ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ କି ଦୁଇଜଣ ନୁହେଁ, ପାଞ୍ଚଜଣ ପ୍ରେମିକାଙ୍କ ବିଳାସପୂର୍ଣ୍ଣ ଜୀବନ ପାଇଁ ଚୋର ପେସାକୁ ଆପଣେଇ ନେଇଥିଲେ ଦିଲ୍ଲୀର ମଙ୍ଗଲଦୋଇ ନିବାସୀ ବନ୍ଧୁ ସିଂହ।
କୁହାଯାଏ, ପ୍ରେମ ଆଉ ଯୁଦ୍ଧରେ ସବୁକିଛି ଠିକ୍, ନ୍ୟାୟସଂଗତ। ପ୍ରକୃତ ପ୍ରେମିକ ଭୁଲ କରିବାର ପ୍ରଶ୍ନ ହିଁ ନାହିଁ। ବୋଧହୁଏ, ଦିଲ୍ଲୀର ବନ୍ଧୁ ସିଂହ ବି ମନେ ମନେ ସେଇଆ ଭାବିନେଇଥିଲେ। ତା’ ସହିତ ପ୍ରେମ ଜଗତରେ ନିଜକୁ ପ୍ରତିଷ୍ଠିତ କରିବା ଲାଗି ତାଙ୍କ ପାଖରେ ଥିଲା ପ୍ରବଳ ଇଚ୍ଛାଶକ୍ତି। ବୟସ, ପେସା ଏବଂ ପ୍ରେମିକାଙ୍କ ସଂଖ୍ୟାକୁ ହିସାବକୁ ନେଲେ ବନ୍ଧୁ ଯେ ଜଣେ ବିରଳ ପ୍ରତିଭାସଂପନ୍ନ ବ୍ୟକ୍ତିତ୍ୱ, ଏଥିରେ ସନ୍ଦେହ ନାହିଁ।
ଦିଲ୍ଲୀର ମଙ୍ଗଲଦୋଇ ନିବାସୀ ବନ୍ଧୁ ସିଂହ। ବୟସ, ୬୩। କିନ୍ତୁ ବନ୍ଧୁସିଂହଙ୍କ ପାଇଁ ଏହା କେବଳ ଏକ ସଂଖ୍ୟା। ପେସାରେ ଚୋର। ଚୋରି କରିବାରେ ପ୍ରାୟ ୨୩ ବର୍ଷର ଅଭିଜ୍ଞତା। ବୈବାହିକ ସ୍ଥିତି-ଅବିବାହିତ। କିନ୍ତୁ ଜଣେ କି ଦୁଇଜଣ ନୁହେଁ, ପାଞ୍ଚ ପାଞ୍ଚଜଣ ପ୍ରେମିକାଙ୍କ ବିଳାସପୂର୍ଣ୍ଣ ଜୀବନର ଦାୟିତ୍ୱ ନେଇଥିଲେ ସେ। ସେମାନଙ୍କୁ ଦାମୀ ଉପହାର ଦେଉଥିଲେ। ନିଜେ ରାଜାଙ୍କ ଭଳି ରହୁଥିଲେ ଏବଂ ପ୍ରେମିକାମାନଙ୍କୁ ବି ରାଣୀ ଭଳି ରଖୁଥିଲେ। ଏଇ ଅୟସ କରିବା ପାଇଁ ତ ଚୋରି କରୁଥିଲେ ବନ୍ଧୁ।
ଦିଲ୍ଲୀର ଆନନ୍ଦ ପର୍ବତ ଅଞ୍ଚଳରୁ ପୋଲିସ ହାତରେ ଧରାପଡ଼ିବା ପରେ ବନ୍ଧୁ ସିଂହଙ୍କ ସଂପର୍କରେ ଏଭଳି ଅନେକ ତଥ୍ୟ ଲୋକଲୋଚନକୁ ଆସିଛି।
ବନ୍ଧୁଙ୍କ ଜୀବନ ଇତିହାସରୁ ଜଣାଯାଏ ଯେ, ଅତୀତରେ ଜଣେ ଯୁବତୀଙ୍କୁ ସେ ଭଲ ପାଉଥିଲେ। କିନ୍ତୁ ପ୍ରେମରେ ପ୍ରତିବନ୍ଧକ ସାଜିଲା ଦାରିଦ୍ର୍ୟ। ଯୁବତୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପରେ ସେ ସଂକଳ୍ପ କଲେ ଯେ ଆଉ କିଛି ହେଉ କି ନ ହେଉ, ପ୍ରେମ କରି ଦେଖାଇବେ। ଏଥିପାଇଁ ଯାହା କରିବାକୁ ପଡ଼ିବ, କରିବେ। ଚୋରି କଲେ କରିବେ ପଛକେ, କିନ୍ତୁ ପ୍ରେମ କରିବେ। ସେଇ ସଂକଳ୍ପରୁ ଚୋରି କରିବା ଆରମ୍ଭ କଲେ ବନ୍ଧୁ ସିଂହ।
