ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ବ୍ଲକ ଅନ୍ତର୍ଗତ ଶିଖପାଲିଠାରେ ଏସ୍ ଏସ୍ ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ରହିଥିବା ଛାତ୍ରାବାସରେ ଜଣେ ଛାତ୍ରୀ ହାତ କାଟି ଆତ୍ମହତ୍ୟା କରିଛନ୍ତି।

ଛାତ୍ରାବାସରେ ଛାତ୍ରୀଙ୍କ ଆତ୍ମହତ୍ୟା। ମାଲକାନଗିରି ବ୍ଲକ ଅନ୍ତର୍ଗତ ଶିଖପାଲିଠାରେ ଏସ୍ ଏସ୍ ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ରହିଥିବା ଛାତ୍ରାବାସରେ ଘଟିଛି ଏହି ଘଟଣା। ଗୁରୁବାରଦିନ ରାତିରେ ଦଶମ ଶ୍ରେଣୀ ଛାତ୍ରୀ ବନ୍ଦନା ସର୍ଦାର ନିଜର ହାତ କାଟି ଆତ୍ମହତ୍ୟା କରିଛନ୍ତି।  କିନ୍ତୁ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ଛାତ୍ରୀଙ୍କ ପରିବାର ଲୋକେ। ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି।

ପ୍ରତିଦିନ ଭଳି ଗୁରୁବାରଦିନ ରାତିରେ ମଧ୍ୟ ଛାତ୍ରାବାସରେ ସମସ୍ତ ଛାତ୍ରୀ ରାତ୍ରି ଭୋଜନ କଲା ପରେ ନିଜ ନିଜ କୋଠରୀକୁ ଯାଇଥିଲେ। କିନ୍ତୁ ବନ୍ଦନା ନିଜ କୋଠରୀକୁ ନଯାଇ କମ୍ପୁଟର ରୁମକୁ ଯାଇଥିଲା। ରାତି ପ୍ରାୟ ୧୦ଟା ସମୟରେ ଛାତ୍ରାବାସର ୱାର୍ଡେନ ବନ୍ଦନାକୁ କୋଠରୀରେ ନଥିବା ପାଇ ସେ ତୁରନ୍ତ ଖୋଜା ଖୋଜି ଆରମ୍ଭ କରିଥିଲେ।

ତେବେ କଂପ୍ୟୁଟର ରୁମକୁ ଯାଇ ଦେଖିଲା ବେଳେ ବନ୍ଦନାଙ୍କ ହାତ କଟା ଯାଇଥିବା ଓ ରକ୍ତ ସ୍ରାବ ହେଉଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ବନ୍ଦନାକୁ ମାଲକାନଗିରି ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ବନ୍ଦନାକୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ ଖବର ପାଇ ମେଡିକାଲରେ ପହଞ୍ଚିଛି। ଶବକୁ ଜବତ କରିବା ପରେ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଛି। ତଦନ୍ତ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଇଛି।

Comment