ଓଡ଼ିଶାଲାଇଭ୍‍ ବ୍ୟୁରୋ

ନିଜ ଝିଅକୁ ହରାଇବାର ଦୁଃଖଭରଣା କରିବାକୁ ଯାଇ ୪୫ ଜଣ ଝିଅଙ୍କର ସ୍କୁଲ୍‌ ଫି’ ଦେଇଆସୁଛନ୍ତି କର୍ଣ୍ଣାଟକରେଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ କିରାଣି ଭାବେ କାମ କରୁଥିବା ବାସବରାଜ

ଝିଅର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାସବରାଜ। କିନ୍ତୁ ନିଜକୁ ସଜାଡ଼ିଲେ। ଝିଅର ସ୍ମୃତିକୁ ସାଇତି ରଖିବାକୁ ସ୍ଥିର କଲେ। ଗୋଟିଏ ଝିଅକୁ ହରାଇବାର ଦୁଃଖଭରଣା କରିବାକୁ ଯାଇ ୪୫ ଜଣ ଝିଅଙ୍କ ସ୍କୁଲ୍‌ ଦେୟ ଭରଣା କରିବାକୁ ନିଷ୍ପତ୍ତି ନେଲେ। ଏବେ ୪୫ ଜଣ ଝିଅଙ୍କର କୃତଜ୍ଞତା ହିଁ ତାଙ୍କ ନିଜ ଝିଅର ସ୍ମୃତିକୁ ଉଜ୍ଜୀବିତ ରଖିଛି।

ଦୁନିଆରୁ ସମ୍ବେଦନଶୀଳ ଲୋକଙ୍କ ସଂଖ୍ୟା କମି କମି ଯାଉଛି। ତଥାପି ଯେଉଁ କେତେଜଣ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ କର୍ଣ୍ଣାଟକର କାଲାବୁର୍‌ଗୀ ସହରର ବାସବରାଜ। ସହରର ମକତମପୁରାରେ ଥିବା ଏମ୍‌ପିଏଚ୍‌ଏସ୍‌ ସରକାରୀ ଉଚ୍ଚ ବିଦ୍ୟାଳୟରେ କିରାଣି ଭାବେ କାମ କରନ୍ତି। ଗତବର୍ଷ ରୋଗରେ ପଡ଼ି ପ୍ରାଣ ହରାଇଥିଲା ବାସବରାଜଙ୍କ ଝିଅ ଧନେଶ୍ୱରୀ। ଝିଅକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ ବାସବରାଜ।

ସମୟ ଗଡ଼ିବା ସହିତ ନିଜକୁ ସମ୍ଭାଳି ନେଲେ ଏବଂ ଝିଅର ସ୍ମୃତିକୁ ସବୁଦିନ ପାଇଁ ସାଇତି ରଖିବାକୁ ସ୍ଥିର କଲେ। ତାହା ବି ଏକ ନିଆରା ଢଙ୍ଗରେ। ବାସବରାଜ ସ୍କୁଲରେ ପଢୁଥିବା ଗରିବ ଝିଅମାନଙ୍କ ସ୍କୁଲ ଫି’ ଦେବାକୁ ନିଷ୍ପତ୍ତି ନେଲେ। ଏ ବର୍ଷ ଆରମ୍ଭରୁ ଏମିତି ୪୫ ଜଣ ଝିଅଙ୍କର ସ୍କୁଲ୍‌ ଫି’ ଦେଇଆସୁଛନ୍ତି ବାସବରାଜ। ଏହା ହିଁ ପରଲୋକଗତ ନିଜ ଝିଅ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ଧରିନେଇଛନ୍ତି ।

ବାସବରାଜଙ୍କ ଦ୍ୱାରା ଉପକୃତ ଛାତ୍ରୀମାନେ ବି ସ୍ୱୀକାର କରନ୍ତି ଯେ ସେ ନଥିଲେ ସେମାନେ ସ୍କୁଲ ଛାଡ଼ିବାକୁ ବାଧ୍ୟ ହୋଇଥାଆନ୍ତେ। ସ୍କୁଲ୍‌ ଫି’ ଦେବାକୁ ସେମାନଙ୍କ ବାପା-ମାଆଙ୍କର ସାମର୍ଥ୍ୟ ନାହିଁ। ବାସବରାଜ ସେମାନଙ୍କ ପାଇଁ ଦେବଦୂତଙ୍କ ଭଳି। ସେମାନଙ୍କୁ ଶିକ୍ଷିତ କରାଇବା ଦିଗରେ ତାଙ୍କର ଅବଦାନ ପାଇଁ କୃତଜ୍ଞତା ଜଣାନ୍ତି ଏହି ଛାତ୍ରୀମାନେ।

କିରାଣି ଚାକିରି କରୁଥିବା ବାସବରାଜଙ୍କର ଧନ ନାହିଁ ସତ, କିନ୍ତୁ ମନ ବଡ଼। ସ୍ୱର୍ଗତ ଝିଅର ସ୍ମୃତିରେ ଏହି ମନକୁ ବିନିଯୋଗ କରି ସାରା ଗୁଲବର୍ଗା ସହରରେ ପ୍ରଶଂସିତ ହୋଇଛନ୍ତି ବାସବରାଜ। ସମ୍ବେଦନଶୀଳତାର ଜୀବନ୍ତ ଉଦାହରଣ।

Comment