ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜୟଦେବ ଭବନରେ ନବନିଯୁକ୍ତ କର୍ମଚାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
  • ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ଓଡ଼ିଶାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଓପିଟିସିଏଲ୍ ପକ୍ଷରୁ ନବନିଯୁକ୍ତ କର୍ମଚାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ନବନିଯୁକ୍ତ କର୍ମଚାରୀମାନଙ୍କୁ ଥ୍ରୀ-ଟି ମନ୍ତ୍ର ଦେଇଛନ୍ତି। ନବନିଯୁକ୍ତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ଦେଇଥିଲେ।

“ଓପିଟିସିଏଲ୍ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି। ଓଡ଼ିଶାର ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଓପିଟିସିଏଲ୍ ଅନେକ ପଦକ୍ଷେପ ଗ୍ରହଣ କରିଛି। ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ଓପିଟିସିଏଲ୍ ଓଡ଼ିଶାର ଶକ୍ତି କ୍ଷେତ୍ରକୁ ଆଗକୁ ନେବା ପାଇଁ ପ୍ରୟାସ ଜାରୀ ରଖିଛି। ଓଡ଼ିଶାର ଯୁବକ ଯୁତୀମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଛି। ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଆହୁରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ନବନିଯୁକ୍ତ କର୍ମଚାରୀମାନେ ଏକାଠି ସ୍ୱଚ୍ଛତାର ସହ ସମର୍ପିତ ମନୋଭାବ ନେଇ କାମ କରିବା ଉଚିତ୍”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୦୧୦ ମସିହାରୁ ବର୍ତ୍ତମାନ ସୁଦ୍ଧା ଓପିଟିସିଏଲ୍ ୧୬୬୨ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ଚଳିତବର୍ଷ ୮୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଓପିଟିସିଏଲ୍ର ଆର୍ଥିକ, ଇଲେକ୍ଟ୍ରିକାଲ୍ ଏବଂ ପ୍ରଶାସନିକ ସେକ୍ଟରରେ ନିଯୁକ୍ତି ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଓପିଟିସିଏଲ୍‌ର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।

“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଓପିଟିସିଏଲ୍‌କୁ ସହଯୋଗ କରି ଆସୁଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ଓପିଟିସିଏଲ୍ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କରିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓପିଟିସିଏଲ୍ କର୍ମଚାରୀ ବହୁତ ସୁବିଧା ସୁଯୋଗ ପାଉଛନ୍ତି। ଓପିଟିସିଏଲ୍‌ରୁ କ୍ୟାରିଅର ଆରମ୍ଭ କରିବାକୁ ଯାଉଥିବା ନବନିଯୁକ୍ତ କର୍ମଚାରୀମାନେ ଏଥିପାଇଁ ଖୁସି ଏବଂ ଗର୍ବ ଅନୁଭବ କରିବା ଦରକାର। ଓଡ଼ିଶାର ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମାନେ ନିଷ୍ଠାର ସହ କାମ କରନ୍ତୁ”, କହିଛନ୍ତି ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ।

ଶକ୍ତି ବିଭାଗ ସଚିବ ତଥା ଓପିଟିସିଏଲ୍ ସିଏମ୍‌ଡି ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଓପିଟିସିଏଲ୍ ଡିରେକ୍ଟର (ଏଚ୍‌ଆରଡି) ରାଜେନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Comment