ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଆସୁଥିବା ଭକ୍ତଙ୍କ ପାଇଁ ଖୁସି ଖବର। ଏଣିକି ଅବଢ଼ା କିଣିବା ବେଳେ ଆଉ ଠକାମୀର ଶିକାର ହେବାକୁ ପଡ଼ିବନି। ଆନନ୍ଦ ବଜାରରେ ଲାଗିବ ଅବଢ଼ାର ମୂଲ୍ୟ ସୂଚୀ।

ଅବଢ଼ା କିଣିବା ବେଳେ ଭକ୍ତ ଆଉ ଠକାମୀର ଶିକାର ହେବେ ନାହିଁ। ଏଣିକି ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ାର ମୂଲ୍ୟସୂଚୀ। ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି।

ପ୍ରଦୀପ କୁମାର ମହାପାତ୍ର କହିଛନ୍ତି, “ଭକ୍ତ ମାନଙ୍କ ସୁବିଧା ପାଇଁ ଆନନ୍ଦବଜାରରେ ଅବଢ଼ାର ମୂଲ୍ୟ ସୂଚୀ ତାଲିକା ଲାଗିବ। ଏହାସହ ଅନ୍ନଦାନ ଆଟିକାକୁ ବନ୍ଦ କରାଯିବ। ମନ୍ଦିର ଭିତରେ ଦକ୍ଷିଣା ଆଦାୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସୁପ୍ରିମକୋର୍ଟ ଯେଉଁ ୧୨ଟି ନିର୍ଦ୍ଦେଶ ଦେଇଥିଲେ ତାହାକୁ ପାଳନ କରିବା ପାଇଁ ପ୍ରୟାସ କରାଯାଉଛି।”

ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିଥିଲା। ସେବାୟତମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟ ଦେଇଥିବା ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିରରୁ ଦକ୍ଷିଣା ଥାଳି ଉଠାଯିବ ବୋଲି ଆଲୋଚନା ହୋଇଥିଲା।

ଅରୁଣସ୍ତମ୍ଭଠାରୁ ଭିତର କାଠ ପର୍ଯ୍ୟନ୍ତ ସେବାୟତମାନେ ଦକ୍ଷିଣା ଥାଳି ରଖୁଥିଲେ। ଭକ୍ତମାନେ ଏହି ଥାଳିରେ ଦକ୍ଷିଣା ଦେଉଥିଲେ। ହେଲେ ଦକ୍ଷିଣା ଥାଳି ଉଠାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏ ପ୍ରସଙ୍ଗରେ ଆଲୋଚନା କରାଯାଇ ଦକ୍ଷିଣା ଥାଳି ଉଠାଇବାକୁ ସେବାୟତମାନେ ରାଜି ହୋଇଛନ୍ତି।

ସେହିପରି ରୋଷଶାଳା ସଫା କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ରୋଷ ଘର ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ହିସାବ ଦେବେ ସେବାୟତ।

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମିକସ୍ କ୍ୟୁରୀ ଚଳିତ ମାସରେ ପୁରୀ ଆସୁଛନ୍ତି। ଆମିକସ୍ କ୍ୟୁରୀ ପୁରୀ ଆସିବା ପୂର୍ବରୁ ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ପ୍ରଶାସନ ଉଦ୍ୟମ କରୁଛି।

Comment