ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବିରେ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଆନ୍ଦୋଳନ କ୍ରମଶଃ ତେଜିବାରେ ଲାଗିଛି।

ମରାଠା ସଂପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିବା ଶିକ୍ଷା ସଂରକ୍ଷଣ ଆନ୍ଦୋଳନ ତେଜିବାରେ ଲାଗିଛି। ସଂରକ୍ଷଣ ଦାବିରେ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବୁଧବାରଦିନ ଜେଲ ଭରୋ ଡାକରା ଦିଆଯାଇଥିଲା।

ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ବିଜେପିର ପୂର୍ବଘୋଷଣା ଅନୁଯାୟୀ ସରକାରୀ ରାଜ୍ୟରେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ମରାଠାଙ୍କୁ ସଂରକ୍ଷଣ, ଆନ୍ଦୋଳନକାରୀଙ୍କ ଉପରୁ ମାମଲା ପ୍ରତ୍ୟାହାର, ଜୁଲାଇ ୨୫ ତାରିଖରେ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ଗୁଳି ଓ ଲାଠି ଚାଳନା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମରାଠା ସମ୍ପ୍ରଦାୟ ବିରୋଧରେ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ବିଧାୟକ ଓ ମନ୍ତ୍ରୀଙ୍କ ଇସ୍ତଫା, ଆନ୍ଦୋଳନ ବେଳେ ମୃତାହତଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା, ଋଣ ଛାଡ଼, କୋପାରଦି ବଳାତ୍କାର ମାମଲାରେ ନ୍ୟାୟ ଆଦି ରହିଛି। ଏହି ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ପ୍ରାଣହାନି ଘଟିଛି।ସମସ୍ୟାର ସମାଧାନ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍‍ ସର୍ବଦଳୀୟ ଓ ମନ୍ତ୍ରିମଣ୍ଡଳ ବୈଠକ ଡାକି ଆଲୋଚନା କରିଛନ୍ତି। ଆନ୍ଦୋଳନକାରୀ ନେତାଙ୍କ ସହିତ ଆଲୋଚନା କରି ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇ ନଥିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି।

ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ପୋଡ଼ାଜଳା କରିଛନ୍ତି। ଘାଟକୋପାର୍ ରାସ୍ତାରେ ବିକ୍ଷୋଭକାରୀ ସରକାରୀ ବସ୍‌ ଉପରେ ଆକ୍ରମଣ କରିଛନ୍ତି। ସେହିପରି କାଲାମବୋଲିଠାରେ ବିକ୍ଷୋଭକାରୀମାନେ ମୋଟର ସାଇକେଲ୍‌ରେ ନିଆଁ ଲଗାଇବା ବେଳର ଦୃଶ୍ୟକୁ କିଛି ଗଣମାଧ୍ୟମ ପ୍ରତିନିଧି ସୁଟିଂ କରୁଥିବା ବେଳେ, ଆନ୍ଦୋଳନକାରୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ।

ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍‌ ଆନ୍ଦୋଳନକାରୀଙ୍କ ଉପରେ ଲାଠିମାଡ଼ କରିଥିଲା। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ କିଛି ସମୟ ସଂଘର୍ଷ ଘଟିଥିଲା। ଏଥିରେ ୫ ଜଣ ଆନ୍ଦୋଳନକାରୀ ଆହତ ହୋଇଛନ୍ତି।

Comment