ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଇଣ୍ଟରନ୍ୟାସନାଲ ବ୍ଲକ୍ଚେନ୍ କଂଗ୍ରେସ। ସରକାରୀ ସେବାରେ ସ୍ୱଚ୍ଛତା ଏବଂ ସଂସ୍ଥାର କାର୍ଯ୍ୟଦକ୍ଷତା ବଢ଼ାଇବ ବ୍ଲକ୍ଚେନ୍ ଟେକ୍ନୋଲୋଜି।
ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଇଣ୍ଟରନ୍ୟାସନାଲ ବ୍ଲକ୍ଚେନ୍ କଂଗ୍ରେସ। ଅଗଷ୍ଟ ୩ ଓ ୪ ତାରିଖ ଦିନ ହାଇଦ୍ରାବାଦରେ ଏବଂ ୫ ତାରିଖ ଦିନ ଗୋଆରେ ଅନୁଷ୍ଠିତ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ। ୮୦ ଜଣ ନିମନ୍ତ୍ରିତ ବକ୍ତାଙ୍କ ସମେତ ଦେଶବିଦେଶରୁ ପ୍ରାୟ ତିନି ହଜାର ପ୍ରତିନିଧି ଏଥିରେ ଯୋଗ ଦେବେ ବୋଲି ଆକଳନ କରାଯାଇଛି।
ତେଲେଙ୍ଗାନା ଓ ଗୋଆ ସରକାରଙ୍କ ସହିତ ନୀତି ଆୟୋଗ ଏବଂ ଆୟୋଜକ ସଂସ୍ଥା ନ୍ୟୁକ୍ଲିୟସ୍ ଭିଜନ୍ର ମିଳିତ ଉଦ୍ୟମରେ ଆୟୋଜିତ ଏହି ସମ୍ମିଳନୀରେ ଅନେକ ସରକାରୀ ଓ ବେସରକାରୀ ନିୟନ୍ତ୍ରକ ସଂସ୍ଥାର ପ୍ରତିନିଧି, ଶିଳ୍ପ ଏବଂ ବୈଷୟିକ ଜ୍ଞାନକୌଶଳ ବିଶେଷଜ୍ଞ ଅଂଶଗ୍ରହଣ କରି ଏହି ନୂତନ ଜ୍ଞାନକୌଶଳ ପ୍ରୟୋଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବେ।
ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ, ଆମେରିକାର ଖ୍ୟାତିପ୍ରାପ୍ତର ପୁଞ୍ଜିନିବେଶକାରୀ ସଂସ୍ଥାଡି ଏଫ୍ଜେ ଭେଞ୍ଚର୍ସ ପ୍ରତିଷ୍ଠାତା ଟିମ୍ ଡ୍ରେପର୍, ତେଲେଙ୍ଗାନାର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କେ.ଟି.ରାମାରାଓ ଓ ଗୋଆର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରୋହନ କାହୁଣ୍ଟେ ଏବଂ ଟେକ୍ ମହିନ୍ଦ୍ରା ଏବଂ ଆଇକନ୍ ଫାଉଣ୍ଡେସନ୍ ଭଳି ଅନେକ ସୁପରିଚିତ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏହି ସମ୍ମିଳନୀରେ ଯୋଗ ଦେବେ।
ବିଶ୍ୱର ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବ୍ଳକ୍ଚେନ୍ ଟେକ୍ନୋଲୋଜି ନୂଆ ନୁହେଁ। ମୂଳତଃ କ୍ରିପଟୋକରେନସି ବିଟକଏନର ତଥ୍ୟ ସଂକଳନ କରିବା ଏବଂ ଏହାକୁ ସର୍ବସାଧାରଣରେ ପହଞ୍ଚାଇବା ପାଇଁ ଏହା ବ୍ୟବହୃତ ହେଉଥିଲା। କ୍ରିପ୍ଟୋକରେନ୍ସିର ପବ୍ଲିକ୍ ଲେଜର ରୂପେ ଏହା ଆରମ୍ଭ ହୋଇଥିଲା। ଆଜିକାଲି ସାଧାରଣ ସେବା ଏବଂ ଉଦ୍ୟୋଗ ଜଗତରେ ଏହାର ଉପଯୋଗିତା ଆଦୃତ ହେବାରେ ଲାଗିଛି। ଚୀନ୍ ଏବଂ ଆମେରିକାର କେତେକ ସଂସ୍ଥା ଏହାକୁ ପ୍ରୟୋଗ କରୁଛନ୍ତି।
ବ୍ଲକ୍ଚେନ୍ କ’ଣ?
