ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାମ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଏନ୍‌ଆର୍‌ସି ରିପୋର୍ଟକୁ ନେଇ ଆଜି ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଶାହ ବିରୋଧୀ କଂଗ୍ରେସକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ବିରୋଧୀ ଦଳ ଲୋକଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଥିବା କହିଛନ୍ତି ଶାହ।

ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ କଂଗ୍ରେସ ବାଂଲାଦେଶୀ ଅନୁପ୍ରବେଶକରୀଙ୍କୁ ଆସାମରୁ ବାହାର କରିପାରୁ ନଥିବା କହିଛନ୍ତି।

ଅମିତ ଶାହ କହିଛନ୍ତି, “ସଂସଦରେ ଯେତେବେଳେ ମୁଁ ଏନ୍‌ଆର୍‌ସି ଉପରେ ମତ ରଖିବାକୁ ଚାହୁଁଥିଲି ସେତେବେଳେ ବିରୋଧୀ ଦଳ ଗୃହ ଚଳାଇ ଦେଲେ ନାହିଁ। ଏଣୁ ମୁଁ ମୋ କଥାକୁ ସଂସଦରେ ଉପସ୍ଥାପନ କରି ପାରିଲି ନାହିଁ। ଏଣୁ ସାମ୍ବାଦିକ ସମ୍ମିଳନୀ କରିବାକୁ ମତେ ପଡ଼ିଲା।”

ଶାହ କହିଛନ୍ତି ଯେ ଆସାମରେ ୪୦ ଲକ୍ଷ ଲୋକ ଭାରତୀୟ ନାଗରିକ ତାଲିକାରୁ ବାଦ୍ ପଡ଼ିଥିବା କୁହାଯାଉଛି। କିନ୍ତୁ ବାସ୍ତବ କଥା ଭିନ୍ନ। ଯେଉଁମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି ସେମାନେ ମୂଳ ଭାରତୀୟ ନୁହନ୍ତି। ସେମାନେ ହେଉଛନ୍ତି ଅନୁପ୍ରବେଶକାରୀ।

ଯେଉଁମାନେ ଭାରତୀୟ ବୋଲି ଦାବି କରୁଛନ୍ତି ସେମାନେ କୌଣସି ପ୍ରମାଣ ଦେଇ ନପାରିବାରୁ ସେମାନଙ୍କୁ ନାଗରିକ ତାଲିକାରୁ ବାଦ୍ ଦିଆଯାଇଛି। କିନ୍ତୁ କଂଗ୍ରେସ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆସାମରୁ ବାହାର କରିବା ପାଇଁ କଂଗ୍ରେସର ସାହସ ନଥିଲା। କଂଗ୍ରେସ ସବୁବେଳେ ଭୋଟବ୍ୟାଙ୍କ ପଲିଟିକ୍ସ କରି ଆସୁଥିବା ଶାହ କହିଛନ୍ତି।

“ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ବିଜେପି ସବୁବେଳେ ପ୍ରତିଶ୍ରୁତିବଦ୍ଧ। ମୂଳ ଭାରତୀୟମାନଙ୍କୁ ନାଗରିକତ୍ୱରୁ ବଞ୍ଚିତ ହେବା ପାଇଁ ବିଜେପି କେବେ ଚାହିଁବନି”, କହିଛନ୍ତି ଶାହ।

ଦୁଇ ଦିନ ଧରି ଏନ୍‌ଆରସି ପ୍ରସଙ୍ଗରେ ବିଭ୍ରାନ୍ତିକର ମନ୍ତବ୍ୟ ଦିଆଯାଉଛି। ଆସାମରେ ବାସ କରୁଥିବା ପାଖାପାଖି ୩.୨୯ କୋଟି ଲୋକଙ୍କ ମଧ୍ୟରୁ ୪୦ ଲକ୍ଷ ଲୋକଙ୍କୁ ଭାରତୀୟ ନାଗରିକ ତାଲିକାରୁ ବାଦ୍ ଦିଆଯାଇଛି। ଏହାକୁ ନେଇ ବିବାଦ ଦେଖାଦେଇଛି।

Comment