ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମଥର ପାଇଁ ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ୍‍ ବ୍ୟାଟ୍‌ସ୍‌ମ୍ୟାନ୍‌ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି।

ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‍ରେ ଭାରତ ହାରିଯାଇଥିଲେ ମଧ୍ୟ ବିରାଟ କୋହଲି ଦେଖାଇଥିବା ଚମତ୍କାର ପ୍ରଦର୍ଶନ ତାଙ୍କୁ ପରୋକ୍ଷରେ ପୁରସ୍କୃତ କରିଛି।

ଭାରତରୁ ୭ ବର୍ଷ ପରେ ଜଣେ ବ୍ୟାଟସମ୍ୟାନ୍‌ ଶୀର୍ଷରେ ପହଞ୍ଚିଥିବା ବେଳେ କୋହଲି ମଧ୍ୟ ଏ କ୍ଷେତ୍ରରେ ସପ୍ତମ ଭାରତୀୟ ହୋଇଛନ୍ତି। କିନ୍ତୁ ବିଶ୍ୱର ୭୬ତମ।
ଶେଷ ଥର ପାଇଁ ସଚିନ ତେନ୍ଦୁଲକର ୨୦୧୧ରେ ଶୀର୍ଷ ସ୍ଥାନ ଅଳଙ୍କୃତ କରିଥିଲେ। ତାଙ୍କ ବ୍ୟତୀତ ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକାର, ରାହୁଲ ଦ୍ରାବିଡ଼, ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହବାଗ ମଧ୍ୟ ନିଜ ନିଜ ଖେଳ ଜୀବନରେ ଶୀର୍ଷକୁ ଉଠିଥିଲେ।

୨୦୧୧ ଜାନୁଆରିରେ ସଚିନ ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ ଭାରତ-ଓ୍ଵଷ୍ଟଇଣ୍ଡିଜ୍‌ ୩ ମ୍ୟାଚ୍‌ ଶୃଙ୍ଖଳାରୁ ବଞ୍ଚିତ ହେବାରୁ ଜୁନ୍‌ରେ ଦ୍ୱିତୀୟକୁ ଖସିଆସିଥିଲେ।

ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଙ୍ଗ୍‌ସ୍‌ରେ ବିରାଟ କୋହଲି ୧୪୯ ରନ୍ ହାସଲ କରିଥିବା ବେଳେ ସେଥିରେ ୨୨ଟି ଚୌକା ଏବଂ ଗୋଟିଏ ଛକା ରହିଛି। ଦ୍ବିତୀୟ ଇନିଙ୍ଗସରେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ୍ ଷ୍ଟିବ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ବିରାଟ ଏହି ଗୌରବ ହାସଲ କରିଛନ୍ତି।

କୋହଲିଙ୍କ ପାଇଁ କିନ୍ତୁ ସର୍ବାଧିକ ମାନ୍ୟତା ଅର୍ଜନର ସୁଯୋଗ ରହିଛି। ଏଜବାଷ୍ଟନ୍‌ ଟେଷ୍ଟ୍‍ ପୂର୍ବରୁ ୯୦୩ ପଏଣ୍ଟ୍‌ ପାଇଥିବା କୋହଲି ଏହାକୁ ୯୩୪ରେ ପହଞ୍ଚାଇଛନ୍ତି। ସର୍ବକାଳୀନ ତାଲିକାରେ ୧୪ତମ ସ୍ଥାନରେ ରହିଛନ୍ତି। ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ସୁନୀଲ ଗାଭାସ୍କର ( ୯୧୬)ଙ୍କଠାରୁ ୧୮ ପଏଣ୍ଟ୍‌ ଆଗରେ ରହିଛନ୍ତି।

ଆସନ୍ତା ଗୁରୁବାରଠାରୁ ଲର୍ଡସରେ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ଟେଷ୍ଟ୍‍ରେ କୋହଲି ଭଲ ପ୍ରଦର୍ଶନ କଲେ ମାଥ୍ୟୁ ହେଡେନ୍‌, ଜ୍ୟାକ୍‌ କାଲିସ୍‌ ଏବଂ ଏବି ଡି’ଭିଲିୟର୍ସ (ସମସ୍ତେ ୯୩୫)କୁ ପଛରେ ପକାଇଦେବେ। ଏହି ତାଲିକାରେ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ (୯୬୧) ଏବଂ ଷ୍ଟିଭେନ୍‌ ସ୍ମିଥ୍‌ (୯୪୭) ଶୀର୍ଷରେ ରହିଛନ୍ତି।

ଦୀର୍ଘ ୧୬ ବର୍ଷ ପରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ଶତକ ହାସଲ କରିଛନ୍ତି। ୨୦୦୨ରେ ତତ୍କାଳିନ ଅଧିନାୟକ ସୌରଭ ଗାଙ୍ଗୁଲି ଶେଷ ଥର ଇଂଲଣ୍ଡର ପଡିଆରେ ଶତକ ହାସଲ କରିଥିଲେ। ଏହି ମ୍ୟାଚରେ ସୌରଭ ଗାଙ୍ଗୁଲି ୧୨୮ ରନ ହାସଲ କରିଥିବା ବେଳେ ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ ମଧ ଶତକ ହାସଲ କରିଥିଲେ। ୨୦୦୭ରେ ଅନିଲ କୁମ୍ବଲେ, ୨୦୧୧ରେ ରାହୁଲ ଦ୍ରାବିଡ ଓ ୨୦୧୪ରେ ଆଜିଙ୍କ୍ୟା ରାହାଣେ ଓ ମୁରଲୀ ବିଜୟ ଶତକ ହାସଲ କରିଥିଲେ।

୨୦୦୮ ମସିହାରେ ଭାରତକୁ ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜେତା କରାଇଥିବା କୋହଲି ୨୦୧୭ରେ ଆଇସିସି କ୍ରିକେଟର୍‌ ଅଫ୍‌ ଦ ଇୟର୍‌ ଭାବେ ସାର୍‌ ଗାରଫିଲଡ ସୋବର୍ସ ଟ୍ରଫି ଜିତିଥିଲେ। କୋହଲି ଏବେ ମଧ୍ୟ ଦିନିକିଆ ମାନ୍ୟତାରେ ଶୀର୍ଷ ସ୍ଥାନରେ ରହିଥିବାରୁ ଦ୍ୱିମୁକୁଟ ଅର୍ଜନ ଭଳି ହୋଇଛି। ଟି-୨୦ରେ କିନ୍ତୁ ୧୨ତମ ସ୍ଥାନରେ ରହିଛନ୍ତି କୋହଲି।

Comment