ପ୍ରଥମେ ପ୍ରଥମେ ଛୋଟମୋଟ ଚୋରି କଲେ। ଦିନକୁ ଦିନ ସାହସ ବଢ଼ିବାରେ ଲାଗିଲା। ବଡ଼ ଚୋରି ପାଇଁ ମନ ବଳାଇଲେ। ସଫଳ ବି ହେଲେ। ପୋଲିସ ବି ଟେର ପାଉ ନଥିଲା। କାରଣ, ସିସିଟିଭି କ୍ୟାମେରା ନ ଥିବା ଘରୁ ହିଁ ସେ ଚୋରି କରୁଥିଲେ। ଉତ୍ତର-ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ତାଲା ଭାଙ୍ଗି ଚୋରି କରିବା ତାଙ୍କର ପେସା ପାଲଟି ଯାଇଥିଲା। ଚୋରିରୁ ମିଳୁଥିବା ଧନରେ ବିଳାସବ୍ୟସନରେ ରହୁଥିଲେ ବନ୍ଧୁ ଓ ତାଙ୍କର ପାଞ୍ଚଜଣ ପ୍ରେମିକା। ପ୍ରେମିକାମାନଙ୍କର ବୟସ ୨୮ରୁ ୪୦ ବର୍ଷ ମଧ୍ୟରେ। କେହି କାହାରିକୁ ଜାଣି ନଥିଲେ। ବେଶ ଚତୁରତାର ସହିତ ଚୋରି ଓ ପ୍ରେମ ବ୍ୟାପାର ପରିଚାଳନା କରୁଥିଲେ ବନ୍ଧୁ ସିଂହ।
ହେଲେ ଚୋର ଘର ସବୁଦିନ ଅନ୍ଧାର ନ ଥାଏ। ଶେଷରେ ସେଇ ସିସିଟିଭି କ୍ୟାମେରା ଯୋଗୁଁ ହିଁ ପଦାରେ ପଡ଼ିଲା ବନ୍ଧୁ ସିଂହଙ୍କ କାରନାମା। ସିସିଟିଭି କ୍ୟାମେରାକୁ ବଲ୍ବ ବୋଲି ଭାବି ଗୋଟିଏ କାରଖାନାରୁ ଚୋରି କରି ଧରାପଡ଼ିଲେ। ଗତ ଶନିବାର ଦିନ କାରଖାନା ମାଲିକ ପୋଲିସକୁ ଚୋରି ସଂପର୍କରେ ସୂଚନା ଦେବା ପରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଏଥିରୁ ହିଁ ବନ୍ଧୁ ସିଂହଙ୍କ ଅସଲ ରୂପ ଜଣାପଡ଼ିଥିଲା। ସେ ଥିଲେ କୋଡ଼ିଏରୁ ଅଧିକ ଚୋରି ମାମଲାର ଅସଲ ଆସାମୀ।
ବନ୍ଧୁ ସିଂହଙ୍କ ଘରୁ ପୋଲିସକୁ ବହୁ ସୁନା ଗହଣା, ଲାପଟପ୍, ମୋବାଇଲ ଓ ନଗଦ ଟଙ୍କା ମିଳିଥିଲା। ବନ୍ଧୁ ସିଂହଙ୍କ ସ୍ୱୀକାରୋକ୍ତି ଅନୁସାରେ ପାଞ୍ଚଜଣ ପ୍ରେମିକାଙ୍କୁ ବିଳାସବ୍ୟସନରେ ରଖିବା ପାଇଁ ସେ ଚୋରି କରୁଥିଲେ। ଅୟସ ଆଗରେ ବୟସକୁ ତୁଚ୍ଛ କରିଦେଇଥିଲେ।