ବ୍ଲକ୍ଚେନ୍ ଟେକ୍ନୋଲୋଜିରେ କୌଣସି ବିଭାଗ ବା ସଂସ୍ଥା ସମ୍ବଳିତ ସମସ୍ତ ତଥ୍ୟ ବ୍ଲକ୍ ଆକାରରେ ଗଚ୍ଛିତ ରହେ। ମୂଳ ତଥ୍ୟରେ ପରିବର୍ତ୍ତନ, ସଂଶୋଧନ ବା ଅତିରିକ୍ତ ତଥ୍ୟ ସଂଯୋଗ କରାଗଲେ ଏକ ଅତିରିକ୍ତ ବ୍ଳକ୍ ସୃଷ୍ଟି ହୋଇଥାଏ। କିନ୍ତୁ ମୂଳ ବ୍ଳକ୍ରେ ଥିବା ତଥ୍ୟ ଅପରିବର୍ତ୍ତିତ ରହେ। ସର୍ବସାଧାରଣରେ ଏହି ତଥ୍ୟ ପ୍ରକାଶ ପାଇଥାଏ। ତେଣୁ ଏଥିରେ କୌଣସି ତଥ୍ୟ ଗୁପ୍ତ ରଖିବା ବା ମୂଳ ତଥ୍ୟରେ ପରିବର୍ତ୍ତନ କରିବା ସମ୍ଭବ ନୁହେଁ। କାରଣ ଯେ କୌଣସି ପରିବର୍ତ୍ତନ, ସଂଶୋଧନ ଏବଂ ଅତିରିକ୍ତ ତଥ୍ୟ ରେକର୍ଡ କରିବା ପାଇଁ ନୂଆ ବ୍ଳକ୍ ସୃଷ୍ଟି ହୋଇଥାଏ।ଏହି କାରଣରୁ ଏହାକୁ ‘ଇଣ୍ଟରନେଟ୍ ଅଫ୍ ଭାଲ୍ୟୁ’ ରୂପେ ଅଭିହିତ କରାଯାଇଛି।
ସରକାରୀ ସେବା କ୍ଷେତ୍ରରେ ଏହାର ପ୍ରୟୋଗ କରାଗଲେ ସଂପୃକ୍ତ ବିଭାଗର ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇବ। କାରଣ ଏହାକୁ ସାଧାରଣ ଲୋକେ ସହଜରେ ଜାଣିପାରିବେ। ଉଦାହରଣସ୍ୱରୂପ, ବ୍ଲକ୍ଚେନ୍ ଟେକ୍ନୋଲୋଜିରେ ଜମିଜମା ସଂକ୍ରାନ୍ତ ରେକର୍ଡ ରଖାଗଲେ, କୌଣସି ଜମିର କିଣାବିକା ବା ମାଲିକାନା ଅଦଳବଦଳ ସଂପର୍କିତ ତଥ୍ୟ ସହଜରେ ଉପଲବ୍ଧ ହୋଇପାରିବ। ନିର୍ଦ୍ଦିଷ୍ଟ ଜମିର ସମ୍ଭାବ୍ୟ ଗ୍ରାହକମାନେ ଜମିର ପ୍ରକୃତ ମାଲିକ, କିଣାବିକା ରେକର୍ଡକୁ କମ୍ପ୍ୟୁଟରରେ ବା ମୋବାଇଲ୍ ଆପ୍ରେ ଦେଖି ଜାଣିପାରିବେ। କିଣାବିକାରେ ହେରଫେର ସମ୍ଭାବନା କମିଯିବ।
ବ୍ଲକ୍ଚେନ୍ର ଆବଶ୍ୟକତା
ଯେଉଁସବୁ କ୍ଷେତ୍ରରେ ମଧ୍ୟସ୍ଥ, ଏଜେଣ୍ଟ ବା ଦଲାଲ କାମ କରନ୍ତି, ସେ କ୍ଷେତ୍ରରେ ଏହାର ଉପଯୋଗିତା ଅଧିକ। କାରଣ, ସାଧାରଣତଃ ମଧ୍ୟସ୍ଥମାନେ ନିଜର ବ୍ୟକ୍ତିଗତ ଲାଭ ପାଇଁ ଅନେକ କଥା ଲୁଚାଇ ରଖନ୍ତି ଏବଂ ଭୁଲତଥ୍ୟ ଦେଇ ଗ୍ରାହକଙ୍କୁ ପ୍ରଲୋଭିତ କରିଥାଆନ୍ତି। ବ୍ଲକ୍ଚେନ୍ ଟେକ୍ନୋଲୋଜିରେ କୌଣସି ବିଭାଗର ତଥ୍ୟ ସଂକଳିତ ହୋଇ ଗଚ୍ଛିତ ରହିବା ପରେ ଏସବୁ କାରସାଦି ଅକାମୀ ହୋଇଯାଏ। ଯେ କୌଣସି ବ୍ୟକ୍ତି ଚାହିଁଲେ ସଂପୃକ୍ତ ବିଭାଗ ବା ସେବାପ୍ରଦାନକାରୀ ସଂସ୍ଥା ସଂପର୍କରେ ସମସ୍ତ ତଥ୍ୟ ଜାଣିପାରିବେ। ବ୍ଳକ୍ଚେନ୍ ଜ୍ଞାନକୌଶଳ ବଳରେ ଠକେଇ, ଜାଲିଆତି, ହେରଫେର ଏବଂ ବେଆଇନ କାରବାରକୁ ରୋକି ହେବ।
ଆମ ଦେଶରେ ପ୍ରଥମ ଥର ପାଇଁ ସରକାରୀ କ୍ଷେତ୍ରରେ ଏହି ଜ୍ଞାନକୌଶଳ ପ୍ରୟୋଗ କରିବାକୁ ସ୍ଥିର କରିଛନ୍ତି ତେଲେଙ୍ଗାନା ସରକାର। ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ସହିତ କେତେକ ବ୍ଳକ୍ଚେନ୍ ସଂସ୍ଥା ସହିତ ବୁଝାମଣା କରିବାକୁ ସ୍ଥିର କରିଛନ୍ତି। ତେଲେଙ୍ଗାନାର ଶିଳ୍ପ ସଚିବଙ୍କ କହିବା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୬-୭ଟି ସରକାରୀ ସେବା କ୍ଷେତ୍ରରେ ଏହି ଜ୍ଞାନକୌଶଳ ପ୍ରୟୋଗ କରାଯିବ। ପେନସନ ଓ ଜମିଜମା ରେକର୍ଡ କ୍ଷେତ୍ରରେ ଏହାର ପ୍ରୟୋଗ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଛି। ସରକାରୀ ସଂସ୍ଥାର ସ୍ୱଚ୍ଛତା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ ଏହା ବେଶ ଉପଯୋଗୀ ହେବ ବୋଲି ଆଶା ରହିଛି।














