ଓଡ଼ିଶାଲାଇଭ୍ବ୍ୟୁରୋ

ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେବା ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି। ଭାରତୀୟ ହକିର ସର୍ବୋଚ୍ଚ ପରିଚାଳନା ସଂସ୍ଥାର ସଭାପତି ହେବାରେ ଦିଲ୍ଲୀପ ହେଉଛନ୍ତି ପ୍ରଥମ ପୂର୍ବତନ ଖେଳାଳି।

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ସେ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଓ ହକି ଆସୋସିଏସନ ଅଫ୍‌ ଓଡ଼ିଶାର ସଭାପତି ଥିଲେ। ତେବେ ଦିନେ ଭାରତୀୟ ହକି ଦଳର ବ୍ୟାକ ବୋନ୍‌ କୁହାଯାଉଥିବା ଦିଲ୍ଲୀପଙ୍କ ତତ୍ତ୍ୱାବଧାନ ଏବଂ ମାର୍ଗଦର୍ଶନରେ ଭାରତୀୟ ହକି ପୁଣି ଥରେ ସଫଳତାର ଶୀର୍ଷ ଛୁଇଁବ ବୋଲି ଆଶା କରାଯାଉଛି। ଏହି ଅବସରରେ ଓଡ଼ିଶାଲାଇଭ୍‌କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଦିଲ୍ଲୀପ ତାଙ୍କର ଆଗାମୀ ଯୋଜନା, ହକିର ବିକାଶକୁ ନେଇ ନୂଆ ରଣନୀତି ସମ୍ପର୍କରେ କହିଛନ୍ତି।

‘‘ହକି ଇଣ୍ଡିଆର ସଭାପତି ଭାବେ ମୋର ଏବେ ଦାୟିତ୍ୱ ବଢ଼ିଯାଇଛି। ଦିନେ ଆମ ଭାରତୀୟ ଦଳ ହକି ଚାମ୍ପିୟନ ଥିଲେ,ତେଣୁ ପୁଣି ଥରେ ଭାରତୀୟ ହକିର ପୂର୍ବ ଗୌରବ ଫେରାଇ ଆଣିବାକୁ ପ୍ରୟାସ କରିବି। ଦିନେ ଭାରତ ଅଲିମ୍ପିକ୍ସରେ କ୍ରମାନ୍ୱୟରେ ସ୍ୱର୍ଣ୍ଣ ପଦକ ଜିତି ଆସୁଥିଲା। ୧୯୮୦ ଯାଏଁ ଭାରତ ହକିରେ ଭଲ ପ୍ରଦର୍ଶନ କରିଆସିଛି। କିନ୍ତୁ ଏହାପରେ ହକିରେ ଭାରତ ଭଲ ପ୍ରଦର୍ଶନ କରିପାରିନାହିଁ। ତେଣୁ ପୁଣିଥରେ ଟିମ୍‌କୁ ସେଇ ଫର୍ମକୁ ନେବା ପାଇଁ ମୋର ଚେଷ୍ଟା ରହିବ’’, କହିଛନ୍ତି ଦିଲ୍ଲୀପ ତିର୍କୀ।

ସେ ଆହୁରି କହିଛନ୍ତି, ‘‘ଆମେ ଯେତେବେଳେ ଖେଳୁଥିଲୁ ଏବଂ ବର୍ତ୍ତମାନ ସମୟ ପୂରା ବଦଳି ଯାଇଛି। ବିଗତ ୨୫ ବର୍ଷ ମଧ୍ୟରେ ଓଡ଼ିଶା ହକିରେ ବହୁ ପରିବର୍ତ୍ତନ ଆସିଛି।  ଓଡ଼ିଶାକୁ ସମସ୍ତେ ହକିର ରାଜଧାନୀ କହୁଛନ୍ତି। ଜଣେ ହକି ଖେଳାଳି ଭାବେ ଏହା ମୋ ପାଇଁ ଗର୍ବର କଥା। କ୍ରୀଡ଼ା ଭିତ୍ତିଭୂମିର ବିକାଶ, ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏଇ ମାଟିର ପୁଅ ଭାବେ ମୁଁ ଓଡ଼ିଶାର ଟେକ ବଜାୟ ରଖିବାକୁ ପ୍ରୟାସ କରିବି।’’

