ଓଡ଼ିଶାଲାଇଭ୍ ବ୍ୟୁରୋ

ବେଙ୍ଗଳୁରୁର ବେସରକାରୀ ସଂସ୍ଥା ଦ୍ୱାରା ସ୍ଥାପିତ ହୋଇଥିଲା ପ୍ରଥମ କମ୍ୟୁନିଟି ଫ୍ରିଜ୍। ବ୍ୟକ୍ତିବିଶେଷଙ୍କ ଘରେ ବା ହୋଟେଲରେ ବଳକା ରହୁଥିବା ଖାଦ୍ୟକୁ ଏହି ଫ୍ରିଜ୍ରେ ରଖିଦିଆଯିବ। ଗରିବ ଲୋକେ କାହାକୁ ନ ମାଗି ଫ୍ରିଜ୍ ଖୋଲି ଖାଦ୍ୟ ନେଇ ଖାଇପାରିବେ।
ଦେଶରେ ୧୯ କୋଟିରୁ ଅଧିକ ଲୋକ ଦିନକୁ ଦୁଇ ବେଳା ଖାଇବାକୁ ପାଉନାହାନ୍ତି। ଅନ୍ୟପକ୍ଷରେ ମୋଟ ଖାଦ୍ୟଦ୍ରବ୍ୟର ୪୦ ପ୍ରତିଶତ ନଷ୍ଟ ହୋଇଯାଉଛି। ସବୁଠାରୁ ଅଧିକ ଗରିବ ଲୋକ ରହୁଥିବା ଦେଶରେ ନଷ୍ଟ ହେଉଛି ବର୍ଷକୁ ଏକ ଲକ୍ଷ କୋଟି ଟଙ୍କାର ଖାଦ୍ୟଦ୍ରବ୍ୟ। ଗରିବ ଓ ଭୋକିଲା ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଭିନ୍ନ ଭିନ୍ନ ସ୍ତରରେ ଉଦ୍ୟମ କରାଯାଉଛି। ଏହି ଉଦ୍ୟମର ଅଂଶବିଶେଷ ବେଙ୍ଗଳୁରୁର କମ୍ୟୁନିଟି ଫ୍ରିଜ୍ ବା ପବ୍ଲିକ୍ ଫ୍ରିଜ୍।
ବେଙ୍ଗଳୁରୁର ବେସରକାରୀ ସଂସ୍ଥା ପବ୍ଲିକ୍ ଫାଉଣ୍ଡେସନ୍ ପକ୍ଷରୁ ସହରର ବିଟିଏମ୍ ଲେଆଉଟ୍ରେ ସ୍ଥାପିତ ହୋଇଥିଲା ପ୍ରଥମ କମ୍ୟୁନିଟି ଫ୍ରିଜ୍। ସଂସ୍ଥାର ମ୍ୟାନେଜିଂ ଟ୍ରଷ୍ଟି ଇଶା ଫାତିମା ଜସ୍ମିନ୍ଙ୍କ କଳ୍ପିତ ଏହି ସମାଜ କଲ୍ୟାଣ ଯୋଜନାର ଲକ୍ଷ୍ୟ ଗୋଟିଏ। ଭୋକିଲା ଲୋକଙ୍କୁ ଆହାର ଦେବା। ଯୋଜନାର ରୂପରେଖ ଅତି ସରଳ। କୌଣସି ଅଞ୍ଚଳର ଏକ ସର୍ବସାଧାରଣ ସ୍ଥାନରେ ଫ୍ରିଜ୍ଟିଏ ରଖାଯିବ। ବ୍ୟକ୍ତିବିଶେଷଙ୍କ ଘରେ, ହୋଟେଲରେ ବା ରେସ୍ତୋରାଁରେ ବଳକା ରହୁଥିବା ଖାଦ୍ୟକୁ ଏହି ଫ୍ରିଜ୍ରେ ରଖି ଦିଆଯିବ। ଗରିବ ଲୋକେ କାହାକୁ ନ ମାଗି ଫ୍ରିଜ୍ ଖୋଲି ଖାଦ୍ୟ ନେଇ ଖାଇପାରିବେ।
