ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଏସ୍‌ଟିପିଆଇ ଏଲିଟ୍‌ ସେଣ୍ଟର ଉଦଘାଟିତ
  • ଭୁବନେଶ୍ୱର ଗୋଠପାଟଣାଠାରେ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
  • ପୂର୍ବ ଭାରତର ଡିଜିଟାଲ ବୈଷମ୍ୟ ଦୂର କରିବ ଏହି ସେଣ୍ଟର
  • ୧ ଲକ୍ଷ ଗାଁରେ ଇଣ୍ଟରନେଟ୍ ବ୍ରଡବ୍ୟାଣ୍ଡ ସୁବିଧା
  • ୩ ଲକ୍ଷ ଡିଜିଟାଲ ଉଦ୍ୟୋଗୀଙ୍କୁ ସୃଷ୍ଟି କରିଛି ଭାରତ
  • ଆଧାର ତଥ୍ୟ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ: କେନ୍ଦ୍ର ଆଇଟି ମନ୍ତ୍ରୀ
  • ଭାରତକୁ ବିଶ୍ୱର ବୃହତ ଡାଟା କେନ୍ଦ୍ର କରାଯିବ: ଧର୍ମେନ୍ଦ୍ର

“ଏବେ ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍। ସ୍ମାର୍ଟ ଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଅଧିକ। ସ୍ମାର୍ଟ ଫୋନ୍‌ରେ ଇଣ୍ଟରନେଟ୍ ବ୍ୟବହାର କରି ଲୋକେ ଗୋଟିଏ ମିନିଟରେ ବିଭିନ୍ନ ବିଷୟରେ ତଥ୍ୟ ହାସଲ କରିପାରୁଛନ୍ତି। ଭାରତରେ ଆଇଟି ଶିଳ୍ପର ଅଭିବୃଦ୍ଧି ଘଟୁଛି। ଏହାକୁ ଆହୁରି ସୁଗମ କରିବା ପାଇଁ ଏବଂ ପୂର୍ବ ଭାରତରେ ଡିଜିଟାଲ ବୈଷମ୍ୟ ଦୂର କରିବା ପାଇଁ କେନ୍ଦ୍ର ସରକାର ଆଉ ପାଦେ ଆଗକୁ ଆସିଛନ୍ତି”, କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ, ଆଇଟି ଓ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

ଭୁବନେଶ୍ୱର ଗୋଠପାଟଣାଠାରେ ଶନିବାର ଏସ୍‌ଟିପିଆଇ ଏଲିଟ୍‌ ସେଣ୍ଟରକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ। ଏହି ସଫ୍ଟୱେର ଟେକ୍ନୋଲଜି ପାର୍କ ପୂର୍ବ ଭାରତର ସର୍ବବୃହତ କେନ୍ଦ୍ର ହେବା ସହ ଓଡିଶା ତଥା ପୂର୍ବ ଭାରତରେ ଡିଜିଟାଲ ବୈଷମ୍ୟକୁ ଦୂର କରିବାରେ ସହାୟକ ହେବ ବୋଲି କହିଛନ୍ତି।

“ଦେଶର ଜନସଂଖ୍ୟା ଏବେ ୧୩୦ କୋଟିରୁ ଅଧିକ ହୋଇଥିବା ବେଳେ ୧୨୦ କୋଟି ମୋବାଇଲ ଫୋନ ରହିଛି। ସେଥିମଧ୍ୟରୁ ୪୫ କୋଟି ହେଉଛି ସ୍ମାର୍ଟ ଫୋନ। ୫୫ କୋଟି ଇଣ୍ଟରନେଟ୍ ସଂଯୋଗ ବର୍ତ୍ତମାନ ସୁଦ୍ଧା କରାଯାଇଛି। ୧ ଲକ୍ଷ ଗ୍ରାମକୁ ବ୍ରଡବ୍ୟାଣ୍ଡ ଇଂଟରନେଟ ସୁବିଧା ଉପଲବ୍ଧ ହେଉଛି। ଆଗାମୀ ଦିନରେ ସବୁ ଗ୍ରାମ ପଞ୍ଚାୟତକୁ ଦ୍ରୁତ ଇଣ୍ଟନେଟ ସେବା ଯୋଗାଇ ଦିଆଯିବ। ୨୦୧୧ ରୁ ୨୦୧୪ ମଧ୍ୟରେ ମାତ୍ର ୩୫୮ କିଲୋମିଟର ଅପଟିକାଲ ଫାଇବର ବିଛାଯାଇଥିବା ବେଳେ ଏନଡିଏ ସରକାର ଆସିବା ପରେ ୨୦୧୪ରୁ ୨୦୧୮ ମଧ୍ୟରେ ୨.୭୨ ଲକ୍ଷ କିଲୋମିଟର ଅପଟିକାଲ ଫାଇବର ବିଛାଯାଇଛି। ଜନ-ଧନ ଯୋଜନା, ଆଧାର ଏବଂ ମୋବାଇଲ ଫୋନର ସମ୍ମିଶ୍ରଣରେ ଇ-କାରବାର ବୃଦ୍ଧି ପାଉଛି”, କହିଛନ୍ତି ରବିଶଙ୍କର ପ୍ରସାଦ।

