ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ସଚିବାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି।

ଏହାଦ୍ୱାରା ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଏବଂ ଦୂରଦୂରାନ୍ତକୁ ଯାଉଥିବା ଲୋକମାନଙ୍କ ପାଇଁ ଯାତ୍ରା ସୁବିଧାଜନକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ୫ଟି ସୁବିଧା କେନ୍ଦ୍ରକୁ ଉଦଘାଟନ କରିଥିବା ବେଳେ ଅନ୍ୟ କେନ୍ଦ୍ରଗୁଡ଼ିକୁ ମନ୍ତ୍ରୀ, ସ୍ଥାନୀୟ ସାଂସଦ ଏବଂ ବିଧାୟକମାନେ ଉଦଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରଗୁଡ଼ିକ ଖୋଲାଯାଇଛି। ଏହି କେନ୍ଦ୍ରଗୁଡ଼ିକ ପର୍ଯ୍ୟଟକ, ମହିଳା ଏବଂ ଭିନ୍ନକ୍ଷମ ଯାତ୍ରୀମାନଙ୍କ ପାଇଁ ବହୁ ସହାୟକ ହେବ। ଆଗାମୀ ଦିନରେ ରାଜ୍ୟର ସମସ୍ତ ପର୍ଯ୍ୟଟନ କେନ୍ଦ୍ର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଭଳି କେନ୍ଦ୍ରର ବିକାଶ କରାଯିବ।”

ରାଜ୍ୟରେ ୫୦ଟି ସୁବିଧାକେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ୩୪ଟି ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହି ସୁବିଧାକେନ୍ଦ୍ରରେ ଉତ୍ତମ ଶୌଚାଳୟ, କାଫେଟେରିଆ, ପାନୀୟ ଜଳ ଓ ପାର୍କିଂର ସୁବିଧା ରହିଛି।

ମୁଖ୍ୟମନ୍ତ୍ରୀ ଆଜି କଟକ ଜିଲ୍ଲାର ଯାତମୁଣ୍ଡିଆ ଛକ, ଯାଜପୁରର ଡୁବୁରୀ-କଳିଙ୍ଗନଗର, ନୟାଗଡ଼ର ଓଡ଼ଗାଁ, ସମ୍ବଲପୁରର ଧମା, ଢେଙ୍କାନାଳର କପିଳାସଠାରେ ସୁବିଧାକେନ୍ଦ୍ରକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି।

ଏହି ଉଦଘାଟନ ବେଳେ ଉନ୍ନୟନ କମିଶନର ଆର୍ ବିଲାକ୍ରିଷ୍ଣନ, ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comment