୨୦୨୩ ବିଶ୍ୱକପ୍‌ ଚାଲେଞ୍ଜିଂ

୨୦୨୩ରେ ଓଡ଼ିଶା ପୁଣିଥିରେ ପୁରୁଷ ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ବିଶ୍ୱସ୍ତରୀୟ ଏହି ଉତ୍ସବକୁ ଆଉ ଅଳ୍ପ କିଛି ଦିନ ରହିଲା। ତେଣୁ ଏହା ଆମ ପାଇଁ ଚାଲେଞ୍ଜିଂ ରହିବ। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଟୁର୍ଣ୍ଣାମେଣ୍ଟ ୨ଟି ଭେନ୍ୟୁ ସୁନ୍ଦରଗଡ଼ ଓ ଭୁବନେଶ୍ୱରରେ କେମିତି ସଫଳତାର ସହ ଆୟୋଜିତ ହେବ ତା’ ମୋର ପ୍ରଥମ ଫୋକସ୍।

ଖେଳ ଜୀବନରେ ବିଶ୍ୱର ବହୁ ଷ୍ଟାଡିୟମରେ ମ୍ୟାଚ୍‌ ଖେଳିଛି। କିନ୍ତୁ ୨୦ ହଜାର ଦର୍ଶକ ବସିବା ପାଇଁ ସୁବିଧା ଥିବା ଷ୍ଟାଡିୟମ ମୁଁ ଦେଖିନାହିଁ।  ପ୍ରଥମ ରାଉରକେଲାରେ ଏମିତି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଏଥିପାଇଁ ମୁଁ ବହୁତ ଉତ୍ସାହିତ ଅଛି।

ଗତ କିଛି ମାସରେ ଭାରତୀୟ ପୁରୁଷ ଦଳର ପ୍ରଦର୍ଶନୀ କିଛିଟା ଉତଥାନ ଓ ପତନ ଦେଇ ଗତି କରୁଛି। ପ୍ରଦର୍ଶନରେ ସ୍ଥିରତା ନାହିଁ। ପ୍ରୋ ହକି ଲିଗ୍‌ରେ ଦଳ ଭଲ କରିଥିଲା। ଟୋକିଓ ଅଲିମ୍ପିକ୍ସରେ ଦଳ ଭଲ ପ୍ରଦର୍ଶନ କରିଥିଲା। ବିଶ୍ୱକପ୍‌ ପାଇଁ ଏବେ ୩ ମାସ ସମୟ ଅଛି। ଏହି ସମୟ ମଧ୍ୟରେ ଦଳ ପୂର୍ବ ତ୍ରୁଟି ସୁଧାରିବା ଉପରେ ଧ୍ୟାନ ଦେବ। ମୋର ବିଶ୍ୱାସ ବିଶ୍ୱକପରେ ଆମ ଦଳ ଭଲ ପ୍ରଦର୍ଶନ କରିବ।

ଟିମ୍‌ ପାଇଁ ଫ୍ଲିକର ଗୋଲ୍‌କିପର ଜରୁରୀ

ଏବେ ବିଶ୍ୱରେ ଯେକୌଣସି ଦେଶ ଦେଖନ୍ତୁ, ତାଙ୍କ ଟିମ୍‌ ପାଖରେ ଭଲ ଫ୍ଲିକର, ଗୋଲକିପର ରହିଛନ୍ତି । କାରଣ ଗୋଟିଏ ଟିମରେ ସେମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥାଏ।  ଜଣେ ପୂର୍ବତନ ଖେଳାଳି ଭାବେ ମୁଁ ଏକଥାକୁ ଅନୁଭବ କରିଛି। ତେଣୁ ଏବେ ଭାରତୀୟ ଦଳରେ ମଧ୍ୟ ଏ ଦିଗରେ ଫୋକସ୍‌ କରାଯାଉଛି। ତେଣୁ ମୋର ଲକ୍ଷ୍ୟ ରହିବ ଟିମରେ ଏହି ଦିଗଟିକୁ ଅଧିକ ଉନ୍ନତ କରିବ। ଏଥିପାଇଁ ତୃଣମୂଳ ସ୍ତରରୁ ସବ୍‌ ଜୁନିୟର, ଜୁନିୟର ଖେଳାଳିଙ୍କ ଉପରେ ଧ୍ୟାନ ଦେବାକୁ ହେବ। ସେମାନଙ୍କୁ ଆଧୁନିକ ହକିର ସମସ୍ତ ସେବା ଯୋଗାଇବାକୁ ପଡ଼ିବ।

