ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜନୀତି ପଶାପାଲିରେ ଗୁରୁପ୍ରିୟା
  • ଲୋକାର୍ପଣ ପରେ ରାଜନୀତି ଜୋର୍
  • ଅଧିକ ୭୪ କୋଟି ଟଙ୍କା ଖର୍ଚ୍ଚକୁ ନେଇ ଝଡ଼
  • ରାଜ୍ୟପାଳଙ୍କୁ ଭେଟିଲା ବିଜେପି
  • କେନ୍ଦ୍ରକୁ ଗୁରୁପ୍ରିୟା ତଥ୍ୟ ଦେଲେ ରାଜ୍ୟ ସରକାର
  • କଂଗ୍ରେସ ବି ଦାବି କରିଥିଲା ସିବିଆଇ ତଦନ୍ତ

ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଲୋକାର୍ପଣ କରିଛନ୍ତି। ଲୋକାର୍ପଣକୁ ୭ ଦିନ ପୂରିଥିଲେ ବି ରାଜନୀତି ଥମିନି। ଗୁରୁପ୍ରିୟା ସେତୁ ସମ୍ପର୍କୀତ ସମସ୍ତ ତଥ୍ୟ ରାଜ୍ୟ ସରକାର ଆଜି କେନ୍ଦ୍ରକୁ ଦେଇଥିବା ବେଳେ ବିଜେପି ସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି।

ଗୁରୁପ୍ରିୟା ସେତୁ ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି? ଏ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ କେନ୍ଦ୍ର ସରକାର। ଗତ ୨୪ ତାରିଖରେ ଲୋକସଭାରେ ତାରକା ଚିହ୍ନିତ ପ୍ରଶ୍ନରେ ଏହି ପ୍ରସଙ୍ଗ ଉଠିଥିଲା। ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଗୁରୁପ୍ରିୟା ପ୍ରକଳ୍ପ ସମ୍ପର୍କରେ ତଥ୍ୟ ଦେବାକୁ କହିଥିଲେ।

ଆଜି ନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ ଏବଂ ସଡ଼କ ପରିବହନର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ମାଧ୍ୟରେ ଗୁରୁପ୍ରିୟା ପ୍ରକଳ୍ପ ସମ୍ପର୍କୀତ ସମସ୍ତ ତଥ୍ୟ ଦେଇଛନ୍ତି।

ଏପଟେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନକୁ ଯାଇ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ଭେଟିଛନ୍ତି। ଠିକାଦାର ନିଯୁକ୍ତିରେ ଅଧିକ ୭୩ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ବିଜେପି ଅଭିଯୋଗ କରିଛି। ଅଧିକ ଟଙ୍କା କାହିଁକି ଖର୍ଚ୍ଚ କରାଗଲା ସେନେଇ ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି।

ଗତ ୧ ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସମାନ ଅଭିଯୋଗ କରିଥିଲେ। ଗୁରୁପ୍ରିୟା ସେତୁରେ ଅଧିକ ୭୪ କୋଟି ଟଙ୍କା କାହିଁକି ଖର୍ଚ୍ଚ କରାଗଲା ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠିକାଦାର ବନ୍ଧୁଙ୍କୁ ଅନୁକମ୍ପା ଦେଖାଇବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ସେ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବି କରିଥିଲେ।

Comment