ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଡ୍ରାସ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ପଦୋନ୍ନତି ମିଳିବା ପରେ ସର୍ବୋଚ୍ଚ ଅଦାଲତରେ ମହିଳା ବିଚାରପତି ସଂଖ୍ୟା ପ୍ରଥମଥର ପାଇଁ ୩ରେ ପହଞ୍ଚିଛି।

ସୁପ୍ରିମ୍‌କୋର୍ଟର ଅଷ୍ଟମ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ୬୦ ବର୍ଷୀୟା ଇନ୍ଦିରା ବାନାର୍ଜୀ। ସର୍ବୋଚ୍ଚ ନ୍ୟାୟାଳୟର ମହିଳା ବିଚାରପତି ତାଲକାରେ ବାନାର୍ଜୀ ଅଷ୍ଟମ ସ୍ଥାନରେ ରହିବା ସହ ଅନ୍ୟ ଏକ ଇତିହାସ ମଧ୍ୟ ସୃଷ୍ଟି ହୋଇଛି।

ଇନ୍ଦିରା ବାନାର୍ଜୀ

ସୁପ୍ରିମ୍‌କୋର୍ଟରେ ଏକକାଳୀନ ୩ ଜଣ କାର୍ଯ୍ୟରତ ମହିଳା ବିଚାରପତି ରହିବା ଘଟଣା ବି ଇନ୍ଦିରା ବାନାର୍ଜୀଙ୍କ ନିଯୁକ୍ତି ପରେ ପ୍ରଥମ। ପୂର୍ବରୁ କେବେ ବି ସୁପ୍ରିମକୋର୍ଟରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ୩ ଜଣ ମହିଳା ବିଚାରପତି ଏକା ସହ କାର୍ଯ୍ୟଭାରରେ ରହି ନ ଥିଲେ।

ଆର୍‌ ଭାନୁମତି

ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କ ବ୍ୟତୀତ କାର୍ଯ୍ୟରତ ଅନ୍ୟ ଦୁଇ ମହିଳା ବିଚାରପତି ହେଉଛନ୍ତି ଜଷ୍ଟିସ୍‌ ଆର୍‌ ଭାନୁମତି ଏବଂ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା।

୧୯୫୦ରେ ସୁପ୍ରିମ୍‌କୋର୍ଟ ପ୍ରତିଷ୍ଠା ହେବା ଦିନଠାରୁ ଏଥିରେ ମହିଳା ବିଚାରପତି ସଂଖ୍ୟା କେବଳ ଦୁଇରେ ସୀମିତ ଥିଲା। ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ନିକଟରେ ବିଚାରପତି ଭାବେ ସୁପ୍ରିମ୍‌କୋର୍ଟରେ ନିଯୁକ୍ତ ହୋଇଥିଲେ। ବାର୍‌ରୁ ସିଧାସଳଖ ତାଙ୍କୁ ଏହି ପଦୋନ୍ନତି ମିଳିଥିଲା।

ସର୍ବୋଚ୍ଚ ଅଦାଲତଙ୍କ ୬୮ ବର୍ଷ ଭିତରେ ୬୦ ବର୍ଷୀୟା ବାନାର୍ଜୀ ଅଷ୍ଟମ ମହିଳା ବିଚାରପତି ବିବେଚିତ ହୋଇଛନ୍ତି। ଅନ୍ୟ ମହିଳା ବିଚାରପତିଙ୍କ ମଧ୍ୟରେ ଫାତିମା ବିବି, ସୁଜାତା ଭି ମନୋହର, ରୁମା ପଲ୍‌, ଜ୍ଞାନସୁଧା ମିଶ୍ର, ରଞ୍ଜନା ପ୍ରକାଶ ଦେଶାଇ, ଆର୍‌ ଭାନୁମତୀ ଓ ଇନ୍ଦୁ ମାଲ୍‌ହୋତ୍ରା ଅନ୍ତର୍ଭୁକ୍ତ। ତେବେ ବାନାର୍ଜୀଙ୍କ ବ୍ୟତୀତ ଏବେ ଆର୍‌ ଭାନୁମତୀ ଓ ଇନ୍ଦୁ ମାଲ୍‌ହୋତ୍ରା ମହିଳା ବିଚାରପତି ଅଛନ୍ତି।

ଇନ୍ଦୁ ମାଲ୍‌ହୋତ୍ରା

ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତିକୁ ଘୋଷଣା କରାଯାଇଛି।

୧୯୫୭ ସେପ୍‌ଟେମ୍ବର ୨୪ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍‌ ବାନାର୍ଜୀ କୋଲ୍‌କାତାର ପ୍ରେସିଡେନ୍ସି ମହାବିଦ୍ୟାଳୟ ଏବଂ କାଲ୍‌କାଟା ୟୁନିଭର୍ସିଟିର କଲେଜ୍‌ ଅଫ୍‌ ଲ’ରୁ ଉଚ୍ଚଶିକ୍ଷା ହାସଲ କରିଛନ୍ତି। ବାନାର୍ଜୀ ୧୯୮୫ ମସିହା ଜୁଲାଇ ୫ ତାରିଖରେ କୋଲକାଟା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ସେ ତାଙ୍କର ଆଇନ୍‌ ଡିଗ୍ରି ମଧ୍ୟ କାଲକାଟା ବିଶ୍ୱବିଦ୍ୟାଳୟରୁ ହାସଲ କରିଛନ୍ତି।

୨୦୦୨ ମସିହା ଫେବ୍ରୁଆରି ୫ ତାରିଖରେ ତାଙ୍କୁ କାଲକାଟା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୬ ମସିହା ଅଗଷ୍ଟ ୮ ତାରିଖରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି କରାଯାଇଥିଲା।

୨୦୧୭ ଏପ୍ରିଲ୍‌ ୫ ତାରିଖରେ ସେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

Comment