ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବିଧାନର ୪୯୭ ଧାରା ଅନୁସାରେ ପର ସ୍ତ୍ରୀ ସହ ଯୌନସଂପର୍କ ରଖୁଥିବା ପୁରୁଷଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି।
ପରକୀୟା ସଂପର୍କ ବିରୋଧରେ ପ୍ରଚଳିତ ଆଇନରେ କେବଳ ପୁରୁଷମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ବ୍ୟବସ୍ଥା ରହିଛି, ଯାହା ସାମ୍ବିଧାନିକ ସମାନତା ଅଧିକାରର ଉଲ୍ଲଂଘନ କରୁଛି। ବିବାହିତ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ପ୍ରଭେଦ ଦର୍ଶାଉଛି ଭାରତୀୟ ଦଣ୍ଡବିଧି ଆଇନର ୪୯୭ ଦଫା। ପରକୀୟା ସଂପର୍କ ବିରୋଧୀ ଆଇନ ଉଚ୍ଛେଦ ସଂପର୍କିତ ଏକ ମାମଲାର ଶୁଣାଣି କରି ଏହି ମତାମତ ଦେଇଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଭାରତୀୟ ଦଣ୍ଡବିଧି ଆଇନର ୪୯୭ ଧାରାରେ ଲିଙ୍ଗଗତ ବୈଷମ୍ୟ ରହିଥିବା ଦର୍ଶାଇଛନ୍ତି। ଏହି ଧାରା ଅନୁସାରେ ପର ସ୍ତ୍ରୀ ସହ ଯୌନସଂପର୍କ ରଖୁଥିବା ପୁରୁଷଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି। ଏହା ସହିତ ମହିଳାଙ୍କ ସ୍ୱାମୀଙ୍କ ସମ୍ମତି ଏବଂ ସଂପୃକ୍ତି ନ ଥିଲେ ହିଁ ଏହା ଦଣ୍ଡନୀୟ ଅପରାଧ ବୋଲି କୁହାଯାଇଛି।
୧୫୮ ବର୍ଷ ପୁରୁଣା ଭାରତୀୟ ଦଣ୍ଡବିଧି ଆଇନର ଏହି ବ୍ୟବସ୍ଥା, ସ୍ପଷ୍ଟ ଭାବେ ଏକପାଖିଆ ଏବଂ ମନମୁଖୀ ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି। ପରକୀୟା ସଂପର୍କରେ ମହିଳାମାନେ ବି ସମାନ ଭାବେ ଭାଗୀଦାର ହୋଇଥିଲେ ହେଁ କେବଳ ପୁରୁଷଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ପୁରୁଣାକାଳିଆ ପୁରୁଷପ୍ରଧାନ ଚିନ୍ତାଧାରାକୁ ସୂଚାଉଛି ବୋଲି ସେ ମତ ଦେଇଛନ୍ତି। ସ୍ୱାମୀଙ୍କ ସମ୍ମତିରେ ପରକୀୟା ସଂପର୍କକୁ ଆଇନସମ୍ମତ ବୋଲି ବିବେଚନା କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏଥିରେ ସ୍ତ୍ରୀକୁ ସ୍ୱାମୀର ବ୍ୟକ୍ତିଗତ ସଂପତ୍ତି ରୂପେ ବିବେଚନା କରାଯାଇଛି ।
ଭାରତୀୟ ଦଣ୍ଡବିଧି ଆଇନର ୪୯୭ ଧାରାର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇବା ସହ ଏହାକୁ ଉଚ୍ଛେଦ କରିବା ପାଇଁ ଇଟାଲିରେ ରହୁଥିବା ଭାରତୀୟ ନାଗରିକ ଜୋସେଫ ସାଇନ୍ ଜନସ୍ୱାର୍ଥ ସମ୍ବଳିତ ମାମଲା ଦାୟର କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଧାରାରେ ଲିଙ୍ଗଗତ ପ୍ରଭେଦ ଥିବା କହିଛନ୍ତି। ବୈବାହିକ ସଂପର୍କର ପବିତ୍ରତା ରକ୍ଷା ପାଇଁ ଏହି ଧାରାର ଉଦ୍ଦେଶ୍ୟକୁ ସୁପ୍ରିମକୋର୍ଟ ସ୍ୱୀକାର କରିଛନ୍ତି। କିନ୍ତୁ ପରକୀୟା ଯୌନସଂପର୍କ କ୍ଷେତ୍ରରେ ମହିଳା ଓ ପୁରୁଷ ସମାନ ଭାବେ ଭାଗୀଦାର ହୋଇଥିବା ବେଳେ କେବଳ ପୁରୁଷଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ରହିବା ବାଞ୍ଛନୀୟ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ଦେଇଛନ୍ତି। ଏହା ସମ୍ବିଧାନର ୧୪ ଧାରାରେ ଥିବା ସମାନତା ଅଧିକାରର ଉଲ୍ଲଙ୍ଘନ କରୁଛି ଏବଂ ଲିଙ୍ଗଗତ ବୈଷମ୍ୟ ସୃଷ୍ଟି କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଅନୁରୂପ ଭାବେ ଫୌଜଦାରୀ କାର୍ଯ୍ୟବିଧି ଆଇନର ୧୯୮ଧାରାର ସାମ୍ବିଧାନିକ ବୈଧତାକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏଥିରେ ମଧ୍ୟ ପରକୀୟା ସଂପର୍କ କ୍ଷେତ୍ରରେ କେବଳ ପୁରୁଷ ବା ସଂପୃକ୍ତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିପାରିବା ବ୍ୟବସ୍ଥା ରହିଛି ବୋଲି ଦର୍ଶାଯାଇଛି।
ପଡ଼ୋଶୀ ଦେଶ ଭୁଟାନ, ଚୀନ ଓ ଶ୍ରୀଲଙ୍କା ସମେତ ବିଶ୍ବର ବିଭିନ୍ନ ଦେଶରେ ପରକୀୟା ସଂପର୍କ ଅପରାଧ ରୂପେ ବିବେଚିତ ହେଉନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ତର୍କ ଉପସ୍ଥାପନ କରାଯାଇଛି। ପରକୀୟା ସଂପର୍କରେ ଉଭୟ ପୁରୁଷ ଓ ମହିଳାଙ୍କର ସମ୍ମତି ଥିବାରୁ ଜଣଙ୍କୁ ଦୋଷ ଦେବା ଗ୍ରହଣୀୟ ନୁହେଁ ଏବଂ ତେଣୁ କେବଳ ପୁରୁଷଙ୍କ ପ୍ରତି ଥିବା ଦଣ୍ଡ ବ୍ୟବସ୍ଥା ଉଚ୍ଛେଦ କରିବାକୁ ଆବେଦନ କରାଯାଇଛି।