ପୁଣିଥରେ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ ହେବ

ହକି ଇଣ୍ଡିଆ ଲିଗ୍‌ ଆମ ଆମ ଜୁନିୟର ଖେଳାଳିଙ୍କ ପାଇଁ ବଡ଼ ପ୍ଲାଟଫର୍ମ ଥିଲା। କିନ୍ତୁ ୩/୪ ବର୍ଷ ହେଲା ତାହା ବନ୍ଦ ରହିଛି।  ଏହାପୁଣି  କେମିତି ଆରମ୍ଭ ହେବ ସେ ଦିଗରେ ଉଦ୍ୟମ କରାଯିବ। ଏଫ୍‌ଆଇଏଚ୍‌କୁ ଆମେ ଅନୁରୋଧ କରିବୁ । ଯଦି ସେମାନେ ଆମକୁ ସମୟ ଦେଲେ ପୁଣି ଲିଗ୍‌ ଆରମ୍ଭ ହେବ।

ହକିର ଲୋକପ୍ରିୟତା ବଢ଼ାଇବାକୁ ଉଦ୍ୟମ

ପୂର୍ବରୁ ଭାରତର ବହୁ ଅଞ୍ଚଳରେ ହକି ଖେଳା ଯାଉଥିଲା। କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ସେହି ସବୁ ଅଞ୍ଚଳରେ ହକି ଏକ ପ୍ରକାର ଲୋପ ପାଇଛି। ଯେଉଁ ଅଞ୍ଚଳରୁ ବହୁ କିମ୍ବଦନ୍ତୀ ଖେଳାଳି ବାହାରିଛନ୍ତି , ସେଠି ବି ଆଉ ହକି ଖେଳାଯାଉନି। ତେଣୁ ପୁଣି କେମିତି ସେହି ଅଞ୍ଚଳରେ ହକିର ଲୋକପ୍ରିୟତା ବଢ଼ିବ ସେ ଦିଗରେ ଗୁରୁତ୍ୱ ଦେବି।

ତା’ଛଡ଼ା ପୂର୍ବ ଅପେକ୍ଷା  ଜାତୀୟ ଦଳରେ ଆମ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ୱ ମଧ୍ୟ ହ୍ରାସ ପାଇଛି। ଆମ ସମୟରେ ଦଳରେ ଆମେ ୪ରୁ ୫ ଜଣ ଖେଳୁଥିଲୁ। କିନ୍ତୁ ଏବେ ତା’ ୨ ଜଣ ସୀମିତ। ଏବେ ରାଜ୍ୟ ସରକାର ତୃଣମୂଳ ସ୍ତରରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଜୁନିୟର ଓ ସବ୍‌ ଜୁନିୟର ଖେଳାଳିଙ୍କୁ  ଅର୍ନ୍ତଜାତୀୟ ମାନର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଅନ୍ତର୍ଜାତୀୟ କୋଚ, ଟ୍ରେନର ନିଯୁକ୍ତ ହୋଇଛନ୍ତି। ଖେଳାଳିଙ୍କ ଫିଟନେସ ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ଆଶା କରୁଛି ଆଗାମୀ ଦିନରେ ଅଧିକରୁ ଅଧିକ ଖେଳାଳି ବାହାରି ଜାତୀୟ ଦଳରେ ଖେଳିବେ।

Tags: #HockeyIndia #Hockey #Sports #DilipTirkey #TeamIndia #TheIndianDefender #HockeyWorldCup

Comment