୨୦୧୭ ନଭେମ୍ବରରେ ବିଟିଏମ୍ ଲେଆଉଟ୍ରେ ଖୋଲିଥିବା ଏହି କମ୍ୟୁନିଟି ଫ୍ରିଜ୍ ଏବେ ସକାଳ ୭ଟାରୁ ରାତି ୯ଟା ଭିତରେ ୭୦ରୁ ୧୦୦ ଜଣ ଗରିବଙ୍କୁ ଖାଦ୍ୟ ଯୋଗାଉଛି। ଇଶାଙ୍କ ଯୋଜନା ଅନୁସାରେ, ଯେ କେହି ଚାହିଁଲେ ଫ୍ରିଜ୍ରେ ଖାଦ୍ୟଦ୍ରବ୍ୟ ରଖିପାରିବେ। କିନ୍ତୁ ଏହାକୁ ଭଲ ଭାବେ ପ୍ୟାକିଂ କରିବା ଦରକାର। ଏହା ଯେ ଅଇଁଠା ବା ବାସି ଖାଦ୍ୟ ନୁହେଁ, ତାହା ସୁନିଶ୍ଚିତ କରିବା ନିହାତି ଜରୁରୀ।
ଏବେ ବେଙ୍ଗଳୁରୁର ବ୍ରୁକଫିଲ୍ଡସ, ଇନ୍ଦିରା ନଗର, କୋରାମଙ୍ଗଳ ଏବଂ ବେନସନ୍ ଟାଉନରେ ଏଭଳି ଫ୍ରିଜ୍ ସ୍ଥାପନ କରାଯାଇଛି। ଆବାସିକ କଲୋନି ସହିତ କେତେକ ହୋଟେଲ ଓ ରେସ୍ତୋରାଁ ପକ୍ଷରୁ ମଧ୍ୟ କମ୍ୟୁନିଟି ଫ୍ରିଜ୍ ସ୍ଥାପନ କରାଯାଇଛି। ହୋଟେଲ ଆଗରେ ଥିବା କମ୍ୟୁନିଟି ଫ୍ରିଜ୍ରେ ବଳକା ଖାଦ୍ୟ ରଖାଯାଉଛି। ଇନ୍ଦିରା ନଗରର ଏକ ଲେବାନିଜ୍ ରେସ୍ତାରାଁ ଦ୍ୱାରା ସ୍ଥାପିତ ଫ୍ରିଜରୁ ଦିନକୁ ୨୦ରୁ ଅଧିକ ଲୋକ ଖାଦ୍ୟ ନେଇ ଖାଉଛନ୍ତି।
ସେହିଭଳି କୋରାମଙ୍ଗଳର ଏକ ହୋଟେଲର କମ୍ୟୁନିଟି ଫ୍ରିଜ୍ରୁ ଦିନକୁ ୪୦ରୁ ୫୦ ଜଣ ଲୋକଙ୍କ ପେଟ ପୂରୁଛି। ହୋଟେଲ ଓ ରେସ୍ତୋରାଁର କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟରୁ ଏହି ଫ୍ରିଜରେ ରଖାଯାଉଛି। ବାସି ଖାଦ୍ୟ ନୁହେଁ କି ଗ୍ରାହକ ଛାଡ଼ି ଯାଉଥିବା ଖାଦ୍ୟ ନୁହେଁ।
ବଦାନ୍ୟ ବ୍ୟକ୍ତି, ସଂଗଠନ ଓ ବ୍ୟବସାୟୀଙ୍କ ଉଦ୍ୟମକ୍ରମେ ବେଙ୍ଗଳୁରୁର ଗରିବଙ୍କ ପେଟକୁ ଦାନା ଯୋଗାଉଛି କମ୍ୟୁନିଟି ଫ୍ରିଜ୍। କର୍ଣ୍ଣାଟକ ଓ ତାମିଲନାଡୁର ଅନ୍ୟ କେତେକ ସହରରେ ମଧ୍ୟ ଏଭଳି କମ୍ୟୁନିଟି ଫ୍ରିଜ୍ ଖୋଲିଲାଣି। ଉପକାରୀ ଓ ଉପକୃତ ମଣିଷ ମଧ୍ୟରେ ଯୋଗସୂତ୍ର ରଖିବାର ମାଧ୍ୟମ ପାଲଟିଛି କମ୍ୟୁନିଟି ଫ୍ରିଜ୍।