ଆଧାର ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଆଇଟି ମନ୍ତ୍ରୀ କହିଥିଲେ ଯେ କେବଳ ଆଧାର ନମ୍ବର ଓ ବ୍ୟକ୍ତିର ଠିକଣା ବ୍ୟତିତ ଅନ୍ୟ କିଛି ତଥ୍ୟ ଚୋରି ହୋଇପାରିବ ନାହିଁ। ଆଖିର ସ୍ୱଚ୍ଛ ପଟଳ (ଆଇରିସ) ଏବଂ ଆଙ୍ଗୁଠି ଛାପର ତଥ୍ୟକୁ ସ୍ୱଦେଶୀ ଜ୍ଞାନ କୌଶଳ ଦ୍ୱାରା ସୁରକ୍ଷିତ ରଖାଯାଇଛି। ଏହାକୁ କେହି ବି ହାସଲ କରିପାରିବେ ନାହିଁ।

ପ୍ରତ୍ୟେକ ଦିନ ୩ କୋଟି ଡାଟା ଅଥେଣ୍ଟିକେସନ କାର୍ଯ୍ୟ ସମ୍ପାଦନ ହେଉଛି। ୧୫ କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି। ୨.୭୪ ଲକ୍ଷ ହସ୍ପିଟାଲକୁ ଡିଜିଟାଲ ହସ୍ପିଟାଲରେ ପରିଣତ କରିବା ଲାଗି ଉଦ୍ୟମ ଜାରୀ ରହିଛି। ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ କିଛି ଜିଲ୍ଲା ସଦର ହସ୍ପିଟାଲରେ  ଟେଲି-ମେଡିସିନ ସୁବିଧାର ଆରମ୍ଭ କରାଯାଉଛି। ୬ କୋଟି ଲୋକଙ୍କୁ ଡିଜିଟାଲ ପ୍ରଶିକ୍ଷଣ ଦିଆଯାଇଛି। ଭାରତ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ଡିଜିଟାଲ ଉଦ୍ୟୋଗୀଙ୍କୁ ସୃଷ୍ଟି କରିବାରେ ସକ୍ଷମ ହୋଇଥିବା ଶ୍ରୀ ପ୍ରସାଦ କହିଛନ୍ତି।

ଏବେ ଦେଶରେ ୧୨୧ଟି କେନ୍ଦ୍ରରେ ବିପିଓ ସେଣ୍ଟରର କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶାରେ ୧୩ଟି ଆଇଟି କମ୍ପାନିକୁ ବିପିଓ କେନ୍ଦ୍ର ଖୋଲିବା ଲାଗି ବିଧିବଦ୍ଧ ଅନୁମତି ମିଳିସାରିଛି। ସେଥିମଧ୍ୟରୁ ଭୁବନେଶ୍ୱର, ଜଳେଶ୍ୱର, ବାଲେଶ୍ୱର ଓ କଟକରେ କିଛି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଆଉ କେତେକ କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। କେନ୍ଦ୍ର ସରକାର ଅନଗୁଳ, ଯାଜପୁର, ସମ୍ବଲପୁର ଏବଂ କୋରାପୁଟ ଜିଲ୍ଲାରେ ବିପିଓ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ଏନଡିଏ ସରକାର ଆସିବା ପରେ ଭାରତରେ ୧୨୦ଟି ମୋବାଇଲ କମ୍ପାନି ସେମାନଙ୍କର ବିନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଫଳରେ ୫ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି। ନୋଏଡାରେ ବିଶ୍ୱର ସର୍ବବୃହତ ମୋବାଇଲ ବିନିର୍ମାଣ କେନ୍ଦ୍ର ସାମସଙ୍ଗ ପକ୍ଷରୁ ଆରମ୍ଭ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ।

ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।

“ହାଇଡ୍ରୋକାର୍ବନର ସନ୍ଧାନ ଓ ଉତ୍ତୋଳନ କ୍ଷେତ୍ରରେ ଡାଟା ରିପୋଜିଟରୀ କେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏପରିକି ତୈଳ ବ୍ଲକ୍ ନିଲାମୀ କ୍ଷେତ୍ରରେ ମଧ୍ୟ ଏଭଳି ଡାଟା କେନ୍ଦ୍ର ବିଶେଷ ଭାବେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ଡିଜିଟାଲ ଇଣ୍ଡିଆ ଅଭିଯାନ ଏବେ ଗଣ ଆନ୍ଦୋଳନରେ ପରିଣତ ହେବାକୁ ଯାଉଛି। ସାଧାରଣ ଲୋକେ ଇ-କାରବାରକୁ ପସନ୍ଦ କରିବା ଆରମ୍ଭ କଲେଣି। ଚାଷୀମାନେ ସ୍ମାର୍ଟଫୋନ ଜରିଆରେ କୃଷି ସୂଚନା ପାଇପାରୁଛନ୍ତି। ଏଟିଏମ ଓ ପିଓଏସ ମାଧ୍ୟମରେ କାରବାର କରିବାକୁ ଲୋକେ ଆଗ୍ରହ ପ୍ରକାଶ କଲେଣି”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଗୋଠପାଟଣାସ୍ଥିତ ଇଡକୋ ନଲେଜ ଜୋନଠାରେ ତିନି ଏକର ଜମିରେ ଏସ୍‌ଟିପିଆଇ ଏଲିଟ୍ ନିର୍ମାଣ କରାଯାଇଛି। ଏଥିରେ ପ୍ରାୟ ୫୦ କୋଟି ଟଙ୍କା ନିବେଶ କରାଯାଇଛି।

ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର, ଏସ୍‌ଟିପିଆଇର ଡିରେକ୍ଟର ଜେନେରାଲ ଡକ୍ଟର ଓମକାର୍ ରାଇ, ଏସ୍‌ଟିପିଆଇର ସିନିୟର ଡିରେକ୍ଟର ଦେବେଶ ତ୍ୟାଗୀ, ଏସ୍‌ଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ମାନସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here