନରେ ଥିବା ଭାରତ ପୁଲ୍ ‘ଏ’ର ଦ୍ୱିତୀୟ ସ୍ଥାନୀୟ ଦଳକୁ ଭେଟିବ।



















