ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଧାନ ପରିଷଦରେ ରହିବେ ସର୍ବାଧିକ ୪୯ ସଦସ୍ୟ
  • ରାଜ୍ୟପାଳ ମନୋନୀତ କରିବେ ୯ ଜଣଙ୍କୁ
  • ବିଧାନ ପରିଷଦର ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ
  • ମୌସୁମୀ ଅଧିବେଶନରେ ଆସିପାରେ ସଙ୍କଳ୍ପ ପ୍ରସ୍ତାବ

ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ! ଏନେଇ ଅନୁଧ୍ୟାନ କମିଟି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ରିପୋର୍ଟ। ବିହାର ଏବଂ ତେଲେଙ୍ଗାନା ବିଧାନ ପରିଷଦ ଅନୁଧ୍ୟାନ କରିବା ପରେ କମିଟି ଏହି ରିପୋର୍ଟ ଦେଇଛନ୍ତି।

ରାଜ୍ୟ ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ରିପୋର୍ଟ ଦେଇଛନ୍ତି। ଗତ ମାସରେ କମିଟି ବିହାର ଏବଂ ତେଲେଙ୍ଗାନା ବିଧାନପରିଷଦର ଢାଞ୍ଚା ଓ ରୂପରେଖ ଅନୁଧ୍ୟାନ କରି ଓଡ଼ିଶା ଫେରିଥିଲେ। ବିଧାନ ପରିଷଦର ସଦସ୍ୟମାନଙ୍କୁ ବିଧାୟକଙ୍କ ଭଳି ଦରମା ଓ ସୁବିଧା ସୁଯୋଗ ଦେବା ପାଇଁ କମିଟି ପ୍ରସ୍ତାବ ଦେଇଛି।

ଏହି ୭ ପୃଷ୍ଠିଆ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ବିଧାନ ପରିଷଦରେ ସର୍ବାଧିକ ୪୯ ଜଣ ସଦସ୍ୟ ରହିବେ। ଏଥିରେ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟରୁ ରାଜ୍ୟପାଳ ୯ ଜଣଙ୍କୁ ମନୋନୀତ କରିବେ।

ଏହାସହ ୪ ଜଣ ସଦସ୍ୟଙ୍କୁ ଶିକ୍ଷକ ସଙ୍ଗଠନ, ୪ ଜଣ ସଦସ୍ୟଙ୍କୁ ରାଜ୍ୟର ଗ୍ରାଜୁଏଟସ୍, ୧୬ ଜଣ ସଦସ୍ୟଙ୍କୁ ବିଧାୟକ ଏବଂ ୧୬ ଜଣଙ୍କୁ ପଞ୍ଚାୟତ, ପୌର ସଂସ୍ଥାର ପ୍ରତିନିଧି ଚୟନ କରିବେ।

ବିଧାନ ପରିଷଦର ସଦସ୍ୟମାନଙ୍କୁ ବାର୍ଷିକ ପାଣ୍ଠି ସହ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବାକୁ ସୁଯୋଗ ମିଳିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

କମିଟି ସଦସ୍ୟ ବିଧାୟକ ମନୋହର ରାନ୍ଧାରୀ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦିଆଯାଇଛି। ସେ ଏହା ଉପରେ ତର୍ଜମା କରିବେ। ବିଧାନସଭାର ମୌସୁମୀ ଅଧିବେଶନରେ ଏ ସମ୍ପର୍କରେ ସଂକଳ୍ପ ପ୍ରସ୍ତାବ ଆସିପାରେ।”

ମନ୍ତ୍ରୀ ନୃସିଂହ ସାହୁଙ୍କ ନେତୃତ୍ୱରେ କମିଟି ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ତେଲେଙ୍ଗାନା ଓ ବିହାର ବିଧାନ ପରିଷଦର ଅନୁଧ୍ୟାନ କରିଥିଲେ।

Comment