ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଅଧିକ ଆକର୍ଷଣୀୟ କରିବା ପାଇଁ ଜନସାଧାରଣଙ୍କୁ ଯୋଡ଼ି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ସୁନ୍ଦରଗଡ଼ ଉପଖଣ୍ଡରେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି।

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏ ଏଲ ନାୟର ଷ୍ଟାଡିୟମଠାରେ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଉପଖଣ୍ଡର ୪୯ଟି କଲେଜ ଯୋଡ଼ି ହୋଇଥିଲା। ୪୮୦ରୁ ଅଧିକ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ। ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା କୁସୁମ ଟେଟେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ଏବଂ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରଥମ ଦିନରେ ଭଲିବଲ ପ୍ରତିଯୋଗିତାରେ ମୋଟ ୨୦ଟି ଟିମ ଭାଗ ନେଇଥିଲେ। ସେଥିମଧ୍ୟରେ ପୁରୁଷ ବର୍ଗରେ ୧୫ଟି ଏବଂ ମହିଳା ବର୍ଗରେ ୫ଟି ଟିମ ଅଂଶଗ୍ରହଣ କରିଥିଲେ। ଭଲିବଲ ପୁରୁଷ ବର୍ଗରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିଲା। ବଡ଼ଗାଁ ପଞ୍ଚାୟତ ସମିତି ମହାବିଦ୍ୟାଳୟ ରନର୍ସଅପ୍ ହୋଇଥିଲା। ମହିଳା ବର୍ଗରେ ରାଜଗାଙ୍ଗପୁରସ୍ଥିତ ସର୍ବତୀ ମହିଳା ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିବା ବେଳେ ଛଟେନପାଲିସ୍ଥିତ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରନର୍ସଅପ୍ ହୋଇଥିଲା।

ସେହିପରି ଖୋଖୋ ପ୍ରତିଯୋଗିତାରେ ୨୯ଟି ଦଳ ଭାଗ ନେଇଥିଲେ। ପୁରୁଷ ବର୍ଗରେ ୧୬ ଏବଂ ମହିଳା ବର୍ଗରେ ୧୩ଟି ଟିମ ଭିତରେ ପ୍ରତିଯୋଗିତା ହୋଇଥିଲା। ଖୋଖୋ ପୁରୁଷ ବର୍ଗରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଚାମ୍ପିୟନ ହୋଇଥିବା ବେଳେ ରନର୍ସଅପ୍ ହୋଇଥିଲା କିଞ୍ଜିର୍ମାସ୍ଥିତ ଇଲା ମେମୋରିଆଲ ପଞ୍ଚାୟତ ସମିତି ମହାବିଦ୍ୟାଳୟ। ମହିଳା ବର୍ଗରେ ରାଜଗାଙ୍ଗପୁରର ସର୍ବତୀ ଦେବୀ ମହିଳା ମହାବିଦ୍ୟାଳୟ ବିଜୟୀ ଏବଂ ଡାଲମିଆ କଲେଜ ରନର୍ସଅପ୍ ହୋଇଥିଲା।

ଚାମ୍ପିୟନ ଟିମକୁ ପୁରସ୍କାର ବାବଦରେ ଟ୍ରଫି, ମାନପତ୍ର ସହିତ ୧୦ ହଜାର ଟଙ୍କା ଦିଆଯାଇଛି। ସେହିପରି ରନର୍ସଅପ ଟିମକୁ ଟ୍ରଫି, ମାନପତ୍ର ସହିତ ୬ ହଜାର ଟଙ୍କା ଦିଆଯାଇଛି। ଶନିବାର ଦିନ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ କବାଡ଼ି ପ୍ରତିଯୋଗିତା ହେବ। ରବିବାର ଦିନ ଦୌଡ଼କୁଦ ସହିତ ହାଇଜମ୍ପ, ଲଙ୍ଗଜମ୍ପ, ଜ୍ୟାଭଲିନ ଏବଂ ଡିସକସ୍ ଥ୍ରୋ ଆଦି ପ୍ରତିଯୋଗିତା ହେବ। ଏହି କାର୍ଯ୍ୟକ୍ରମରେ ହକି ବିଶ୍ୱକପ୍ ପାଇଁ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ବିଧାୟିକା ଏବଂ ଜିଲ୍ଲାପାଳଙ୍କ ସହିତ ଅନ୍ୟ ଅତିଥିମାନେ ଏଥିରେ ଦସ୍ତଖତ କରିଥିଲେ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଡେପୁଟି କଲେକ୍ଟର ସୁଶ୍ରୀ ପ୍ରଧାନ, ଏସଇସିଏଲ୍ ନିର୍ଦ୍ଦେଶକ ଟଙ୍କଧର ତ୍ରିପାଠୀ, ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Tags: #InterCollegeSportCompetition #Sundargarh #KhoKho #VolleyBall #HockeyWorldCup #Rourkela #Odisha

Comment